ଭୁବନେଶ୍ବର: ଦେଶର ବଡ଼ ବଡ଼ ପ୍ରତିଷ୍ଠାନର ସାଇବର ସୁରକ୍ଷାକୁ ନେଇ ଚିନ୍ତା ବଢୁଛି। କାରଣ ଶତ୍ରୁଦେଶ ନିର୍ଦ୍ଦେଶରେ ପରିଚାଳିତ ଅପରାଧୀ ତଥା ପେସାଗତ ହ୍ୟାକର୍‌ମାନେ ସାଇବର ଆକ୍ରମଣ ଜରିଆରେ ତଥ୍ୟ ଚୋରି କରିବା ସହିତ ବ୍ଲାକ୍‌ମେଲ୍‌ କରିବା ଘଟଣା ଅଧିକରୁ ଅଧିକ ଘଟି ଚାଲିଛି। ଏହାର ମୁକାବିଲା କରିବାଲାଗି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ବ୍ଲୁପ୍ରିଣ୍ଟ ତିଆରି କରା ଯାଇଛି। ସାଇବର ଆକ୍ରମଣକୁ ପ୍ରତିହତ କରିବାପାଇଁ ସାଇବର କମାଣ୍ଡୋ ତିଆରି କରିବା ଯୋଜନା ହୋଇଛି। ଏହି ଯୋଜନାରେ ପୁଲିସ ଓ ସେନା ବିଭାଗର ୩୪୬ ଜଣ ବଛାବଛା ଅଧିକାରୀଙ୍କୁ ସ୍ବତନ୍ତ୍ର ସାଇବର କମାଣ୍ଡୋ ପ୍ରଶିକ୍ଷଣ ‌ପ୍ରଦାନ କରାଯିବ। ସୂଚନାଯୋଗ୍ୟ ଯେ ଏଥିପାଇଁ ୨ ମାସ ତଳେ ସର୍ବଭାରତୀୟ ସ୍ତରରେ ଏକ ସ୍ବତନ୍ତ୍ର ପରୀକ୍ଷା କରା ଯାଇଥିଲା।

Advertisment

ସେଥିପାଇଁ ସାରା ଦେଶରୁ ‌ପୁଲିସ ଓ ସେନାରୁ ୭୪୭ ଜଣ ଅଫିସର ଆବେଦନ କରିଥିଲେ। ପରୀକ୍ଷା ଜରିଆରେ ସେମାନଙ୍କ ଭିତରୁ ସାଇବର କମାଣ୍ଡୋ ପ୍ରଶିକ୍ଷଣ ପାଇଁ ମୋଟ୍‌ ୩୪୬ ଜଣ ମନୋନୀତ ହୋଇଛନ୍ତି। ସେମାନଙ୍କ ଭିତରେ ଓଡ଼ିଶାରୁ ଅଛନ୍ତି ୭ ଜଣ। ଏହି ୭ ଜଣଙ୍କ ଭିତରେ ଭୁବନେଶ୍ବର କ୍ରାଇମବ୍ରାଞ୍ଚର ସାଇବର୍‌ ୟୁନିଟ୍‌ର ୫ ଜଣ ଥିବାବେଳେ କଟକ ୟୁନିଟ୍‌ର ୨ଜଣ ଅଫିସର ଅଛନ୍ତି। ଏମାନେ ସମସ୍ତେ ଏଏସ୍‌ଆଇରୁ ଇନ୍‌ସ୍ପେକ୍ଟର ରୢାଙ୍କ୍‌ର ଅଫିସର। ଏହି ସାଇବର କମାଣ୍ଡୋଙ୍କୁ ୬ମାସ ପ୍ରଶିକ୍ଷଣ ଦିଆଯିବ। ସେହି ଅବସରରେ ସେମାନେ ଦିଲ୍ଲୀ ଓ ଗୁଜୁରାଟରେ ଥିବା ଜାତୀୟ ସାଇବର ଫୋରେନସିକ୍‌ ଲାବ୍‌ରେ ପ୍ରଶିକ୍ଷଣ ପାଇବେ।