ବ୍ରହ୍ମଗିରି : ‘ମୁଁ ବିଡିଓ କହୁଛି, ବ୍ୟାଙ୍କ ଜମାଖାତାର ନମ୍ବର ଓ ଓଟିପି ଦିଅ’। ଏହିଭଳି କହି ୩ଜଣ ଶିକ୍ଷୟିତ୍ରୀଙ୍କୁ ଲୁଟିଛନ୍ତି ସାଇବର ଠକ। ପୁରୀ ଜିଲ୍ଲା ବ୍ରହ୍ମଗିରି ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହିଭଳି ଏକ ଘଟଣା ଘଟିଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ସୂଚନା ଅନୁଯାୟୀ, ଆଜି ସକାଳୁ ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ପାଖକୁ ଏକ ଫୋନ୍‌କଲ୍‌ ଆସିଥିଲା। ସମ୍ପୃକ୍ତ ବ୍ୟକ୍ତି ବିଦ୍ୟାଳୟର ସମସ୍ତ ଶିକ୍ଷକଙ୍କ ବ୍ୟାଙ୍କ ବିବରଣୀ ପ୍ରଧାନଶିକ୍ଷକଙ୍କୁ ମାଗିଥିଲା। ପ୍ରଧାନଶିକ୍ଷକ ଟ୍ରେନିଂରେ ଥିବାରୁ ସେ ତାଙ୍କ ବିଦ୍ୟାଳୟରେ ଅନ୍ୟ ଜଣେ ଶିକ୍ଷକଙ୍କ ନମ୍ବର ଦେଇଥିଲେ। ଏହାପରେ ଏହି ଠକବ୍ୟକ୍ତି ଜଣକ ସେହି ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ଫୋନ୍‌କୁ କଲ୍‌କରି ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବ୍ୟାଙ୍କ ବିବରଣୀ ମାଗିଥିଲା। ପରେ ଶିକ୍ଷକ ଜଣଙ୍କ ଶିକ୍ଷୟିତ୍ରୀଙ୍କୁ ଫୋନ୍‌ ଦେବାରୁ ସେ ‘ମୁଁ ବିଡିଓ କହୁଛି, ବ୍ୟାଙ୍କ ଜମାଖାତାର ନମ୍ବର ଓ ଓଟିପି ଦିଅ’ ବୋଲି କହିଥିଲା। ଓଟିପି ଦେବାମାତ୍ରେ ଜଣେ ଶିକ୍ଷୟିତ୍ରୀଙ୍କର ୨୦ ହଜାର, ଅନ୍ୟ ଦୁଇ ଶିକ୍ଷୟିତ୍ରୀଙ୍କ ଯଥାକ୍ରମେ ୮ ହଜାର ଓ ୩ ହଜାର ଟଙ୍କା ଗାଏବ ହୋଇଯାଇଥିଲା। ପଇସା କଟିବା କଥା ଜାଣିବାପରେ ତିନିଜଣ ଶିକ୍ଷୟିତ୍ରୀ ବ୍ରହ୍ମଗିରି ଥାନାରେ ଅଭିଯୋଗ କରିଛନ୍ତି।

ଏ ନେଇ ବ୍ରହ୍ମଗିରି ଥାନା ଦାୟିତ୍ବରେ ଥିବା ଅରଖକୁଦା ମେରାଇନ ଥାନା ଆଇଆଇସି ଦିଲୀପ କୁମାର ଧଳଙ୍କୁ ପଚାରିବାରେ ସେ କହିଛନ୍ତି, ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି। ଅନ୍ୟପଟେ, ବ୍ରହ୍ମଗିରି ବ୍ଲକ୍‌ରେ ଥିବା ଅନେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଏହିଭଳି ଫୋନ୍‌ କଲ୍‌ ଆସିବା ସହ ‘ମୁଁ ବିଡିଓ କହୁଛି’ ବୋଲି କହି ବ୍ୟାଙ୍କ ଜମାଖାତାର ବିବରଣୀ ମାଗିଥିବା ଜଣାପଡ଼ିଛି।