ଲଇକେରା : ଲଇକେରା ବ୍ଲକ ମୁଦ୍ରାଜୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ନର୍ସିଂ ଅଫିସର ମିତାଞ୍ଜଳି ପଟେଲଙ୍କ ଆକାଉଣ୍ଟ୍‌ରୁ ସାଇବର ଲୁଟେରା ଲୁଟି ନେଇଛନ୍ତି ୨୪ ହଜାରରୁ ଅଧିକ ଟଙ୍କା।

Advertisment

ମିତାଞ୍ଜଳିଙ୍କ ଅଭିଯୋଗ ଯେ ଝାରସୁଗୁଡାର ମୁଖ୍ୟ ଷ୍ଟେଟ ବ୍ୟାଙ୍କରେ ତାଙ୍କର ଏକ ଆକାଉଣ୍ଟ ଅଛି। ଚଳିତ ମାସ ୩ ତାରିଖ ସକାଳେ ମେସେଜ ଦେଖି ଜାଣିବାକୁ ପାଇଲେ ଗତ ମାସ ୨୮ ତାରିଖ ଦିନ ତାଙ୍କ ଆକାଉଣ୍ଟରୁ ୨୪ ହଜାର ୨୩୫ ଟଙ୍କା କଟି ଯାଇଛି। ସେ ବ୍ୟାଙ୍କ ଯାଇ ଆକାଉଣ୍ଟ ଦେଖିଲା ପରେ ଜାଣିବାକୁ ପାଇଲେ, ତାଙ୍କ କ୍ରେଡିଟ କାର୍ଡକୁ ଲିଙ୍କ କରି ନୋଇଡା ସ୍ଥିତ କେହି ଜଣେ ଚତୁରତାର ସହିତ ଫୋନ୍‌ ପେ ଓ ପେଟିଏମ ଜରିଆରେ ଏହି ଟଙ୍କା ନେଇ ଯାଇଛି। ଏଥିରେ ମିତାଞ୍ଜଳିଙ୍କ ମୋବାଇଲ୍‌କୁ କୌଣସି ଓଟିପି କିମ୍ବା ମେସେଜ ଆସିନାହିଁ। ଏହା ଜାଣିବା ପରେ ଉକ୍ତ ବ୍ୟାଙ୍କର ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାରୁ ସେମାନେ ସନ୍ତୋଷ ଜନକ ଉତ୍ତର ଦେଇପାରି ନ ଥିଲେ। ପରେ ମିତାଞ୍ଜଳି ଏହି ବିଷୟରେ ସମ୍ବଲପୁରସ୍ଥିତ ସାଇବର ଥାନାରେ ଓ ଲଇକେରା ଥାନାରେ ମଧ୍ୟ ଏତଲା ଦେଇଥିବା କହିଛନ୍ତି।

ଏହାକୁ ନେଇ ଥାନା ଅଧିକାରୀ ପ୍ରବୀର କେଶରୀ ତ୍ରିପାଠୀ କହିଛନ୍ତି ଏହି ଅଭିଯୋଗରେ ସନ୍ଦେହ ସୃଷ୍ଟି ହେଉଛି। ବ୍ୟାଙ୍କ ଷ୍ଟେଟମେଣ୍ଟରେ ଦେଖିବାକୁ ମିଳୁଛି ଏକାଧିକ ବାର ଅଳ୍ପ ଅଳ୍ପ ପରିମାଣରେ ଟଙ୍କା କଟିଛି। ପ୍ରାଥମିକ ତଦନ୍ତ ଚାଲିଛି ଖୁବ ଶୀଘ୍ର ସତ୍ୟତା ଜଣା ପଡିବ।