ସାଇବର କମ୍ପ୍ଲେକ୍ସ ଉଦ୍‌ଘାଟିତ : ଭୁବନେଶ୍ୱରରେ ଖୋଲିଲା ସାଇବର ଥାନା

ସୋସିଆଲ ମିଡିଆ ଅପରାଧ ନିୟନ୍ତ୍ରଣ କରିବ ସ୍ବତନ୍ତ୍ର ସେଲ୍‌, ପ୍ରଶିକ୍ଷଣ ନେବେ ଜୁଡିସିଆଲ ଅଫିସର

ଭୁବନେଶ୍ୱର : ସାଇବର ଅପରାଧରେ ଓଡ଼ିଶା ସମସ୍ତ ରାଜ୍ୟକୁ ପଛରେ ପକାଇ ଶୀର୍ଷରେ ରହିଛି। ଓଡ଼ିଶାରେ ଭୁବନେଶ୍ବର ସାଇବର ଅପରାଧରେ ଅନ୍ୟ ସମସ୍ତ ସହରଠାରୁ ଆଗରେ ରହିଛି। ଏ ସବୁକୁ ଆଖି ଆଗରେ ରଖି ଭୁବନେଶ୍ବରରେ ଉଦ୍‌ଘାଟିତ ହୋଇଛି ସାଇବର କମ୍ପ୍ଲେକ୍ସ। ପୁଲିସ ଡିଜି ଅଭୟ ଆଜି ସକାଳେ ଏହି କମ୍ପ୍ଲେକ୍ସକୁ ଉଦ୍‌ଘାଟିତ ‌କରିଛନ୍ତି। ଏହି କମ୍ପ୍ଲେକ୍ସରେ ଏକ ସାଇବର ଥାନା, ଟ୍ରେନିଂ ସେଣ୍ଟର ଓ ରାଜ୍ୟରେ ପ୍ରଥମ ଥର ପାଇଁ ‘ଇନ୍‌ ଫ୍ୟୁଚର ସୋସିଆଲ ମିଡିଆ ଆନାଲିସିସ୍‌’ ସେଲ୍‌ ରହିଛି। ସାଇବର ଅପରାଧ ସଂକ୍ରାନ୍ତୀୟ ଯାବତୀୟ ଅପରାଧର ବିଶ୍ଳେଷଣ କରାଯିବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜି ଶ୍ରୀ ଅଭୟ ଉଦ୍‌ଘାଟନ କରିବା ଅବସରରେ ସୂଚନା ଦେଇଛନ୍ତି। ଡିଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସଂପ୍ରତି ଘଟୁଥିବା ବିଭିନ୍ନ ସାଇବର ଅପରାଧ ଉପରେ ସୂଚନା ପ୍ରଦାନ କରିଛନ୍ତି।

୨୦୧୯ ମସିହାର ଏନ୍‌ସିଆରବି ରିପୋର୍ଟ ଅନୁସାରେ ଓଡ଼ିଶା ସାଇବର ଅପରାଧ‌ରେ ଶୀର୍ଷରେ ରହିଛି। ଓଡ଼ିଶାରେ ଭୁବନେଶ୍ବରର ଏହି ତାଲିକାର ଶୀର୍ଷରେ ରହିଥିବା ବେଳେ ରାଉରକେଲା ଓ କଟକ ଏହାର ପଛରେ ରହିଛନ୍ତି। ସୋସିଆଲ ମିଡିଆ ଜରିଆରେ ଅପରାଧ ବଢ଼ିବାରେ ଲାଗିଛି। ଏଭଳି ଅପରାଧର ତର୍ଜମା କରିବା ଉଦ୍ଦେଶ୍ୟରେ ରାଜ୍ୟରେ ପ୍ରଥମ ଥର ପାଇଁ ଇନ୍‌ ଫ୍ୟୁଚର ସୋସିଆଲ ମିଡିଆ ଆନାଲିସିସ୍‌ ସେଲ୍‌ ଖୋଲା ଯାଇଛି। ପୂର୍ବରୁ ସୋସିଆଲ ମିଡିଆ ଜରିଆରେ ହେଉଥିବା ଅପରାଧଗୁଡ଼ିକୁ ବିଶ୍ଳେଷଣ କରିବା ସମ୍ଭବ ହେଉନଥିଲା। ଫଳରେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇବା ପରେ ମଧ୍ୟ ଅପରାଧୀ ଅନାୟାସରେ ଘୂରି ବୁଲୁଥିଲା। ଏବେ ସୋସିଆଲ ମିଡିଆରେ ହେଉଥିବା ସମସ୍ତ ପ୍ରକାରର ଅପରାଧକୁ ଗୁରୁତ୍ବର ସହ ନେଇ ପୁଲିସ ବିଶ୍ଳେଷଣ କରିବ। ଏଥିରେ ସି୫ ସିଡିଆର ଆନାଲାଇଜର, ହାର୍ଡଡିସ୍କ ଇମେଜିଂ ଟୁଲ୍‌, ଲଜିକ୍ୟୁବ୍‌, ଫରେନ୍‌ସିକ୍‌ ଟୁଲ୍‌ କିଟ୍‌, ଭୋଲାଟାଇଲ ଡାଟା ଆନାଲାଇଜିଂ ଟୁଲ୍‌, ମୋବାଇଲ ଫରେନ୍‌ସିକ୍‌ ଆନାଲାଇଜର, ଡିଭିଆର ଆନାଲାଇଜର, ସେଲ୍‌ ଆଇଡି ଏକ୍ଟ୍ରାକ୍ଟର ପ୍ରଭୃତି ରହିଛି।

ଅଧିକାଂଶ ସାଇବର ଅପରାଧ ମାମଲାରେ ଦଣ୍ଡ ହାର ନଗଣ୍ୟ ରହିଛି। ପ୍ରମାଣ ଅଭାବରୁ ଅଧିକାଂଶ ମାମଲାରେ ଅଭିଯୁକ୍ତ ଖସି ଯାଉଥିବା ପ୍ରମାଣ ରହିଛି। ଏଥିପାଇଁ ସାଇବର ଅପରାଧ ମାମଲାରେ ତଦନ୍ତକାରୀ ଅଧିକାରୀଙ୍କ ସହ ଲଢ଼ୁଥିବା ଓକିଲ ଓ ଜୁଡିସିଆଲ ଅଫିସରମାନଙ୍କୁ ପ୍ରଶିକ୍ଷଣ ଦେବା ଜରୁରୀ ହୋଇଛି। ଏଠାରେ କାର୍ଯ୍ୟକ୍ଷମ ଲ୍ୟାବ୍‌ କମ୍‌ ଟ୍ରେନିଂ ସେଣ୍ଟର ଏହି ଦାୟିତ୍ବ ବହନ କରିବ। ରାଜ୍ୟର ସମସ୍ତ ଥାନାରୁ ଅଫିସରମାନଙ୍କୁ ବାଛି ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ ଯୋଜନା ରହିଛି। ୨୦୨୨ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଥାନାରୁ ଅଫିସରଙ୍କୁ ପ୍ରଶିକ୍ଷଣ ଦେବାପାଇଁ ସ୍ଥିର କରାଯାଇଛି। ଆସନ୍ତାକାଲି ଠାରୁ ହାଇଦ୍ରାବାଦ୍‌ର ଏନ୍‌ଡିସିଆରଟିସି ଟ୍ରେନିଂ ଉଇଙ୍ଗ୍‌ ଓ ଏନ୍‌ପିଏରୁ ଅଧିକାରୀମାନେ ଆସି ପ୍ରଶିକ୍ଷଣ ଦେ‌ବେ। ୫ ଦିନ ପର୍ଯ୍ୟନ୍ତ ସେମାନେ ବିଭିନ୍ନ ଜିଲ୍ଲାସ୍ତରୀୟ ଅଫିସରଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବେ। ପରବର୍ତ୍ତୀ ପର୍ଯ୍ୟାୟରେ ସାଇବର କ୍ରାଇମ୍‌ ତଦନ୍ତ ସମ୍ବନ୍ଧରେ ୧୦ ଦିନ ଧରି ପ୍ରଶିକ୍ଷଣ ପ୍ରଦାନ କରାଯିବ।

ଏହି ସାଇବର ଥାନା ସମଗ୍ର ରାଜ୍ୟ ପାଇଁ କାମ କରିବ। ସାଇବର ଅପରାଧ ସଂକ୍ରାନ୍ତୀୟ ସମସ୍ତ ଅପରାଧକୁ ନେଇ ରାଜ୍ୟର ଯେ କୌଣସି ଜାଗାରୁ ଅଭିଯୋଗ ଗ୍ରହଣ କରାଯିବ। ତା’ ଛଡ଼ା ଲୋକମାନେ ସାଇବର ଅପରାଧ ସଂକ୍ରାନ୍ତୀୟ ଅଭିଯୋଗ ନେଇ ଦୂରକୁ ଆସିବେ ନାହିଁ, ବରଂ ସମ୍ପୃକ୍ତ ଥାନାରେ ଅଭିଯୋଗ କରିପାରିବେ।

ସାଇବର ଅପରାଧରେ ଅଧିକ ଏଫ୍‌ଆଇଆର ରୁଜୁ ପାଇଁ କେନ୍ଦ୍ରର ପରାମର୍ଶ
ନୂଆଦିଲ୍ଲୀ : ସାଇବର ଅପରାଧ ମାମଲାରେ ଅଧିକ ସଂଖ୍ୟକ ଏଫ୍‌ଆଇଆର ରୁଜୁ କରାଯାଉ। ଏହି ମର୍ମରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ଓଡ଼ିଶା ସମେତ ରାଜ୍ୟମାନଙ୍କୁ ପତ୍ର ଲେଖିଛନ୍ତି। ପତ୍ରରେ, ଜାତୀୟ ସାଇବର କ୍ରାଇମ୍ ପୋର୍ଟାଲ୍‌ରେ ଆସୁଥିବା ଅଭିଯୋଗର ଯାଞ୍ଚ ପରେ ଫ୍‌ଆଇଆର ରୁଜୁ କରିବା ପାଇଁ ପରାମର୍ଶ ଦିଆଯାଇଛି।

ଦେଶରେ ସାଇବର ଅପରାଧ ଦ୍ରୁତ ବେଗରେ ବଢୁଥିବାରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଏଭଳି ତତ୍ପରତା ପ୍ରକାଶ ପାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶାରେ ମଧ୍ୟ ସାଇବର ଅପରାଧ ୨୦୧୮ ମସିହା ତୁଳନାରେ ୨୦୧୯ ମସିହାରେ ୭୬ ପ୍ରତିଶତ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର