ନକଲି ୱାଓ ମୋମୋ ୱେବ୍‌ସାଇଟ୍: ଯୁବ ବ୍ୟବସାୟୀଙ୍କ ଠାରୁ ୮ ଲକ୍ଷ ଟଙ୍କା ଠକିନେଲେ

କଟକ : କଟକ ସହରରେ ୱାଓ ମୋମୋର ଫ୍ରାଞ୍ଚାଇଜ୍ ନେବାକୁ ଆଶାୟୀ ଜଣେ ଯୁବ ବ୍ୟବସାୟୀ ସାଇବର୍ ଠକେଇର ଶିକାର ହୋଇଛନ୍ତି। ସାଇବର୍ ଅପରାଧୀ ଏହି ବ୍ୟବସାୟୀଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ୮ ଲକ୍ଷ ଟଙ୍କା ଠକି ନେଇଥିବା ସଂପର୍କରେ କମିସନରେଟ୍ ପୁଲିସର ସାଇବର୍ ଥାନାରେ ଅଭିଯୋଗ ହୋଇଛି। ନିକଟରେ ଏକ ନକଲି ଆମାଜନ ୱେବ୍‌ସାଇଟ୍‌ରେ ଇଲୋକ୍ଟ୍ରନିକ୍ସ ସାମଗ୍ରୀ କିଣି କଟକର ଜଣେ ଯୁବକ ଫସିଥିଲେ। ନକଲି ୱେବ୍‌ସାଇଟ୍‌ ମାଧ୍ୟମରେ ଟଙ୍କା ଲୁଟିବା ଘଟଣା ୱାଓ ମୋମୋକୁ ମିଶାଇ କଟକରେ ଦ୍ବିତୀୟ ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ, ଗଲା ୧୫ ଦିନ ତଳେ ଲାଲବାଗ ଅଞ୍ଚଳର ଜଣେ ଯୁବ ବ୍ୟବସାୟୀ କଟକ ସହରରେ ୱାଓ ମୋମୋର ଫ୍ରାଞ୍ଚାଇଜ୍ ଆଣିବାକୁ ଗୁଗୁଲରେ ସର୍ଚ୍ଚ କରିଥିଲେ। ୱାଓ ମୋମୋର ଏକ ୱେବ୍‌ସାଇଟ୍‌ ଦେଖିବା ପରେ ସେହି ୱେବ୍‌ସାଇଟ୍‌ରେ ଥିବା ଏକ ମୋବାଇଲ୍ ନମ୍ବରରେ ଫୋନ୍ କରିଥିଲେ। ଫୋନ୍ ଉଠାଇଥିବା ବ୍ୟକ୍ତି ନିଜକୁ ୱାଓ ମୋମୋର ବରିଷ୍ଠ ଅଧିକାରୀ ବୋଲି ପରିଚୟ ଦେଇଥିଲେ। ଫ୍ରାଞ୍ଚାଇଜ୍ କରିବା ବାବଦରେ ପଞ୍ଜୀକରଣ, ଜିଏସଟି, ଡକ୍ୟୁମେଣ୍ଟ, ସିକ୍ୟୁରିଟି ବାବଦରେ ପର୍ଯ୍ୟାୟକ୍ରମେ ୮ ଲକ୍ଷ ଟଙ୍କା ସମ୍ପୃକ୍ତ ବ୍ୟକ୍ତି କଟକର ଯୁବ ବ୍ୟବସାୟୀଙ୍କ ନିକଟରୁ ନେଇଥିଲେ। ତା’ପରେ ବି ଆହୁରି ଅଧିକ ଟଙ୍କା ମାଗିବାରୁ ଠକଙ୍କ ଜାଲରେ ପଡ଼ିଯାଇଥିବା ଜାଣିପାରି ଯୁବକ ଜଣକ ସାଇବର ଥାନାରେ ଏତଲା ଦେଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣା ତଦନ୍ତ ଆରମ୍ଭ କରିଛି।

ଯୁବ ବ୍ୟବସାୟୀ ଯେଉଁ ୱେବ୍‌ସାଇଟ୍‌କୁ ୱାଓ ମୋମୋର ବୋଲି ଭାବିଥିଲେ, ସେହି ୱେବ୍‌ସାଇଟ୍‌ ନକଲି ବୋଲି ଜଣାପଡ଼ିଛି। ୱାଓ ମୋମୋ ନାଁରେ ସାଇବର୍ ଅପରାଧୀ କ୍ଲୋନ୍ ୱେବ୍‌ସାଇଟ୍‌ ଖୋଲି ଟଙ୍କା ଠକିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ୱେବ୍‌ସାଇଟ୍‌ କେଉଁଠୁ ନିୟନ୍ତ୍ରଣ କରାଯାଉଛି, ସେ ନେଇ ସର୍ଭିସ ପ୍ରୋଭାଇଡରକୁ ପୁଲିସ ଆଇପି ଆଡ୍ରେସ୍ ମାଗିଛି। ତେବେ, ଜାମତାରା ଗ୍ୟାଙ୍ଗ୍ କିମ୍ବା ନାଇଜେରିଆନ୍ ଗ୍ୟାଙ୍ଗ୍ ଏ ଧରଣର ଅପରାଧ ସାଧାରଣତଃ ଘଟାଉଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର