ସାଇବର ଅପରାଧ: ପ୍ରଶାସକଙ୍କ ଫଟୋ ଲଗାଇ ହ୍ବାଟ୍ସଆପ୍‌ରେ ଟଙ୍କା ମାଗୁଛନ୍ତି!

ଘଟଣାକୁ ନେଇ କ୍ରାଇମ୍‌ବ୍ରାଞ୍ଚ୍‌ର ତନାଘନା

ଭୁବନେଶ୍ବର : ସାଇବର ଅପରାଧକୁ ନେଇ ରାଜ୍ୟ ସରକାରଙ୍କ ଶିଥିଳତା ମହଙ୍ଗା ପଡ଼ିବାକୁ ଯାଇଛି। ନିୟମିତ ବ୍ୟବଧାନରେ ସାଧାରଣ ଲୋକଙ୍କୁ ଠକେଇ କରିବା ପରେ ଏବେ ସମାନ ଘଟଣା ରାଜ୍ୟ ସରକାରଙ୍କ ବ୍ୟବସ୍ଥା ସହିତ ଜଡ଼ିତ ବରିଷ୍ଠ ଅଧିକାରୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି। ଛୋଟମୋଟ ପ୍ରଶାସକ ନୁହେଁ, ଏଥର ସାଇବର ମୁଖ୍ୟମନ୍ତ୍ରୀ ମୁଖ୍ୟ ପରାମର୍ଶଦାତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର ସଚିବଙ୍କ ମାଧ୍ୟମ କରି ଠକିବାକୁ ଉଦ୍ୟମ କରୁଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏଭଳି ଘଟଣା ପୂର୍ବରୁ ବର୍ଷରେ କାଁଭାଁ ଦେଖିବାକୁ ମିଳୁଥିଲା। ମାତ୍ର ଏବେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଅବା ବରିଷ୍ଠ ଅଧିକାରୀଙ୍କ ‌କ୍ଷେତ୍ରରେ ନିୟମିତ ଏପରି ଘଟୁଛି।

ସୂତ୍ର ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଆର୍‌ ବାଲକ୍ରିଷ୍ଣନ୍, ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା ଓ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସଚିବ ଜି ମାଥିଭାଥନନ୍‌ଙ୍କ ଫଟୋକୁ ହ୍ବାଟ୍ସଆପ୍‌ର ପ୍ରୋଫାଇଲ୍‌ ଫଟୋ ଭାବେ ସାଇବର ଠକ ବ୍ୟବହାର କରି କିଛି ବରିଷ୍ଠ ପ୍ରଶାସକ, ସଚିବ ଓ ନେତାଙ୍କୁ ଟଙ୍କା ମାଗୁଥିବା ଜଣାପଡ଼ିଛି। ତେବେ ଅଜଣା ନମ୍ବରରେ ଏହି ବରିଷ୍ଠ ଅଧିକାରୀଙ୍କ ଫଟୋ ବ୍ୟବହାର କରି ଟଙ୍କା ମଗାଯାଇଥିବାରୁ କୌଣସି ନେତା ବା ପ୍ରଶାସକ ଟଙ୍କା ଦେଇନଥିବା ଜଣାପଡ଼ିଛି। ତେବେ ଠକେଇ ହୋଇନଥିବାରୁ ଏନେଇ କୌଣସି ସାଇବର ଥାନାରେ ଅଭିଯୋଗ ହୋଇନଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି, ଏଭଳି ଖବର ଉପରେ ମାମଲା ରୁଜୁ ହୋଇନଥିଲେ ହେଁ ଆମେ ତଦନ୍ତ ଜାରି ରଖିଛୁ। ଅନ୍ୟପକ୍ଷରେ କ୍ରାଇମ୍‌ବ୍ରାଞ୍ଚ୍‌ର ଏଡିଜି ଅରୁଣ ବୋଥ୍ରା ତାଙ୍କ ପାଖରେ ଏ ସଂକ୍ରାନ୍ତରେ କୌଣସି ଅଭିଯୋଗ କି ସୂଚନା ନଥିବା କହିଛନ୍ତି।

ସମ୍ବନ୍ଧିତ ଖବର