ବ୍ରହ୍ମପୁର: ଗତକାଲି ରାତିରେ ଗୋସାଇଁ ନୂଆଗାଁ ଥାନା ଅଞ୍ଚଳରେ ଶିଶୁ ମଙ୍ଗଳ ସମିତି (ସିଡବ୍ଲୁସି) ସଦସ୍ୟା ସୌଦାମିନୀ ରଥଙ୍କୁ ତାଙ୍କ ଗାଡ଼ି ଡ୍ରାଇଭର ସୀମାଞ୍ଚଳ ଲୁହା କଟର୍‌ରେ ମୁଣ୍ଡକୁ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରବଳ ରକ୍ତସ୍ରାବ ଯୋଗୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିବା ପୁଲିସ କହିଛି। ଖବର ପାଇ ଗୋସାଇଁ ନୂଆଗାଁ ପୁଲିସ, ବ୍ରହ୍ମପୁର ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଏକ ସ୍କୁଟି, ରକ୍ତଭିଜା କପଡ଼ା ଓ ଗୋଟିଏ କଟର୍‌କୁ ଜବତ କରିଛି। ଏଥିନେଇ ଥାନାରେ ଏକ ହତ୍ୟା ମାମଲା ରୁଜୁ ହେବା ସହ ମୃତକଙ୍କ ଗାଡ଼ି ଡ୍ରାଇଭରକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଆଜି ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଶବ ପଞ୍ଚନାମା କରାଯିବା ପରେ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment

ବ୍ରହ୍ମପୁର ଟାଉନ୍‌ ଏସ୍‌ଡିପିଓଙ୍କ ସୂଚନା ଅନୁସାରେ, ଗତ ୧୦ ତାରିଖ ଠାରୁ ତିନିଦିନ ପାଇଁ ଭୁବନେଶ୍ବରରେ ଏକ କର୍ମଶାଳା ରହିଥିବାରୁ ସୌଦାମିନୀ ସେଠାକୁ ଯାଇଥିଲେ। ଭୁବନେଶ୍ବର ଯିବା ପୂର୍ବରୁ ଡ୍ରାଇଭରକୁ ଛୁଟିରେ ରହିବାକୁ କହିଥିଲେ। ତେବେ କୌଣସି କାରଣବଶତଃ ସେ ଗତକାଲି ରାତିରେ ହିଁ ଘରକୁ ଫେରିଆସିଥିଲେ। ସୌଦାମିନୀ ଘରର ତଳ ମହଲାରେ ରହୁଥିବା ବେଳେ ତାଙ୍କ ଡ୍ରାଇଭର ଏକ ସ୍କୁଟିରେ ଆସି ଉପର ମହଲାରେ ରହିଥିଲା। ଯେତେବେଳେ ସୌଦାମିନୀ ତଳମହଲାର କବାଟ ବନ୍ଦ କରି ନିଜ ବେଡ୍‌ରୁମ୍‌କୁ ଯାଇ ତାଙ୍କ ଷ୍ଟାଫ୍‌ଙ୍କ ସହ ମୋବାଇଲ୍‌ରେ କଥା ହେଉଥିବା ବେଳେ ଡ୍ରାଇଭର ଜଣକ ତଳମହଲାକୁ ଆସି ଏକ କଟର୍‌ରେ ମୁଣ୍ଡକୁ ପିଟି ଦେଇଥିଲା। ଏହି ସମୟରେ ସୌଦାମିନୀ ମରିଗଲି ବୋଲି ପା‌ଟି କରିବାରୁ ଫୋନ୍‌ ଧରିଥିବା ଷ୍ଟାଫ୍‌ଙ୍କ ସନ୍ଦେହ ହୋଇଥିଲା।

ଫୋନ୍‌ ଧରିଥିବା ଷ୍ଟାଫ୍‌ ଅନ୍ୟ ସହଯୋଗୀଙ୍କ ସହ ସୌଦାମିନୀଙ୍କ ଘରକୁ ଆସି ଦେଖିବା ବେଳକୁ ସେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଏକ ସ୍କୁଟିକୁ ଜବତ କରିବା ସହ ଆଖପାଖ ଅଞ୍ଚଳର ସିସି କ୍ୟାମେରା ଫୁଟେଜ୍‌କୁ ଯାଞ୍ଚ କରୁଥିବା ଏସ୍‌ଡିପିଓ ଶ୍ରୀ ପଣ୍ଡା କହିଛନ୍ତି। ପୁଲିସ ଅଭିଯୁକ୍ତ ଗାଡ଼ି ଡ୍ରାଇଭର ସୀମାଞ୍ଚଳକୁ ଅଟକ ରଖି ପଚରାଉଚରା ଜାରି ରହିଥିବା ବେଳେ ତା ବିରୋଧରେ ପୂର୍ବରୁ ଦୁଇରୁ ତିନିଟି ମାମଲା ରହିଥିବା ଏସ୍‌ଡିପିଓ କହିଛନ୍ତି। ତେବେ ଚୋରି କରିବା ଉଦ୍ଦେଶ୍ୟରେ ପଶି ଡ୍ରାଇଭର ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି। ଏଥିରେ ଅନ୍ୟ କାହାର ସଂପୃକ୍ତି ରହିଛି ସେଦିଗରେ ବି ତଦନ୍ତ ଜାରି ରହିଛି। ସୌଦାମିନୀ ଗତକାଲି ରାତିରେ ଅଚାନକ ଫେରି ଆସିଥିଲେ। ଏକଥା ଡ୍ରାଇଭର୍‌ ଜାଣି ନଥିଲା। ସେ ଯେହେତୁ ଏକ କଟର୍‌ ଧରି ଯାଇଥିଲା ତେଣୁ ଚୋରି ଉଦ୍ଦେଶ୍ୟରେ ହିଁ ସେ ଆସିଥିଲା ବୋଲି ଏସ୍‌ଡିପିଓ କହିଛନ୍ତି। ଯେହେତୁ ସୌଦାମିନୀଙ୍କୁ ଦେଖି ଦେଇଛି ତେଣୁ ସେ ଅନ୍ୟ ଉପାୟ ନପାଇ ମୁଣ୍ଡକୁ ଆକ୍ରମଣ କରିଥିବା ଅନୁମାନ କରାଯାଉଥିବା ସେ କହିଛନ୍ତି।