କଟକ : ନିର୍ଦ୍ଧାରିତ ଅବଧି ପୂର୍ଣ୍ଣ ହେବା ପୂର୍ବରୁ ଶିଶୁ ମଙ୍ଗଳ କମିଟି(ସିଡବ୍ଲୁସି) ବା ଏହାର ସଦସ୍ୟଙ୍କ କାର୍ଯ୍ୟକାଳ ସମାପ୍ତ କରି ହେବ କି ନାହିଁ ସେ ନେଇ ଜବାବ ରଖିବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଗଠିତ ଶିଶୁ ମଙ୍ଗଳ କମିଟି ଥିବାବେଳେ ଏହାକୁ ବାଦ୍‌ ଦେଇ ସୀମିତ ସମୟ ପାଇଁ କମିଟି ପୁନର୍ଗଠନ କରାଯିବା ନିୟମ ଅନୁସାରେ ଗ୍ରହଣୀୟ କି ନୁହେଁ ସେ ନେଇ ମଧ୍ୟ ସରକାରଙ୍କ ନିକଟରୁ ହାଇକୋର୍ଟ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି।

Advertisment

ଜଷ୍ଟିସ ଅରିନ୍ଦମ୍ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ବାଲେଶ୍ବର ସିଡବ୍ଲୁସି ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧କୁ ଧାର୍ଯ୍ୟ କରାଯାଇଛି। ମାମଲାର ବିବରଣୀରୁ ପ୍ରକାଶ ଯେ ବାଲେଶ୍ବର ସିଡବ୍ଲୁସି ଅବଧି ଶେଷ ହୋଇଥିବା ଦର୍ଶାଯାଇ ଭଦ୍ରକ ସିଡବ୍ଲୁସି ବାଲେଶ୍ବର ଜିଲ୍ଲା ଦାୟିତ୍ବରେ ରହିବ ବୋଲି ସରକାରଙ୍କ ପକ୍ଷରୁ ୨୦୨୧, ନଭେମ୍ବର ୧୧ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଭଦ୍ରକ ସିଡବ୍ଲୁସି ଅବଧି ଶେଷ ହେବା ପର୍ଯ୍ୟନ୍ତ ବା ବାଲେଶ୍ବରରେ ନୂଆ ସିଡବ୍ଲୁସି ଗଠନ ପର୍ଯ୍ୟନ୍ତ ଏପରି ବ୍ୟବସ୍ଥା ବଳବତ୍ତର ରହିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା।

ଅନ୍ୟପକ୍ଷରେ ଏପରି ବିଜ୍ଞପ୍ତିକୁ ବିରୋଧ କରି ବି. ବାରିକ ଓ ଅନ୍ୟମାନେ ଦାୟର କରିଥିବା ମାମଲାରେ ଦର୍ଶାଯାଇଥିଲା ଯେ ଆବେଦନକାରୀ ୨୦୧୯, ଅକ୍ଟୋବର ୧୦ରେ କମିଟି ଅଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ। ଆଇନ ଅନୁସାରେ ଗଠିତ ସିଡବ୍ଲୁସିର କାର୍ଯ୍ୟ ଅବଧି ୩ ବର୍ଷ ହୋଇଥିବା ବେଳେ ଏହାର ସଦସ୍ୟଙ୍କ କାର୍ଯ୍ୟକାଳ ମଧ୍ୟ ଏଥିରେ ସନ୍ନିହିତ। ନିର୍ଦ୍ଧାରିତ ଅବଧି ଶେଷ ପୂର୍ବରୁ କମିଟି କିମ୍ବା ଏହାର ସଦସ୍ୟଙ୍କ ହଟାଇବାକୁ ସରକାରଙ୍କ କ୍ଷମତା ନାହିଁ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଏଥିସହିତ ଜୁଲାଇ ୧୪ରେ ଭଦ୍ରକ ସିଡବ୍ଲୁସି ପୁନର୍ଗଠନ କରାଯାଇଥିଲା। ଏଭଳି ସ୍ଥିତିରେ ଭଦ୍ରକ ସିଡବ୍ଲୁସିକୁ ବାଲେଶ୍ବର ଦାୟିତ୍ବ ଦିଆଯିବା ପ୍ରସଂଗରେ ମଧ୍ୟ ପକ୍ଷ ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।