ସମ୍ବଲପୁର: ସମ୍ବଲପୁରରେ ସାଇବର୍ ଠକେଇ ମାମଲା ଥମିବାର ନାଁ ନେଉନାହିଁ। ଠକମାନେ ପ୍ରତିଦିନ ନୂଆ ନୂଆ ଉପାୟରେ ଲୋକଙ୍କୁ ଚୂନା ଲଗାଇବା ପାଇଁ ଚେଷ୍ଟା କରୁଛନ୍ତି। ସଚେତନତା ଅଭାବରୁ ଲୋକେ ସାଇବର୍ ଠକଙ୍କ ଜାଲରେ ପଡ଼ି ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି। ସମ୍ବଲପୁର କୁଚିଣ୍ଡା ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ସାଇବର୍ ଠକ କ୍ରେଡିଟ୍ କାର୍ଡର ବାର୍ଷିକ ଦେୟ ଛାଡ଼ କରିଦେବ କହି ୫୮ ହଜାର ଟଙ୍କା ଠକି ନେଇଛି।
ମିଳିଥିବା ସୂଚନା ଅନୁଯାୟୀ, କୁଚିଣ୍ଡା ଥାନା କୁଟୁରାଚୁଆଁର ରାଜୀବ ଧୁରୁଆଙ୍କୁ ଗତ ୨୦ ତାରିଖ ଦିନ ଏକ ଅଜଣା ନମ୍ବରରୁ କଲ୍ ଆସିଲା। ସେ ନିଜକୁ ବ୍ୟାଙ୍କ୍ର କଷ୍ଟମର୍ କେୟାର୍ରୁ କହୁଛି ବୋଲି ପରିଚୟ ଦେଇ କ୍ରେଡିଟ୍ କାର୍ଡ ବିଷୟରେ ପଚାରିଥିଲା। ରାଜୀବ କ୍ରେଡିଟ୍କାର୍ଡ ବନ୍ଦ କରିଦେବାକୁ କହିଥିଲେ। ତାପରେ ସେ କ୍ରେଡିଟ୍କାର୍ଡର ବାର୍ଷିକ ଦେୟ ସମ୍ପୂର୍ଣ୍ଣ ଛାଡ଼ କରିଦେବ ବୋଲି କହିଥିଲା। ଛାଡ଼ କରିବା ପରେ କାର୍ଡ ବନ୍ଦ କରିଦେବ ବୋଲି ମଧ୍ୟ କହିଲା। ତା କଥାରେ ରାଜୀବ ବିଶ୍ବାସ କରି ନେଇଥିଲେ।
କାର୍ଡର ଫି’ ଛାଡ଼ କରିବା ପାଇଁ ଆପଣଙ୍କୁ ଏକ ଆପ୍ ଡାଉନ୍ଲୋଡ୍ କରିବାକୁ ପଡ଼ିବ ବୋଲି କହି ଏନିଡେସ୍କ ଆପ୍ ଲିଙ୍କ୍ ପଠାଇଥିଲା। ଠକ କଥାରେ ପଡ଼ି ସେ ଏନିଡେସ୍କ ଆପ୍ ଡାଉନ୍ଲୋଡ୍ କରି ନମ୍ବର ସେୟାର କରିଥିଲେ। ତାପରେ ଗୋଟିଏ ପରେ ଗୋଟିଏ କରି ଟଙ୍କା କଟିବା ମେସେଜ୍ ଆସିବାରେ ଲାଗିଲା। ରାଜୀବ କିଛି ବୁଝିବା ଆଗରୁ ୭ଟି ଟ୍ରାନ୍ଜେକ୍ସନ୍ରେ ତାଙ୍କ ଆକାଉଣ୍ଟରୁ ୫୮,୮୨୪ ଟଙ୍କା କଟି ସାରିଥିଲା। ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ କୁଚିଣ୍ଡା ଥାନାରେ ଶନିବାର ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।