ବାଲେଶ୍ବର : ରାଜ୍ୟରେ ଉତ୍ତମ ପୁଲିସ ସେବା ଯୋଗାଇବା ସହ ସାଇବର ଓ ଅର୍ଥନୈତିକ ଅପରାଧ ଉପରେ ଅଙ୍କୁଶ ଲଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ଭର୍ଚୁଆଲ ମୋଡ୍‌ରେ ରାଜ୍ୟରେ ୧୪ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ତଥା ୩ଟି ଉନ୍ନୀତ ଥାନାର ଶୁଭ ଉଦ୍‌ଘାଟନ କରିଛନ୍ତି। ଏହି କ୍ରମରେ ବାଲେଶ୍ୱର ଜିଲ୍ଲାରେ ମଧ୍ୟ ଏକ ସାଇବର ଓ ଅର୍ଥନୈତିକ ଅପରାଧ ଥାନାର ମଧ୍ୟ ଶୁଭ ଉଦ୍‌ଘା‌ଟନ କରିଥିଲେ ମୁଖ୍ୟମନ୍ତ୍ରୀ।

Advertisment

ଉଦ୍‌ଘାଟନୀ ଉତ୍ସବରେ ବାଲେଶ୍ୱର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସହ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ଏବଂ ଜିଲ୍ଲା ବରିଷ୍ଠ ପୁଲିସ ଅଧିକାରୀଗଣ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବା ପରେ ସହର ପୁଲିସ ହାଇସ୍କୁଲ ପଛପଟେ ଥିବା ଜିଲ୍ଲା ଗୁଇନ୍ଦା ସଂସ୍ଥା ଓ ବୈଦେଶିକ ପଞ୍ଜୀକରଣ କାର୍ଯ୍ୟାଳୟରେ ଖୋଲାଯାଇଥିବା ସାଇବର ଥାନାକୁ ଦୁଇ ବିିଧାୟକ, ଆଇଜି ଏବଂ ଏସ୍‌ପି ଫିତାକାଟି ପ୍ରବେଶ କରିଥିଲେ।

ସୂଚନାଥାଉକି, ଗତ କିଛିବର୍ଷ ମଧ୍ୟରେ ବାଲେଶ୍ୱରରେ ସାଇବର ଓ ଅର୍ଥନୈତିକ ଅପରାଧ କାର୍ଯ୍ୟକଳାପ ବଢ଼ିଥିବା ବେଳେ ବର୍ଷକୁ ଶହେରୁ ଅଧିକ ମାମଲା ଘଟୁଛି। ଏହି ଥାନା ପ୍ରତିଷ୍ଠା ହେବା ଦ୍ବାରା ଜିଲ୍ଲାବାସୀ ଉପକୃତ ହେବେ। ସାଇବର ଥାନା ପାଇଁ ସ୍ବତନ୍ତ୍ର ଭା‌େ‌ବ କିଛି ପୁଲିସ୍‌ଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଏହି ଥାନାରେ ଜଣେ ଇନ୍ସପେକ୍ଟର, ୨ ଜଣ ସବ୍‌ଇନ୍ସପେକ୍ଟର, ୨ ଜଣ ଆସିଷ୍ଟାଣ୍ଟ୍‌ ସବ୍‌ଇନ୍ସପେକ୍ଟର ଓ ୫ ଜଣ କନେଷ୍ଟବଳ ରହିବେ ବୋଲି ଏସ୍‌ପି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।