ମୋବାଇଲ୍ ହ୍ୟାକର୍ ମାଗୁଛି ୨୦କୋଟି
ଭୟଭୀତ ପରିବାରବର୍ଗ, ସାଇବର୍ ଥାନାରେ ଅଭିଯୋଗ
ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଏକ ଚାଞ୍ଚଲ୍ୟକର ସାଇବର୍ ଅପରାଧ ଘଟଣା ନଜରକୁ ଆସିଛି। ଜଣେ ଯୁବକଙ୍କ ମୋବାଇଲ୍ ନମ୍ବର ହ୍ୟାକ୍ କରି ତାଙ୍କ ପରିବାରବର୍ଗଙ୍କୁ ହ୍ୟାକର୍ ୨୦କୋଟି ଟଙ୍କା ଦାବି କରୁଛି। ଘଟଣା ସମ୍ପର୍କରେ କାହାକୁ କିଛି କହିଲେ କିମ୍ବା ପୁଲିସରେ ଅଭିଯୋଗ କଲେ ପରିସ୍ଥିତି ଖରାପ୍ ହେବ ବୋଲି ହ୍ୟାକର୍ ମେସେଜ୍ ଜରିଆରେ ଚେତାବନୀ ଦେଇଛି। ଟଙ୍କା ନଦେଲେ ପରିବାର ସଦସ୍ୟଙ୍କୁ ଜୀବନରେ ମାରି ଦେବାକୁ ଧମକ୍ ଦେଇଛି। ଏଭଳି ମେସେଜ୍ ପାଇବା ପରେ ଯୁବକଙ୍କ ପରିବାରବର୍ଗ ଭୟଭୀତ ହୋଇ ରହିଛନ୍ତି। ଏ ନେଇ ସାଇବର୍ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।
ବ୍ରହ୍ମପୁର ସହରର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ରହୁଥିବା ଜଣେ ଯୁବକଙ୍କ ମୋବାଇଲ୍ ନମ୍ବର ହ୍ୟାକ୍ ହୋଇଥିବା ନେଇ ତାଙ୍କୁ ଗତକାଲି ସଂଧ୍ୟାରେ ମେସେଜ୍ ଆସିଥିଲା। ଏହାପରେ ଏଟିଏମ୍ ମଧ୍ୟ ହ୍ୟାକ୍ ହୋଇଥିବା ନେଇ ମେସେଜ୍ ଆସିଥିଲା। ଯୁବକଙ୍କ ଦୁଇଟି ନମ୍ବର ମଧ୍ୟରୁ ଗୋଟିଏ ନମ୍ବର ହ୍ୟାକ୍ ହୋଇ ସେହି ନମ୍ବରରୁ ଏଭଳି ମେସେଜ୍ ଆସିଥିଲା। କିଛି ସମୟ ପରେ ପୁଣି ଏକ ମେସେଜ୍ ଆସିଥିଲା। ଲେଖା ଥିଲା, ‘ତୁମର ମୋବାଇଲ୍ ନମ୍ବର୍ ହ୍ୟାକ୍ ହୋଇଛି। ମୁଁ ଜଣେ ହ୍ୟାକର୍, ମୁଁ ତୁମର ସମସ୍ତ ତଥ୍ୟ ହ୍ୟାକ୍ କରିଛି। ଚାହିଁଲେ ତମର ଆକାଉଣ୍ଟ୍ରୁ ଟଙ୍କା ଉଠାଇ ପାରିବି’ ବୋଲି ମେସେଜ୍ରେ ଉଲ୍ଲେଖ ରହିଥିଲା। ଫେବ୍ରୁଆରି ଶେଷ ସୁଦ୍ଧା ୨୦କୋଟି ଦେବାକୁ ହ୍ୟାକର୍ ମେସେଜ୍ ଦେଇଛି। ଏପରିକି ଘଟଣା ସମ୍ପର୍କରେ କାହାକୁ କିଛି କହିଲେ ବୋମା ପକାଇ ପରିବାର ସଦସ୍ୟଙ୍କୁ ଉଡ଼ାଇ ଦେବାକୁ ଧମକ୍ ଦେଇଛି। ମେସେଜ୍ ପାଇବା ପରେ ଯୁବକଙ୍କ ପରିବାରବର୍ଗ ଭୟଭୀତ ହୋଇ ଘଟଣା ସମ୍ପର୍କରେ ପ୍ରଥମେ ତାଙ୍କ ସମ୍ପର୍କୀୟଙ୍କୁ ଜଣାଇଥିଲେ। ପରେ ଯୁବକଙ୍କ ପରିବାରବର୍ଗ ସାଇବର୍ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଏ ସମ୍ପର୍କରେ ସାଇବର୍ ଥାନା ଅଧିକାରୀ ଅବିନାଶ ରେଡ୍ଡିଙ୍କୁ ପଚାରିବାରୁ ମୋବାଇଲ୍କୁ ଆସିଥିବା ମେସେଜ୍କୁ ଆଧାର କରି ତଦନ୍ତ ଚାଲିଛି। ମୋବାଇଲ୍ରେ କୌଣସି ଅଜଣା ଲିଙ୍କ୍ ଡାଉନ୍ଲୋଡ୍ କରି ଦେବାରୁ ଏଭଳି ମେସେଜ୍ ଆସୁଥିବା ଅନୁମାନ କରାଯାଉଛି। ତଦନ୍ତ ସରିବା ପରେ ପ୍ରକୃତ କଥା ଜଣାପଡ଼ିବ ବୋଲି ସେ କହିଛନ୍ତି।
ବ୍ୟବସାୟୀ ହରାଇଲେ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା
ବାରିପଦା : ସୋସିଆଲ୍ ମିଡିଆରୁ ଏକ ନାମିଦାମୀ ବ୍ରାଣ୍ଡ ଜୋତା କଂପାନିର ବିଜ୍ଞାପନ ଦେଖି ଠକିଯାଇଛନ୍ତି ବାରିପଦାର ଯୁବ ବ୍ୟବସାୟୀ ବିକାଶ କୁମାର ସାହା। କଂପାନିର ଫ୍ରାଞ୍ଚାଇଜ୍ ନେବା ପାଇଁ ଆକାଉଣ୍ଟରେ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜମା କରିବା ପରେ ଏବେ ସେ କଂପାନିର ପତ୍ତା ମିଳୁନି। ଏହା ଏକ ଜାଲ୍ ସଂସ୍ଥା ବୋଲି ଜାଣିବା ପରେ ବିକାଶଙ୍କ ମୁଣ୍ଡରେ ବଜ୍ର ପଡ଼ିଛି।
ବାରିପଦା ସାଇବର ଥାନାରେ ବିକାଶ କରିଥିବା ଅଭିଯୋଗ ମୁତାବକ, ଫେସ୍ବୁକ୍ରେ ଶ୍ରୀଲେଦର୍ ଜୋତା କମ୍ପାନିର ବିଜ୍ଞାପନ ଦେଖିବା ପରେ ସେ ଉକ୍ତ କଂପାନିର ଫ୍ରାଞ୍ଚାଇଜ୍ ନେବାକୁ ଆଗ୍ରହ ପ୍ରକାଶ କରିଥିଲେ। ଏଥିପାଇଁ ଫେସ୍ବୁକ୍ରେ ଥିବା ଲିଙ୍କ୍ ଓ ନମ୍ବରରେ ଯୋଗାଯୋଗ କରିବାରୁ ଅନ୍ଲାଇନ୍ ଆବେଦନ ପାଇଁ ୨୫ ହଜାର ୯୬୦ ଟଙ୍କା, ବ୍ୟାବସାୟିକ ବୁଝାମଣା ଚୁକ୍ତି ବାବଦରେ ୧ ଲକ୍ଷ ୨୫ ହଜାର ୮୦୦ ଟଙ୍କା, ସ୍ଥାନ ଓ ଭିତ୍ତିଭୂମି ପାଇଁ ୧ ଲକ୍ଷ ୩୭ ହଜାର ୮୦୦ ଟଙ୍କା, ପ୍ରଥମ ପର୍ଯ୍ୟାୟ ଜୋତା ପାଇଁ ୫ ଲକ୍ଷ ଓ ସୋ ରୁମ୍ରେ କମ୍ପ୍ୟୁଟର ଓ ଆସବାବପତ୍ର ପାଇଁ ୨ ଲକ୍ଷ ୫୫ ହଜାର ୮୦୦ ଟଙ୍କା ଜମା କରିବାକୁ କୁହାଯାଇଥିଲା। ତଦନୁଯାୟୀ ବିକାଶ ଗତ ଅଗଷ୍ଟରୁ ସେପ୍ଟେମ୍ବର ମାସ ମଧ୍ୟରେ ପର୍ଯ୍ୟାୟକ୍ରମେ ଏହି ସବୁ ଟଙ୍କାକୁ ନିଜ ବ୍ୟାଙ୍କ ଆକାଉଣ୍ଟ, ଭାଇଙ୍କ ଆକାଉଣ୍ଟ ଓ ପତ୍ନୀଙ୍କ ଆକାଉଣ୍ଟରୁ ଉକ୍ତ କଂପାନିର ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଓ ଉଦ୍ଜୀବନ ବ୍ୟାଙ୍କ ଆକାଉଣ୍ଟରେ ଜମା କରିଥିଲେ। ତେବେ ଟଙ୍କା ପୈଠ କରିବାର ୨ ମାସ ଯାଏ କଂପାନି ପକ୍ଷରୁ କୌଣସି ଯୋଗାଯୋଗ ନହେବାରୁ ସେ କଲିକତାସ୍ଥିତ ଶ୍ରୀଲେଦର୍ କଂପାନିର ମୁଖ୍ୟାୟକୁ ଯାଇ ଯୋଗାଯୋଗ କରିବାରୁ ଏହି ସବୁ ବ୍ୟାଙ୍କ ଆକାଉଣ୍ଟ ଓ ଠିକଣା ଜାଲ୍ ବୋଲି ଜାଣିବାକୁ ପାଇଥିଲେ।
ବାରିପଦାରେ ସାଇବର ଥାନା ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।
/sambad/media/post_attachments/wp-content/uploads/2021/11/cybercrime.jpg)
ଜାଲ୍ ପେମେଣ୍ଟ ସ୍କ୍ରିନ୍ ସଟ୍ ଦେଖାଇ ସାମଗ୍ରୀ ଲୁଟୁଛନ୍ତି ଠକ
ଭୁବନେଶ୍ବର : ଚା’ ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ୍, ରେଷ୍ଟୁରାଣ୍ଟ, ହୋଟେଲ ସବୁଠି ଫୋନ୍ ପେ, ଗୁଗୁଲ୍ ପେ ଭଳି ଅନଲାଇନ୍ କାରବାର ଚାଲିଛି। ମାତ୍ର ୧୦ ଟଙ୍କାର କାରବାରରେ ବି ଅନଲାଇନ୍ ପେମେଣ୍ଟ କରା ଯାଉଥିବା ନଜରକୁ ଆସିଛି। କିନ୍ତୁ ଏହି ଅନଲାଇନ୍ ପେମେଣ୍ଟ କେତେକ ଦୋକାନୀଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଛି। କେତେକ ଯୁବକ ଯୁବତୀ ସ୍ବତନ୍ତ୍ର ସଫ୍ଟୱେର ମାଧ୍ୟମରେ ଜାଲ୍ ପେମେଣ୍ଟର ସ୍କ୍ରିନ୍ ସଟ୍ ତିଆରି କରି ଦୋକାନରୁ ସାମଗ୍ରୀ ଲୁଟି ନେଇ ଫେରାର ହୋଇଯାଉଛନ୍ତି। ଭୁବନେଶ୍ବରରେ ମଧ୍ୟ ପୂର୍ବରୁ ଏଭଳି ଘଟଣା ଘଟିଛି। ଏକ ଜୁଏଲାରିରୁ ଲକ୍ଷେ ଟଙ୍କାର ଅଳଙ୍କାର ଲୁଟ୍ ଅଭିଯୋଗରେ ଭୁବନେଶ୍ବର ପୁଲିସ କୋଲକାତାରୁ ଏମବିଏ ଛାତ୍ର ପ୍ରଭାସ ଗୁପ୍ତାକୁ ଗିରଫ କରିଥିଲା। କେବଳ ଭୁବନେଶ୍ବର ନୁହେଁ ଏକାଧିକ ସ୍ଥାନରୁ ସେ ଠକିଥିବା ଜଣାପଡ଼ିଥିଲା। ଏଭଳି ଏକାଧିକ ଠକେଇ ଘଟଣା ଏବେ ସାମ୍ନାକୁ ଆସୁଛି।
କେମିତି ହେଉଛି ଠକେଇ?
ଅନ୍ଲାଇନରେ ଉପଲବ୍ଧ କିଛି ନିର୍ଦ୍ଦିଷ୍ଟ ଏପିକେ ଫାଇଲ ଲିଙ୍କ୍ ଡାଉନଲୋଡ୍ କରି ଯୁବକ ଯୁବତୀମାନେ ଜାଲ୍ ପେମେଣ୍ଟ ସ୍କ୍ରିନ୍ ସଟ୍ ତିଆରି କରୁଛନ୍ତି। ସେଥିରେ ଦୋକାନ ଆକାଉଣ୍ଟଧାରୀଙ୍କ ନାଁ, ସାମଗ୍ରୀ କିଣା ବାବଦରେ ଟଙ୍କା, ୟୁପିଆଇ କାରବାର ସହ ସଂଯୋଗ ଥିବା ମୋବାଇଲ ଫୋନ୍ ନମ୍ବର, ପେମେଣ୍ଟର ସମୟ, ୟୁପିଆଇ ଆଡ୍ରେସ୍, ଆଇଡି ଆଦି ଟାଇପ୍ କରି ସବମିଟ୍(ଦାଖଲ) ବଟନ୍ ଟିପିବା ପରେ ପେମେଣ୍ଟ ହୋଇ ଯାଉଥିବା ଦେଖାଉଛି। ଏହାକୁ ଦୋକାନୀଙ୍କୁ ଦେଖାଇ ସେମାନେ ସାମଗ୍ରୀ ଠକିବା ସହ ଖସି ଯାଉଛନ୍ତି। ଯଦି କେହି ଦୋକାନୀ ଟଙ୍କା ଆସି ନ ଥିବାର ପ୍ରଶ୍ନ ଉଠାଉଛି ତାହେଲେ ବ୍ୟାଙ୍କର ନେଟଓ୍ଵର୍କରେ ଅସୁବିଧା ଥିବା ଠକମାନେ କହୁଛନ୍ତି।
ଠକେଇରୁ କେମିତି ରକ୍ଷା ପାଇବେ?
ସାଇବର ବିଶେଷଜ୍ଞଙ୍କ ମତରେ ଯେଉଁ ଗ୍ରାହକ ପେମେଣ୍ଟ କରିବା ପୂର୍ବରୁ ଦୋକାନୀଙ୍କର ସବିଶେଷ ତଥ୍ୟ ପଚାରୁଛି ତାହା ଦିଅନ୍ତୁ ନାହିଁ। କାରଣ ଯେଉଁମାନେ ସ୍କାନିଂ କରି ପେମେଣ୍ଟ କରିବେ ସେମାନଙ୍କ ମୋବାଇଲରେ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ନାଁ ଆପେ ଆପେ ଚାଲି ଆସିବ। ଯେଉଁମାନେ ପେମେଣ୍ଟର ସ୍କ୍ରିନ୍ ସଟ୍ ଦେଖାଉଛନ୍ତି ଦୋକାନୀମାନେ ନିଜ ମୋବାଇଲର ଏସଏମଏସ୍ ଏବଂ ତଥ୍ୟକୁ ଭଲ ଭାବେ ଯାଞ୍ଚ କରିବା ଦରକାର। ଯଦି ପେମେଣ୍ଟ ଆସୁ ନାହିଁ ତାହେଲେ ଠକ ବେଶରେ ଆସୁଥିବା ଗ୍ରାହକଙ୍କୁ ସାମଗ୍ରୀ ଦିଅନ୍ତୁ ନାହିଁ। ସନ୍ଦେହ ହେଲେ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ଜରିଆରେ ବ୍ୟାଙ୍କ କାରବାରର ତଥ୍ୟ ମଧ୍ୟ ଯାଞ୍ଚ କରିପାରିବେ।