ଅନୁଗୁଳ : ଓଏଲ୍‌ଏକ୍ସ ୱେବ୍‌ସାଇଟ୍‌ରେ ଘର ଭଡ଼ା ପାଇଁ ବିଜ୍ଞାପନ ଦେବା ଜଣେ ଅବସରପ୍ରାପ୍ତ ସରକାରୀ ଯନ୍ତ୍ରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବିଜ୍ଞାପନ ଆଳରେ ସାଇବର ଠକ ତାଙ୍କର ଏବଂ ତାଙ୍କ ସ୍ତ୍ରୀଙ୍କ ଆକାଉଣ୍ଟ୍‌ରୁ ମୋଟ୍ ଏକ ଲକ୍ଷ ୮୦ ହଜାର ଟଙ୍କା ଲୁଟି ନେଇଛି। ଅନୁଗୁଳ ଟାଉନ ଥାନାରେ ଏନେଇ ଲିଖିତ ଅଭିଯୋଗ ହେବା ପରେ ଘଟଣା ପଦାକୁ ଆସିଛି। ଜଣେ ଶିକ୍ଷିତ ବ୍ୟକ୍ତି ମଧ୍ୟ କେମିତି ଠକେଇର ଶିକାର ହୁଅନ୍ତି, ଏ ଘଟଣା ପୁଣି ଥରେ ପ୍ରମାଣିତ କରିଛି।

Advertisment

ସୂଚନା ମୁତାବକ, ଯନ୍ତ୍ରୀଙ୍କ ଘର ଅନୁଗୁଳ ଟାଉନ୍‌ ଥାନା ଦୁର୍ଗାବିହାର ଅଞ୍ଚଳରେ। ତାଙ୍କର ଏକ ଦୁଇ ବଖରା ବିଶିଷ୍ଟ ଘରକୁ ଭଡ଼ାରେ ଦେବା ପାଇଁ ଓଏଲ୍ଏକ୍ସରେ ବିଜ୍ଞାପନ ଦେଇଥିଲେ। ଏହି ବିଜ୍ଞାପନ ଦେଖି ସାଇବର୍‌ ଠକ ଯନ୍ତ୍ରୀଙ୍କୁ ଫୋନ୍‌ କରିଥିଲା। ନିଜକୁ ଆର୍ମି ଅଫିସର ବୋଲି ଦର୍ଶାଇଥିଲା। କହିଥିଲା, ୨୦ ତାରିଖରୁ ତାଙ୍କୁ ଅନୁଗୁଳରେ ରହିବାକୁ ଅଛି। ଅଗ୍ରିମ ଦେଇ ଘର ବୁକ୍ କରିବାକୁ ଚାହୁଛି ବୋଲି କହିଥିଲା। ଏ ସମ୍ପର୍କରେ ଯନ୍ତ୍ରୀଙ୍କ ସହିତ ବମ୍ବେରେ ଚାକିରି କରିଥିବା ତାଙ୍କ ପୁଅ ସହିତ ବି ଠକ କଥା ହୋଇଥିଲା। ଅଗ୍ରିମ ଭଡ଼ା ଦେବା ଆଗରୁ ଠକ ଆର୍ମିର ନିୟମ କାନୁନ୍‌ ବତାଇଥିଲା। କହିଥିଲା, ଏ ଭଡ଼ା ଟଙ୍କା ଆର୍ମି ବହନ କରିବ। କିନ୍ତୁ, ଆଗୁଆ ଛଅ ମାସର ଘରଭଡ଼ା ପୈଠ କରିବାକୁ ପଡ଼ିବ। ତା ପରେ ଆର୍ମି ଆକାଉଣ୍ଟ୍‌ରୁ ଛଅ ମାସର ଅଗ୍ରିମ ଟଙ୍କା ସହିତ ଦୁଇ ମାସର ଘର ଭଡ଼ା ବି ପୈଠ କରାଯିବ ବୋଲି ଠକ କହିଥିଲା।

ଠକ କଥାରେ ଯନ୍ତ୍ରୀ ଜଣକ ରାଜି ହୋଇଥିଲେ। ପ୍ରଥମେ ସ୍ତ୍ରୀଙ୍କ ଆକାଉଣ୍ଟ୍‌ରୁ ଛଅ ମାସର ଭଡ଼ା ବାବଦକୁ ଆଗୁଆ ୪୮ହଜାର ଟଙ୍କା ପଠାଇ ଦେଲେ। ଥରେ ନୁହେଁ, ଦୁଇ ଥରରେ ମୋଟ୍ ୯୬ହଜାର ଟଙ୍କା ଦେଲେ।। କିନ୍ତୁ, ଟ୍ରାନ୍‌ଜାକ୍ସନ ଫେଲ୍ ବୋଲି ମୋବାଇଲ୍‌ରେ ଜଣାପଡ଼ିବାରୁ ଯନ୍ତ୍ରୀ ଜଣକ ନିଜ ଆକାଉଣ୍ଟ୍‌ରୁ ଟଙ୍କା ପଠାଇବା ଆରମ୍ଭ କରିଥିଲେ। ତାଙ୍କ ଆକାଉଣ୍ଟ୍‌ରୁ ବି ୮୪ ହଜାର ଟଙ୍କା କଟିଲା। କିନ୍ତୁ, ଯନ୍ତ୍ରୀ କିଛି ଜାଣି ପାରିଲେ ନାହିଁ। କିଛି ସମୟ ପରେ ଏହା ସାଇବର ଠକର କାରନାମା ବୋଲି ଯନ୍ତ୍ରୀ ଜଣକ ସ୍ପଷ୍ଟ ହେବା ପରେ ବ୍ୟାଙ୍କ୍‌ ଆକାଉଣ୍ଟ୍ ଚେକ୍‌ କରିଥିଲେ। ଏ ଟଙ୍କା କାନାଡ଼ା ବ୍ୟାଙ୍କ୍‌କୁ ଟ୍ରାନ୍ସଫର୍‌ ହୋଇଥିବା ସେ ଜାଣିବାକୁ ପାଇଥିଲେ। ଏନେଇ ସେ ତୁରନ୍ତ ସାଇବର ସେଲ୍‌କୁ ଅବଗତ କରାଇଛନ୍ତି। ଏତଲା କ୍ରମେ ଅନୁଗୁଳ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି।