ସମ୍ବଲପୁର : ସମ୍ବଲପୁର କ୍ଷେତରାଜପୁର ଥାନା ଅଞ୍ଚଳର ଜଣେ ଯୁବତୀ ବୁଧବାର ସାଇବର୍‌ ଲୁଟ୍‌ର ଶିକାର ହୋଇଛନ୍ତି। ସେ ଜଣେ ମେହେନ୍ଦି ଡିଜାଇନର୍‌। ମୁମ୍ବାଇରୁ ଅନ୍‌ଲାଇନ୍‌ରେ ମେହେନ୍ଦି ଅର୍ଡର କରିଥିଲେ। ଅର୍ଡର ଦେଇଥିବା ମେହେନ୍ଦି ଠିକ୍‌ ସମୟରେ ପହଞ୍ଚି ନଥିଲା। ଅର୍ଡର ଦେଇଥିବା ସଂସ୍ଥା ସହ ଯୋଗାଯୋଗ କରିବାକୁ ଅନ୍‌ଲାଇନ୍‌ରେ ସର୍ଚ୍ଚ କରିଥିଲେ। ଏହାପରେ ତାଙ୍କୁ ସାଇବର୍‌ ଲୁଟେରା ଜଣକ ଡେଲିଭରି ସଂସ୍ଥାର ପରିଚୟ ଦେଇ କଲ୍‌ କରିଥିଲା। ଆପଣଙ୍କ ପାଖକୁ ଏକ ଓଟିପି ଯିବ ତାକୁ ଦେଲାପରେ ଆପଣଙ୍କ ଅର୍ଡର ଆପଣଙ୍କ ପାଖକୁ ପହଞ୍ଚିଯିବ ବୋଲି ସାଇବର୍‌ ଲୁଟେରା ଜଣକ ଯୁବତୀଙ୍କୁ କହିଥିଲା। ଏହାପରେ ଓଟିପି ପଠାଇଥିଲା। କନ୍‌ଫର୍ମ ହୋଇପାରୁ ନାହିଁ କହି ଯୁବତୀଙ୍କ ଠାରୁ ମୋଟ ଉପରେ ୮ ଥର ଓଟିପି ନେଇଥିଲା। ତେବେ ଯୁବତୀ ଜଣକ ଘଟଣା ବିଷୟରେ ବୁଝିବା ଆଗରୁ ତାଙ୍କ ଆକାଉଣ୍ଟରୁ ୭୯,୯୯୯ ଟଙ୍କା କଟି ସାରିଥିଲା। ସାଇବର୍‌ ଲୁଟେରା ଜଣକ ୭ ଥର ତାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଆକାଉଣ୍ଟରୁ ଏବଂ ଥରେ ତାଙ୍କ ସେଣ୍ଟ୍ରାଲ୍‌ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ନେଇଥିଲା। ଏହାପରେ ଲୁଟେରା ଜଣକ କଲ୍‌ କାଟିଦେଇଥିଲା। ତାପରେ ଯୁବତୀ ଜଣକ ଉକ୍ତ ନମ୍ବରରେ କଲ୍‌ ଲଗାଇବାରୁ ତାହା ଲାଗିନଥିଲା। ଠକେଇର ଶିକାର ହୋଇଥିବା ଜାଣିବା ପରେ ଯୁବତୀ ଜଣକ ବୁଧବାର କ୍ଷେତରାଜପୁର ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଥିଲେ। ଯୁବତୀଙ୍କ ଅଭିଯୋଗ ପରେ କ୍ଷେତରାଜପୁର ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଗୋଲ୍‌ଡେନ୍‌ ଆଓ୍ୱାରର ଗୁରୁତ୍ବ
ସାଇବର୍‌ ଲୁଟ୍‌ ହେବାର ପରବର୍ତ୍ତୀ ଏକ ଘଣ୍ଟାକୁ ଗୋଲ୍‌ଡେନ୍‌ ଆଓ୍ୱାର କୁହାଯାଉଛି। ଏହି ଗୋଲ୍‌ଡେନ୍‌ ଆଵାର୍‌ ମଧ୍ୟରେ ଯଦି ଅଭିଯୋଗ କରାଯାଉଛି, ତେବେ ପୁଲିସ ପାଇଁ ଅଭିଯୁକ୍ତକୁ ଧରିବା ପାଇଁ ତାହା ବେଶ୍‌ ଫଳପ୍ରଦ ସାବ୍ୟସ୍ତ ହୋଇଥାଏ। ଏହା ସହିତ ଟଙ୍କା ଫେରିବାର ସମ୍ଭାବନା ମଧ୍ୟ ଅଧିକ ଥାଏ। ତେଣୁ ଯଦି କେହି ସାଇବର୍‌ ଲୁଟ୍‌ର ଶିକାର ହେଉଛନ୍ତି ତୁରନ୍ତ ଅଭିଯୋଗ କରିବା ଆବଶ୍ୟକ ବୋଲି ସାଇବର୍‌ ବିଶେଷଜ୍ଞ ମତ ଦେଇଛନ୍ତି।