ଋଣ ପାଇଁ ସାଇବର୍ ଅପରାଧୀଙ୍କ ଜାଲରେ ଫସିଗଲେ ବରିଷ୍ଠ ଆଇନଜୀବୀ

ବ୍ୟାଙ୍କ୍ ଆକାଉଣ୍ଟରୁ ୪୫ ଲକ୍ଷ ପୋଛି ନେଲେ

କଟକ : ସାଇବର୍ ଅପରାଧୀଙ୍କ ଜାଲରେ ଫସି ଯାଇଛନ୍ତି କଟକର ଜଣେ ବରିଷ୍ଠ ଆଇନଜୀବୀ। ଏହି ଆଇନଜୀବୀଙ୍କୁ ଋଣ ଯୋଗାଇବା ଆଳରେ ସାଇବର ଅପରାଧୀ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୪୫ ଲକ୍ଷ ଟଙ୍କା ହଡ଼ପ କରି ନେଇଛନ୍ତି। ଏ ସଂକ୍ରାନ୍ତରେ କ୍ରାଇମବ୍ରାଞ୍ଚର ସାଇବର୍ ଥାନାରେ ଲିଖିତ ଅଭିଯୋଗ ହୋଇଛି। ସାଇବର୍ ଥାନା ମାମଲାର ତଦନ୍ତ ଆରମ୍ଭ କରିଦେଇଛି।

ସୂଚନା ଅନୁଯାୟୀ, କଟକର ଜଣେ ବରିଷ୍ଠ ଆଇନଜୀବୀଙ୍କୁ ଋଣ ମିଳିବା ନେଇ ମୋବାଇଲକୁ ଏକ ମେସେଜ୍ ଆସିଥିଲା। ଏହି ମେସେଜ୍‌ରେ ଏକ ଋଣ ପ୍ରଦାନକାରୀ ଆପ୍ଲିକେସନର ଲିଙ୍କ୍ ରହିଥିଲା। ତୁରନ୍ତ ଋଣ ମିଳିବା ନେଇ ଲୋଭନୀୟ ପ୍ରତିଶ୍ରୁତି ଦେଇଥିଲେ। ଏହି ଲିଙ୍କ୍ ଖୋଲିବା ପରେ ସେ ନିଜ ଫଟୋ ଓ ପରିଚୟ ଦେଇ ନାଁ ପଞ୍ଜୀକରଣ କରିଥିଲେ। ଏଥିରେ ବ୍ୟାଙ୍କ୍ ଆକାଉଣ୍ଟ ସମ୍ପର୍କିତ ସୂଚନା ବି ଦେଇଥିଲେ। ପଞ୍ଜୀକରଣ କରିବା ପରେ ସମ୍ପୃକ୍ତ ଆଇନଜୀବୀଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଋଣ ବାବଦ ଅର୍ଥରାଶି ଆସିଥିଲା। ପରେ ସାଇବର୍ ଅପରାଧୀମାନେ କୌଶଳକ୍ରମେ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ୪୫ ଲକ୍ଷ ଟଙ୍କା ହଡ଼ପ କରି ନେଇଛନ୍ତି। କ୍ରାଇମବ୍ରାଞ୍ଚରେ ଏ ସଂକ୍ରାନ୍ତରେ ଏତଲା ହେଲା ପରେ କ୍ରାଇମବ୍ରାଞ୍ଚ ଟିମ୍ ମାମଲାକୁ ଗୁରୁତ୍ବର ସହିତ ଗ୍ରହଣ କରିଛି। ଯେଉଁ ଆକାଉଣ୍ଟକୁ ଟଙ୍କା ଯାଇଛି, କ୍ରାଇମବ୍ରାଞ୍ଚ ଉକ୍ତ ଆକାଉଣ୍ଟକୁ ଜବତ କରିବା ସହିତ ଲୋନ୍ ଆପ କେଉଁଠାରୁ ନିୟନ୍ତ୍ରଣ ହେଉଛି, ସେ ନେଇ ତଦନ୍ତ ଆରମ୍ଭ କରିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର