ସମ୍ବଲପୁର : ବ୍ୟବସାୟ କରିବା ପାଇଁ ଗୁଗୁଲ୍‌‌ ସର୍ଚ୍ଚ ସର୍ଚ୍ଚକରି ଜଣେ ବ୍ୟବସାୟୀ ଠକାମିର ଶିକାର ହୋଇଛନ୍ତି। ସାଇବର ଅପରାଧୀ ତାଙ୍କ ପାଖରୁ ୧୫ ଲକ୍ଷ ଟଙ୍କା ଠକିନେଇଛନ୍ତି।

Advertisment

ଏହି ବ୍ୟବସାୟୀ ହେଲେ, ସମ୍ବଲପୁର କ୍ଷେତରାଜପୁରର ରିଷି କୁମାର ପୋଦ୍ଦାର। ରିଷି କ’ଣ ସବୁ ବ୍ୟବସାୟର ସୁଯୋଗ ରହିଛି, ସେନେଇ ଗୁଗୁଲ୍‌ରେ ସର୍ଚ କରିଥିଲେ। ସେଥିରୁ ସେ ‘ଡାଏମଣ୍ଡ ଗ୍ରୁପ୍‌ ଡଟ୍‌ ଇନ୍‌ ୱେବ୍‌ସାଇଟ୍‌’ ଖୋଲି ସେଥିରେ ଥିବା ବିଭିନ୍ନ ଉତ୍ପାଦ ଦେଖିଥିଲେ। ପସନ୍ଦ ଆସିବାରୁ ସେ ୱେବ୍‌ସାଇଟ୍‌ରେ ଦିଆଯାଇଥିବା କଷ୍ଟମର୍‌ ସପୋର୍ଟ ନମ୍ବରରେ ଯୋଗାଯୋଗ କରିଥିଲେ। ହେଲେ ଅଜାଣତରେ ସେ ସାଇବର୍‌ ଠକର ହାବୁଡ଼ରେ ପଡ଼ିଥିଲେ। ସାଇବର୍‌ ଠକ ଓ ରିଷିଙ୍କ ମଧ୍ୟରେ ବ୍ୟବସାୟ ପାଇଁ ହୋଇଥିବା ବୁଝାମଣା ଅନୁଯାୟୀ ୧୫ ଲକ୍ଷ ଟଙ୍କା ପୈଠ କଲେ କମ୍ପାନିର ଉତ୍ପାଦ ଆଣି ବିକ୍ରି କରିପାରିବ।

ବୁଝାମଣା ଅନୁଯାୟୀ ରିଷି ୨୦୨୧ ମେ ମାସ ୨୫ ତାରିଖ ଦିନ ଏନ୍‌ଇଏଫ୍‌ଟି ମାଧ୍ୟମରେ ୪ ଲକ୍ଷ, ଜୁନ୍‌ ମାସରେ ୩ ଲକ୍ଷ, ଜୁଲାଇରେ ୪ ଲକ୍ଷ ଓ ଅଗଷ୍ଟ ମାସରେ ୪ ଲକ୍ଷ ଟଙ୍କା ମୋଟ ୧୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ତେବେ, କମ୍ପାନି ପକ୍ଷରୁ ଟଙ୍କା ପାଇବା ପରେ ପ୍ରଥମେ ଉତ୍ପାଦ ବିଳମ୍ବରେ ଆସିବ ବୋଲି କହିଥିଲେ। ପରେ ରିଷିଙ୍କ ଫୋନ୍‌ ଆଉ ଉଠାଇ ନଥିଲେ। ଠକେଇର ଶିକାର ହୋଇଥିବା ଜାଣିବା ପରେ ରିଷି ମଙ୍ଗଳବାର ସମ୍ବଲପୁର ସାଇବର୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।