ଭୁବନେଶ୍ବର: ଖୁବ୍ ଶୀଘ୍ର ରାଜ୍ୟରେ ସାଇବର୍ କମାଣ୍ଡ୍ ସେଣ୍ଟର୍ ହେବ ଓ ୨୦ ସାଇବର୍ ଥାନା ଖୋଲିବ। ସାଇବର୍ ଅପରାଧର ମୁକାବିଲା ପାଇଁ ରେଞ୍ଜ ଓ ଜିଲ୍ଲାସ୍ତରରେ ପୁଲିସଙ୍କୁ ତାଲିମ ଦିଆଯିବ। ଆଜି କ୍ରାଇମ୍ବ୍ରାଞ୍ଚ୍ ପକ୍ଷରୁ ଭୁବନେଶ୍ୱର ସାଇବର୍ କମ୍ପ୍ଲେକ୍ସଠାରେ ‘ସାଇବର ଅପରାଧର ତଦନ୍ତ ଏବଂ ସାଇବର ବୁଦ୍ଧିମତ୍ତା’ ସମ୍ପର୍କିତ ଏକ କର୍ମଶାଳାକୁ ଉଦ୍ଘାଟନ କରି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଏଭଳି କହିଛନ୍ତି। ସାଇବର ଅପରାଧର ମୁକାବିଲା ପାଇଁ ଜ୍ଞାନ, ଦକ୍ଷତା ଓ ତଦନ୍ତ କୌଶଳକୁ ସଶକ୍ତ କରିବାର ଆବଶ୍ୟକତା ରହିଛି। ଏହାକୁ କାର୍ଯ୍ୟ କ୍ଷେତ୍ରରେ ଠିକ୍ ବିନିଯୋଗ କରିବାକୁ ନିୟମିତ ବ୍ୟବଧାନରେ କର୍ମଶାଳାର ଗୁରୁତ୍ବ ରହିଛି ବୋଲି ଡିଜି ଶ୍ରୀ ଖୁରାନିଆ କହିଛନ୍ତି। ୩ଦିନିଆ ଏହି କର୍ମଶାଳାରେ ପ୍ରତିଦିନ ୪ଟି ବ୍ୟାଚ୍ରେ ପୁଲିସ କର୍ମଚାରୀଙ୍କୁ ତାଲିମ ଦିଆଯିବ। ଯେଉଁଥିରେ ୧୪ ସାଇବର ଥାନାର କର୍ମଚାରୀ, ରାଜ୍ୟର ବିଭିନ୍ନ ଥାନାର କର୍ମଚାରୀଙ୍କୁ ମିଶାଇ ୨୦୦ରୁ ଅଧିକ ପୁଲିସ କର୍ମଚାରୀ ତାଲିମ ନେବେ। ଏହାଛଡ଼ା ଆଭାସି ମାଧ୍ୟମରେ ମଧ୍ୟ ପ୍ରତି ଜିଲ୍ଲାର ପୁଲିସ କର୍ମଚାରୀଙ୍କୁ ଯୋଡ଼ିବା ପାଇଁ ଯୋଜନା କରାଯାଇଛି। ୧୮ଟି ରାଜ୍ୟରେ ପୁଲିସଙ୍କୁ ତାଲିମ ଦେଉଥିବା ପ୍ରତିଷ୍ଠିତ ସାଇବର ବିଶେଷଜ୍ଞ ରକ୍ଷିତ ଟଣ୍ଡନ ସାଇବର ଅପରାଧର ପ୍ରତିଟି ଦିଗ ଉପରେ ସେମାନଙ୍କୁ ତାଲିମ ଦେବେ। ତେବେ କର୍ମଶାଳା କେବଳ ଭୁବନେଶ୍ବର, କଟକରେ ସୀମିତ ରହିବ ନାହିଁ। ଆଗାମୀ ଦିନରେ ରାଜ୍ୟର ସମସ୍ତ ରେଞ୍ଜ୍ ଓ ଜିଲ୍ଲାସ୍ତରରେ ‘ସାଇବର ଅପରାଧ ତଦନ୍ତ’ ସମ୍ପର୍କିତ କର୍ମଶାଳାର ଆୟୋଜନ କରାଯିବ। ଯେଉଁଥିରେ କନଷ୍ଟେବଳଠାରୁ ଆରମ୍ଭ କରି ସମସ୍ତ ବର୍ଗର ଅଧିକାରୀମାନେ ଅଂଶଗ୍ରହଣ କରିବେ। ଏହି କର୍ମଶାଳା ପୁଲିସ କର୍ମଚାରୀଙ୍କ ସାଇବର ଅପରାଧଜନିତ ତଦନ୍ତ ଦକ୍ଷତା ବୃଦ୍ଧିରେ ବିଶେଷ ସହାୟକ ହେବ ବୋଲି ଡିଜିପି ଶ୍ରୀ ଖୁରାନିଆ କହିଛନ୍ତି।
ସେହିପରି ଦିନକୁ ଦିନ ଅନ୍ଲାଇନରେ ପୁଞ୍ଜିନିବେଶ, ଆର୍ଥିକ ଠକେଇ, ସାଧାରଣ ଲୋକଙ୍କ ପରିଚୟ ଚୋରି, ଡିଜିଟାଲ ଗିରଫ, ଶିଶୁ ତଥା ବୟସ୍କ ବ୍ୟକ୍ତିଙ୍କୁ ଶୋଷଣ ଭଳି ସାଇବର ଅପରାଧ ବଢ଼ିବାରେ ଲାଗିଛି। ଏହାକୁ ମୁକାବିଲା କରିବା ପାଇଁ ଭିତ୍ତିଭୂମି ଓ ପ୍ରଯୁକ୍ତିବିଦ୍ୟାର ବିକାଶ କରାଯାଉଛି। ବର୍ତ୍ତମାନ ରାଜ୍ୟରେ ୧୪ ସାଇବର ଥାନା ଥିବା ବେଳେ ଆଗାମୀ ଦିନରେ ରାଜ୍ୟରେ ୨୦ ଟି ନୂତନ ସାଇବର ଅପରାଧ ଓ ଅର୍ଥନୈତିକ ଥାନା ଖୋଲିବାକୁ ଅନୁମୋଦନ ମିଳିଛି। ଏହାଛଡ଼ା ଭୁବନେଶ୍ୱରଠାରେ ଓଡିଶା ସାଇବର କମାଣ୍ଡ ସେଣ୍ଟର ପ୍ରତିଷ୍ଠା କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସାଇବର ଅପରାଧ ନିୟନ୍ତ୍ରଣ, ଚିହ୍ନଟ ଏବଂ ଅପରାଧର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ସହାୟତା ପ୍ରଦାନ ଭଳି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ଏହି ସେଣ୍ଟର୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ ବୋଲି ଡିଜିପି ଶ୍ରୀ ଖୁରାନିଆ କହିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଯୋଗଦେଇ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଆଇଜି ସଫିନ୍ ଅହମ୍ମଦ କର୍ମଶାଳା ଆୟୋଜନ କରିଥିବା ବେଳେ ଆଇଜି ସାର୍ଥକ ଷଡ଼ଙ୍ଗୀ ଏହାର ପରିଚାଳନା କରିଥିଲେ। ଡିଆଇଜି ( ଏସ୍ଟିଏଫ୍) ପିନାକ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏସିପି ଶିଶିର ମିଶ୍ର, ରିତେଶ ମହାପାତ୍ରଙ୍କ ସହଯୋଗ କରିଥିଲେ।