ବ୍ରହ୍ମପୁର : ପ୍ରଥମେ ଅଜଣା ନମ୍ବରରୁ ଫୋନ୍‌, ଏହାପରେ ଇନ୍‌ଷ୍ଟାଗ୍ରାମ୍‌ରେ ଭାବର ଆଦାନପ୍ରଦାନ। ଏହିଭଳି ବିଶ୍ବାସ ଜନ୍ମାଇ ବିଦେଶୀ ମୁଦ୍ରା ପାର୍ସଲ ପଠାଇବା ବାହାନାରେ ଜଣେ ମହିଳାଙ୍କଠାରୁ ସାଇବର ଠକ ୪ଲକ୍ଷ ୮୨ହଜାର ଟଙ୍କା ଲୁଟି ନେଇଛନ୍ତି। ଏ ସମ୍ପର୍କରେ ସମ୍ପୃକ୍ତ ମହିଳା ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିବାପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି।

Advertisment

ସମ୍ପୃକ୍ତ ମହିଳା କଟକର ମୂଳବାସିନ୍ଦା ହୋଇଥିବା ବେଳେ ସେ ଏବେ କୋଦଳାରେ ରହୁଛନ୍ତି। ଗତମାସ ୨୨ ତାରିଖରେ ସେ ବ୍ରହ୍ମପୁରକୁ କିଣାକିଣି କରିବାକୁ ଆସିଥିବା ବେଳେ ଏକ ଅଜଣା ନମ୍ବରରୁ ଜଣେ ଦୁର୍ବୃତ୍ତ ପ୍ରଥମେ କଲ୍ କରିଥିଲା। ଏହାପରେ ସେ ନିଜକୁ ଜଣେ ଡାକ୍ତର ବୋଲି ପରିଚୟ ଦେଇ ଇନ୍‌ଷ୍ଟାଗ୍ରାମ୍‌ ଜରିଆରେ ଚାଟିଂ କରିଥିଲା। ଏଥିସହ କିଛି ବିଦେଶୀ ମୁଦ୍ରା ସେ ପ୍ୟାକିଂକରି ମହିଳାଙ୍କ ପାଖକୁ ପାର୍ସଲ ପଠାଉଥିବା କହିଥିଲା। ଏପରିକି ମହିଳାଙ୍କ ବିଶ୍ବାସ ଜିଣିବା ପାଇଁ ପ୍ୟାକିଂର ଭିଡ଼ିଓ ମଧ୍ୟ ସୋସିଆଲ୍ ମିଡିଆରେ ପଠାଇଥିଲା। ହେଲେ, ତାଙ୍କ ପାଖେ ପାର୍ସଲ ପହଁଚି ନଥିଲା। ବରଂ, ପାର୍ସଲ ଆଣି ଆସିଥିବା ବ୍ୟକ୍ତି ଜଣକ ବିଭିନ୍ନ ବାହାନା କରି ମହିଳାଙ୍କ ଠାରୁ ୫-୬ଥରରେ ମୋଟ୍‌ ୪ଲକ୍ଷ ୮୨ହଜାର ଟଙ୍କା ଅନ୍‌ଲାଇନ୍‌ ଦେଣନେଣରେ ଠକି ନେଇଥିଲା। ଏପରିକି, ଭୁବନେଶ୍ବର ବିମାନବନ୍ଦରରୁ ପାର୍ସଲ ରିଲିଜ୍ କରାଇବା ପାଇଁ ୨୫ହଜାର ଟଙ୍କା ମାଗିଥିବା ଜଣାପଡ଼ିଛି।

ଠକାମିର ଶିକାର‌ ହୋଇଥିବା ମହିଳା ଜଣକ ଜାଣିବା ପରେ ସେ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଏନେଇ ଏତଲା ଦେଇଥିଲେ।