ଜୀବିତ ଝିଅକୁ ମୃତ ଭାବି ପରିବାର କରୁଥିଲେ କ୍ରିୟାକର୍ମ, ସୂଚନା ଦେଲା ସିଡବ୍ଲ୍ୟୁସି

ରାଉରକେଲା: ବର୍ଷକ ତଳେ ଘରୁ ନିଖୋଜ ଝିଅକୁ ଖୋଜି ଖୋଜି ପାଇଲେନି ବାପା ମା’। ଗତ କିଛି ଦିନ ତଳେ ଖବର ପାଇଲେ ଝିଅ ମରାଯାଇଛି। ସମ୍ପର୍କୀୟ ,ସାହିପଡିଶାଙ୍କୁ ନେଇ ଝିଅର ମୃତାହ କର୍ମ କରିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଠିକ୍‌ ସେହି ସମୟରେ ଗାଁରେ ପହଞ୍ଚିଥିଲା ଚାନ୍ଦିପୋଷ ପୁଲିସ ଗାଡି। ହଠାତ୍‌ ପୁଲିସ ଗାଡିକୁ ଦେଖି ଭୟଭୀତ ହୋଇଯାଇଥିଲେ ସମ୍ପର୍କୀୟ ଓ ସାଇପଡିଶା। ଗାଡିରୁ ବାହାରି ପୁଲିସ ପରିବାର ଲୋକଙ୍କୁ ନିଖୋଜ ଝିଅର ଫଟୋ ଦେଖାଇଥିଲେ। ଏହି ଝିଅ ବଞ୍ଚିଛି। ଖୋର୍ଦ୍ଧାରୁ ଶିଶୁ ମଙ୍ଗଳ ସମିତି (ସିଡବ୍ଲ୍ୟୁସି) ଉଦ୍ଧାର କରିଛି ବୋଲି କହିଥିଲେ। ପୁଲିସ ହାତରେ ଧରିଥିବା ଫଟୋ ଦେଖିବା ପରେ ଝିଅର ମୃତ୍ୟୁ ହୋଇଯାଇଥିବା ଭାବି କାନ୍ଦୁଥିବା ଉଭୟ ବାପ-ମା’, ସାଇ ପଡିଶା ଓ ସମ୍ପର୍କୀୟଙ୍କ ମୁହଁରେ ହସ ଫୁଟି ଆସିଥିଲା । ଖୁସିରେ ଆତ୍ମହରା ହୋଇ ପଡିଥିଲେ ବାପ-ମା। ଝିଅ କେଉଁଠି ଥିଲା ? କେବେ ଠାରୁ ମିଳିଲାନି ? ଉଭୟ ବାପା- ମା ପୁଲିସକୁ ଏମିତି ଅନେକ ପ୍ରଶ୍ନ କରିଥିଲେ। ପୁଲିସ ଗୋଟିଏ ଗୋଟି କରି ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ। ଖୋର୍ଦ୍ଧା ସିଡବ୍ଲ୍ୟୁସି୍‌ ସୁନ୍ଦରଗଡ ସିଡବ୍ଲ୍ୟୁସି୍‌କୁ ହସ୍ତାନ୍ତର କରିବା ପରେ ଝିଅ ଘରକୁ ଫେରିବ ବୋଲି ପୁଲିସ କହିଥିଲେ। ପୁଲିସ ଠାରୁ ଖୁସି ଖବର ପାଇବା ପରେ ଝିଅ ପାଇଁ ଚାଲିଥିବା କ୍ରିୟାକର୍ମକୁ ବନ୍ଦ କରିଥିଲେ ସାଇପଡିଶା ଓ ସମ୍ପକର୍ମୀୟ। ଏମିତି ଘଟଣା ଘଟିଛି ଲାଠିକଟା ବ୍ଲକ ଚାନ୍ଦିପୋଷ ଥାନା ଅନ୍ତର୍ଗତ ଝମ୍ପାଝରଣ ଗାଁରେ।

ମଙ୍ଗୁଳା ସିଂ, ପତ୍ନୀ ଅନୀତାଙ୍କର ନାବାଳିକା ଝିଅ ଗତ ବର୍ଷକ ତଳେ ଘରୁ କୁଆଡେ ନିଖୋଜ ‌ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ଝିଅକୁ ପାଇ ନଥିଲେ। ‌ଶେଷରେ ନିରାଶ ହୋଇ ଝିଅ ଆଉ ଜୀବିତ ନଥିବା ଭାବିଥିଲେ। ଗତକାଲି ସକାଳ ଖୋର୍ଦ୍ଧା ସିଡବ୍ଲ୍ୟୁସି୍‌ ଚମ୍ପାଝରଣ ନିଖୋଜ ଝିଅକୁ ଉଦ୍ଧାର କରି ସୁନ୍ଦରଗଡ ସିଡବ୍ଲ୍ୟୁସି ଅଧ୍ୟକ୍ଷ ରାମଚନ୍ଦ୍ର ବେହେରାଙ୍କୁ ସୂଚନା ଦେଇଥିଲେ। ଅଧ୍ୟକ୍ଷ ଶ୍ରୀ ବେହେରା ସୂଚନା ପାଇବା ପରେ ଚାନ୍ଦିପୋଷ ଥାନାକୁ ନିଖୋଜ ଝିଅ ସଂକ୍ରାନ୍ତରେ ଜଣାଇଥିଲେ। ଚମ୍ପାଝରଣ ଯାଇ ପରିବାର ଲୋକଙ୍କୁ ସୂଚନା ଦେବାକୁ ପୁଲିସକୁ କହିଥିଲେ। ସିଡବ୍ଲ୍ୟୁସି୍‌ ଠାରୁ ସୂଚନା ପାଇବା ଅପରାହ୍ନରେ ପୁଲିସ ଚମ୍ପାଝରଣ ଗାଁରେ ପହଞ୍ଚିଥିଲେ। ସେ‌ତେବେଳେ ନି‌ଖୋଜ ଝିଅ ମୃତ ହୋଯାଇଥିବାରୁ ପରିବାର ଲୋକ କ୍ରିୟାକର୍ମ ଆରମ୍ଭ କରି ଦେଇଥିଲେ। ପୁଲିସ୍‌ କ୍ରିୟାକର୍ମକୁ ବନ୍ଦ କରିବା ସହ ନିଖୋଜ ଝିଅ ଜୀବିତ ଥିବା ଜଣାଇଥିଲେ।

ସମ୍ବନ୍ଧିତ ଖବର