ଖଲ୍ଲିକୋଟ/ଗୋଳନ୍ଥରା : ଗଞ୍ଜାମ ଜିଲ୍ଲାରେ ସାଇବର୍‌ ଠକ ମୋବାଇଲ୍‌ ଆପ୍‌ ଜରିଆରେ ଟଙ୍କା ବିନିଯୋଗ କଲେ ଅଧିକ ଲାଭ ମିଳିବାର ଆଶା ଦେଖାଇ ଲୋକଙ୍କୁ ଠକିଛନ୍ତି। ଖଲ୍ଲିକୋଟ ବ୍ଲକ୍‌ କୋମଣ୍ଡ ପଞ୍ଚାୟତ ବଡ଼ରାମପଲ୍ଲୀ ଗ୍ରାମର ବହୁ ଲୋକ ଲୋଭରେ ପଡ଼ି ଏଭଳି ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି।

Advertisment

ସୂଚନା ଅନୁସାରେ ଗାଁର ଜଣେ ବ୍ୟକ୍ତି ‘ଟି ଆଣ୍ଡ୍‌ ସି’ ନାମକ ଏକ ଆପ୍‌ ମାଧ୍ୟମରେ ୪ ହଜାର ଟଙ୍କା ଜମା କରିଥିଲେ। ଏହି ଆପ୍‌ ମାଧ୍ୟମରେ ତାଙ୍କୁ ଦୈନକ ୮ ଶହ ଟଙ୍କା ମିଳୁଥିଲା। ସହଜ ଉପାୟରେ ଟଙ୍କା ମିଳୁଥିବାରୁ ଗାଁର ବହୁ ଲୋକ ଓ ଯୁବକଯୁବତୀ ସେହି ଅନ୍‌ଲାଇନ୍‌ ଆପ୍‌ରେ ଟଙ୍କା ବିନିଯୋଗ କରିଥିଲେ। ମୂଳ ଟଙ୍କା ଜମା ହୋଇ ରହୁଥିବା ବେଳେ ସୁଧ ବାବଦକୁ ସମସ୍ତଙ୍କୁ ପ୍ରତିଦିନ କିଛି ନା କିଛି ଟଙ୍କା ଫେରସ୍ତ ମିଳୁଥିଲା। ଗତ ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ଏକ ଅଫର୍‌ ରହିଥିବା ନେଇ ସେହି ଆପ୍‌ ପରିଚାଳନା କରୁଥିବା ସଂସ୍ଥା ତରଫରୁ ଘୋଷଣା କରାଯାଇଥିଲା। ଯେଉଁମାନେ ୨୩ ହଜାର ଟଙ୍କା ଜମା କରିବେ ସେମାନେ ଅଧିକ ଲାଭବାନ ହେବେ। ଏପରିକି ଦୁଇଗଣ ପର୍ଯ୍ୟନ୍ତ ଟଙ୍କା ମିଳିବ ବୋଲି କୁହାଯାଇଥିଲା। ଏହି ଅଫର୍‌ ଅନୁସାରେ ଗାଁର ଶତାଧିକ ଯୁବକଯୁବତୀ ଟଙ୍କା ଜମା କରିଥିଲେ। ୧୨ ଜଣ ଯୁବକ ଏକ ଲକ୍ଷ ଟଙ୍କା ଜମା କରିଥିଲେ। ଏଭଳି ଭାବେ ବହୁ ଲୋକ ସେହି ଅଫର୍‌ ଲୋଭରେ ପଡ଼ି ଲକ୍ଷାଧିକ ଟଙ୍କା ଜମା କରିଥିଲେ। ବର୍ତ୍ତମାନ ସେମାନଙ୍କ ପାଖକୁ ଆଉ ଟଙ୍କା ଆସୁ ନାହିଁ। ଏପରିକି ସେମାନେ ମୂଳ ଟଙ୍କା ମଧ୍ୟ ପାଇ ନାହାନ୍ତି। ଏବେ ବଡ଼ରାମପଲ୍ଲୀ ଗ୍ରାମର ଶତାଧିକ ଲୋକ ଏଭଳି ଠକେଇର ଶିକାର ହେବା ଘଟଣା ନଜରକୁ ଆସିଛି।

ସେହିପରି ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋଳନ୍ଥରା ଓ କୋଠରସିଂ ପଞ୍ଚାୟତର ଲୋକମାନେ ମଧ୍ୟ ଏଭଳି ମୋବାଇଲ୍‌ ଆପ୍‌ ଜରିଆରେ ଟଙ୍କା ହରାଇଛନ୍ତି। ଅର୍ଥ ଦୁଇଗୁଣା ହେବା ଆଶାରେ ସେମାନେ ‘କାନାଡ଼ିଆନ୍ ସୋଲାର’ ନାମକ ଏକ ଅନ୍‌ଲାଇନ ସଂସ୍ଥାରେ ବିନି‌ଯୋଗ କରିଥିଲେ। କିଏ ଝିଅ ବାହାଘର ଆଶାରେ ତ, କିଏ ଘର କରିବା ଆଶାରେ ଟଙ୍କା ଜମା କରିଥିଲା। ପ୍ରଥମେ ଭଲ ଲାଭ ହେବାରୁ ଲୋକେ ଅଧିକ ଟଙ୍କା ଜମା କରିଥିଲେ। ଏବେ ହଠାତ୍ ଉକ୍ତ ସଂସ୍ଥା ତଥା ଆପ୍ ଗାଏବ ହୋଇ ଯାଇଥିବାରୁ ଅର୍ଥ ଲଗାଣକାରୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ଏ ଦିଗରେ ପୁଲିସ ତଦନ୍ତ କରି ଟଙ୍କା ଫେରସ୍ତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଲୋକେ ଦାବି କରିଛନ୍ତି।