ସାଇବର୍ ଅପରାଧୀଙ୍କ କାରନାମା: ସାଂସଦ ଅନୁଭବ ବି ଫସିଛନ୍ତି

ଓମ୍ ବିର୍ଲାଙ୍କ ନାଁରେ ଖୋଲା ଯାଇଛି ୩ ନକଲି ଆକାଉଣ୍ଟ
ଫେସ୍‌ବୁକକୁ କ୍ରାଇମବ୍ରାଞ୍ଚର ଚିଠି; ଜିଓର ଦୁଇ କର୍ମଚାରୀଙ୍କୁ ଜେରା

କଟକ/ଢେଙ୍କାନାଳ : ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନାଁରେ ଗୋଟିଏ ନୁହେଁ, ତିନୋଟି ନକଲି ହ୍ବାଟ୍‌ସଆପ୍ ଆକାଉଣ୍ଟ ଖୋଲିଛନ୍ତି ନାଇଜେରିଆନ୍ ସାଇବର୍ ଅପରାଧୀ ଗ୍ୟାଙ୍ଗ୍। ଏହି ତିନୋଟି ଆକାଉଣ୍ଟ ଖୋଲାଯାଇଥିବା ମୋବାଇଲ୍ ନମ୍ବର ୭୮୬୨୦୯୨୦୦୮, ୯୪୮୦୯୧୮୧୮୩ ଏବଂ ୯୪୩୯୦୭୩୮୭୦ କ୍ରାଇମବ୍ରାଞ୍ଚ ଠାବ କରିଛି। ୯୪୮୦…ନମ୍ବରରୁ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ସହିତ ଓମ୍ ବିର୍ଲାଙ୍କ ନକଲି ଆକାଉଣ୍ଟରେ ସାଇବର୍ ଅପରାଧୀ ଚାଟିଂ କରିଥିବା ଭଳି ଚାଞ୍ଚଲ୍ୟକର ତଥ୍ୟ ଗୁରୁବାର କ୍ରାଇମବ୍ରାଞ୍ଚ ହସ୍ତଗତ କରିଛି।

ସୂଚନା ଅନୁସାରେ, ଓମ୍ ବିର୍ଲାଙ୍କ ଫଟୋ ଥିବା ଏକ ନକଲି ହ୍ବାଟ୍‌ସଆପ୍ ଆକାଉଣ୍ଟରୁ ଅନୁଭବଙ୍କ ମୋବାଇଲକୁ ମେସେଜ୍ ଆସିଥିଲା। ଏଥିରେ ମେସେଜ କରିଥିବା ସାଇବର୍ ଅପରାଧୀ ନିଜକୁ ଓମ୍ ବିର୍ଲା ବୋଲି ପରିଚୟ ଦେଇଛି। ସେ ଲେଖିଛି ଯେ ‘ହେଲୋ ଅନୁଭବ! ହାଓ ଆର୍ ୟୁ? ହ୍ବେଆର ଆର୍‌ ୟୁ ଆଟ୍‌ ଦ ମୋମେଣ୍ଟ?’ ଏଭଳି ନକଲି ହ୍ବାଟସଆପ୍ କେଳେଙ୍କାରୀ ଏବେ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। କେଉଁ ସାଂସଦ ସାଇବର୍ ଅପରାଧୀଙ୍କୁ ଟଙ୍କା ଦେଇଛନ୍ତି, ସେ ନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ ଆରମ୍ଭ କରିଦେଇଛି।

ଅନ୍ୟପକ୍ଷରେ, ଢେଙ୍କାନାଳ ତାଳବରକୋଟ ଗାଁର ବିଏସଏନଏଲ୍ ଡିଲର୍ ଥିବା ପ୍ରକାଶ ଦାସ ଓ ସହକର୍ମୀ ଅବିନାଶ ନାୟକ ନାଇଜେରିଆନ୍ ଏଜେଣ୍ଟ ଦୁଷ୍ମନ୍ତ ସାହୁକୁ ୬ ହଜାର ୮୧୪ ବିଏସଏନଏଲ୍ ସିମ୍ ବିକ୍ରି କରିଥିବା ବେଳେ ୩ ହଜାର ୧୭ଟି ଜିଓ ସିମ୍ ଯୋଗାଇଥିବା ଢେଙ୍କାନାଳ ମୋଟାଙ୍ଗ ଉପରପାଳର ଜିଓ ଡିଷ୍ଟ୍ରିବ୍ୟୁଟର ଅମିତାଭ ସାହୁ(୩୮) ଏବଂ କାମାକ୍ଷାନଗର ଆଳୁଆଝରଣା ଛକର ଜିଓ ସେଲର୍ ଦୋଳଗୋବିନ୍ଦ ପରିଡ଼ା(୨୧)କୁ କ୍ରାଇମବ୍ରାଞ୍ଚ ଗୁରୁବାର ଉଠାଇ ଆଣିଛି। ସେମାନଙ୍କୁ କ୍ରାଇମବ୍ରାଞ୍ଚ ଅଟକ ରଖି ଜେରା କରୁଛି। ଦୁଷ୍ମନ୍ତକୁ ୯ ହଜାର ୬୮୫ ଭୋଡାଫୋନ, ୨୫ଟି ଏୟାରସେଲ୍ , ୯୦ଟି ଏୟାରଟେଲ୍, ୧୦ଟି ଟାଟା ସିମ୍ ଯୋଗାଇଥିବା ସମ୍ପୃକ୍ତ ସଂସ୍ଥାର କର୍ମଚାରୀଙ୍କୁ ଖୋଜୁଛି କ୍ରାଇମବ୍ରାଞ୍ଚ। ସେମାନଙ୍କୁ ଗିରଫ କରିବାକୁ କ୍ରାଇମବ୍ରାଞ୍ଚର ଏକ ଟିମ୍ ଢେଙ୍କାନାଳରେ ଡେରା ପକାଇଛି। ଶୁକ୍ରବାର ଓ ଶନିବାର ବିଏସଏନଏଲ୍, ଜିଓ, ଏୟାରଟେଲ୍, ଭୋଡାଫୋନର ଓଡ଼ିଶା ଦାୟିତ୍ବରେ ଥିବା ବରିଷ୍ଠ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ନୋଟିସରେ ଦର୍ଶାଯାଇଛି। ଦୁଇ ଦିନ ଧରି ସେମାନଙ୍କୁ ପଚରାଉଚରା କରାଯିବ।

ଏହାସହିତ ଫେସବୁକର ସହାୟତା ଲୋଡ଼ିଛି କ୍ରାଇମବ୍ରାଞ୍ଚ। ନାଇଜେରିଆନ୍ ସାଇବର୍ ଅପରାଧୀଙ୍କ ‘ବାୟର୍ ସେଲର୍ ଅଫ୍ ଓଟିପି ଗ୍ରୁପ୍‌’ରେ ଥିବା ସଦସ୍ୟ କେଉଁଠାରେ ରହି ଅପରେଟ୍ କରୁଛନ୍ତି, ସେମାନଙ୍କ ଆଇପି ଆଡ୍ରେସ୍ ସଂକ୍ରାନ୍ତ ତଥ୍ୟ ଫେସବୁକକୁ କ୍ରାଇମବ୍ରାଞ୍ଚ ମାଗିଛି। ଏହି ତଥ୍ୟ ଆସିଲେ ଦୁଷ୍ମନ୍ତଙ୍କ ଭଳି ଅନ୍ୟ ବିକ୍ରେତାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିବାକୁ ଯୋଜନା କରୁଛି।

ଅନ୍ୟପଟେ ୨୩ ବର୍ଷୀୟ ଦୁଷ୍ମନ୍ତର ଶିକ୍ଷାଗତ ଯୋଗ୍ୟତା ବିଏସସି ହୋଇଥିବା ବେଳେ ସେ ପୂର୍ବରୁ ପିଜିଡିସିଏ ସହିତ ଡିଜିଟାଲ୍ ମାର୍କେଟିଂ ଇଣ୍ଟରନସିପ୍ କରିଛି। ଦୁଷ୍ମନ୍ତ ଏବେ ଢେଙ୍କାନାଳ ସଦର ଅଞ୍ଚଳରେ ବିଏସଏନଏଲ୍ ଡିଲର୍ ଭାବେ କାମ କରୁଥିବା ବେଳେ ଏହା ପୂର୍ବରୁ ଏୟାରସେଲ ଓ ବିଏସଏନଏଲର ମାର୍କେଟିଂ ଏଜେଣ୍ଟ ଭାବେ କାମ କରୁଥିଲା। ଏବେ ବିଏସଏନଏଲ୍ ଡିଲର୍ ଥିବା ଦୁଷ୍ମନ୍ତ ନାଇଜେରିଆନ୍ ସାଇବର୍ ଅପରାଧୀଙ୍କ ସହିତ ମିଶି ଅପରାଧ ଘଟାଉଥିଲା।

ସମ୍ବନ୍ଧିତ ଖବର