୨୦୧୭ରେ ୧୮୪ ମହିଳାଙ୍କ ଫଟୋ, ଭିଡିଓ ଭାଇରାଲ୍
କ୍ରାଇମ୍ବ୍ରାଞ୍ଚର ଅପରାଧ ସମୀକ୍ଷା ରିପୋର୍ଟ
Sambad is now on WhatsApp
Join and get latest news updates delivered to you via WhatsApp
କଟକ : ରାଜ୍ୟରେ ସାଇବର ଅପରାଧୀଙ୍କ ଉତ୍ପାତ ଏବେ ନିୟନ୍ତ୍ରଣ ବାହାରେ। ମାତ୍ର ବର୍ଷକ ଭିତରେ ତିନି ଗୁଣ ବଢ଼ିଲାଣି ଅପରାଧ। କିନ୍ତୁ ସେହି ଅନୁପାତରେ ଅଭିଯୁକ୍ତଙ୍କ ଗିରଫ ସଂଖ୍ୟା ବୃଦ୍ଧି ପାଉ ନାହିଁ। ଅନ୍ୟପଟେ ମହିଳାଙ୍କୁ ନେଇ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଆପତ୍ତିଜନକ ଫଟୋ ସଂଖ୍ୟା ବି ଉଦ୍ବେଗର କାରଣ ହୋଇଛି। ୨୦୧୭ ବର୍ଷରେ ୧୮୪ ଜଣ ମହିଳାଙ୍କ ଫଟୋ ଭିଡିଓ ଭାଇରାଲ ହୋଇଛି। ୨୦୧୬ ବର୍ଷ ତୁଳନାରେ ଏହା ପାଖାପାଖି ୪ ଗୁଣ ଅଧିକ। ରାଜ୍ୟ ପୁଲିସର କ୍ରାଇମବ୍ରାଞ୍ଚ ପକ୍ଷରୁ ହୋଇଥିବା ସମୀକ୍ଷା ରିପୋର୍ଟ ଏବେ ଏଭଳି ତଥ୍ୟ ଦେଉଛି।
ରାଜ୍ୟରେ ଘଟୁଥିବା ଏଟିଏମ୍ ଠକେଇ, ଅନ୍ଲାଇନ୍ ଠକେଇ, ନିଯୁକ୍ତି ଆଳରେ ଟଙ୍କା ଠକେଇ, ଲଟେରୀ ଟଙ୍କା ପାଇବା ପ୍ରଲୋଭନ ଦେଖାଇ ଠକେଇ ଏବଂ ଇଣ୍ଟର୍ନେଟ୍ରେ ମହିଳାଙ୍କ ଆପତ୍ତିଜନକ ଭିଡିଓ ସଂକ୍ରାନ୍ତ ରିପୋର୍ଟ ବୃଦ୍ଧି ପାଇବାରେ ଲାଗିଛିା ରାଜ୍ୟ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଗତ ୪ ବର୍ଷର ରିପୋର୍ଟରୁ ରାଜ୍ୟରେ ସାଇବର ଅପରାଧୀ ଏବଂ ଅପରାଧର ପ୍ରଭାବ ସମ୍ପର୍କରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଛି । ୨୦୧୪ ବର୍ଷରେ ୧୨୪ଟି ମାମଲା କ୍ରାଇମ୍ବ୍ରାଞ୍ଚରେ ରୁଜୁ ହୋଇଥିବା ବେଳେ ଗିରଫ ସଂଖ୍ୟା ଥିଲା ୧୭। ୨୦୧୫ରେ ୩୮୬ଟି ମାମଲା ରୁଜୁ ହୋଇଥିବା ବେଳେ ୧୧୦ ଜଣଙ୍କୁ ଗିରଫ କରାଯାଇଥିଲା। ୨୦୧୬ରେ ୩୧୭ଟି ମାମଲା ରୁଜୁ ହୋଇଥିବା ବେଳେ ୯୯ ଜଣ ଗିରଫ ହୋଇଥିଲେ। ୨୦୧୭ରେ ୮୨୪ଟି ମାମଲା ରୁଜୁ ହୋଇଥିବା ବେଳେ ଗିରଫ ସଂଖ୍ୟା ରହିଛି ମାତ୍ର ୧୯୫। ସ୍ୱତନ୍ତ୍ର ଭାବେ ଅଶ୍ଳୀଳ ଭିଡିଓ ମାମଲାକୁ ବିଚାର କଲେ କ୍ରାଇମ୍ବ୍ରାଞ୍ଚରେ ୨୦୧୪ ବର୍ଷରେ ଅଶ୍ଳୀଳ ଭିଡିଓ ଭାଇରାଲ୍ ଘଟଣାରେ ୧୦ ଟି ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ୭ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା ।
ସେହିପରି ୨୦୧୫ ବର୍ଷରେ ୪୨ଟି ମାମଲା ରୁଜୁ ହୋଇଥିଲା। ଏଥିରେ ୨୫ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା । ୨୦୧୬ ବର୍ଷରେ ୪୦ଟି ମାମଲା ରୁୁଜୁ କରାଯାଇଥିଲା । ଏଥିରେ ୩୨ ଜଣଙ୍କୁ ପୁଲିସ ଗିରଫ କରିଥିଲା । ୨୦୧୭ ବର୍ଷରେ ମାମଲା ସଂଖ୍ୟା ବୃଦ୍ଧି ପାଇ ୧୮୪ରେ ପହଞ୍ଚିଛି। କିନ୍ତୁ ପ୍ରାୟ ୬୦ ଜଣ ଅଭିଯୁକ୍ତଙ୍କୁୁ ଗିରଫ କରାଯାଇଛି । ୨୦୧୬ ବର୍ଷରେ ୨୩ଟି ମାମଲାର କୋର୍ଟରେ ଶୁଣାଣି ହୋଇଥିବା ବେଳେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଅବଶିଷ୍ଟ ୧୯ ଜଣ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି। ୨୦୧୭ ବର୍ଷରେ ୨୬୫ଟି ଏଟିଏମ୍ ଠକେଇ, ୨୦୬ଟି ଅନ୍ଲାଇନ୍ ଠକେଇ, ୧୮୪ଟି ଭିଡିଓ ଏବଂ ଫଟୋ ଭାଇରାଲ୍, କ୍ରେଡିଟ୍ କାର୍ଡ ଠକେଇ ୨୭ଟି, ବ୍ୟାଙ୍କ ଠକେଇ ୧୯ଟି, ନିଯୁକ୍ତି ଆଳରେ ଠକେଇ ୭ଟି ରୁଜୁ ହୋଇଥିବା କ୍ରାଇମ୍ବ୍ରାଞ୍ଚ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ଏବେ କଟକ ସହର ସମେତ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ବସ୍ଷ୍ଟାଣ୍ଡ, ରେଳ ଷ୍ଟେସନ୍ ଏବଂ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସାଇବର ଅପରାଧୀଙ୍କ କବଳରୁ ବର୍ତ୍ତିବା ପାଇଁ ପ୍ରୋଜେକ୍ଟର ମାଧ୍ୟମରେ ସଚେତନା ବାର୍ତ୍ତା ପ୍ରଦାନ କରାଯିବାକୁ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଯୋଜନା କରାଯାଉଥିବା ସୂଚନା ମିଳିଛି ।