ରାଜ୍ୟରେ ସାଇବର୍ ଅପରାଧ ମାମଲା : ବର୍ଷ ଆରମ୍ଭରୁ ଲୁଟିଲେଣି ୩୦ ଲକ୍ଷ, କରୋନା କାଳରେ ୫ କୋଟି

କଟକ : ରାଜ୍ୟରେ ସାଇବର୍ ଅପରାଧ ମାମଲା ଗୋଟିଏ ପଟେ ଭୟଙ୍କର ସ୍ଥିତିରେ ପହଞ୍ଚି ଥିବା ବେଳେ ୨୦୧୮ ଓ ୨୦୧୯ ବର୍ଷରେ କେହି ଜଣେ ବି ସାଇବର୍ ଅପରାଧୀ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି। ଓଲଟି ୨୦୧୮ରେ ୩ ଜଣ ନିର୍ଦୋଷରେ ଖଲାସ ହୋଇଛନ୍ତି। ୨୦୧୭ରେ ମାତ୍ର ଜଣେ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ୪ ଜଣ ନିର୍ଦୋଷରେ ଖଲାସ ହୋଇଛନ୍ତି। ୨୦୧୬ରେ ୭ ଜଣ ଦୋଷୀ ଓ ୧୯ ଜଣ ନିର୍ଦୋଷରେ ଖଲାସ ହେବା ଘଟଣା ଏବେ ସାଇବର ଅପରାଧ ମାମଲାର ତଦନ୍ତ ଓ ଅଦାଲତରେ ପ୍ରମାଣ ଉପସ୍ଥାନରେ ପୁଲିସ ଦୁର୍ବଳତାକୁ ଧରା ପକାଇ ଦେଇଛି। ଗଲା ୪ ବର୍ଷ ଭିତରେ ଗିରଫ ତୁଳନାରେ ଦୋଷୀ ସାବ୍ୟସ୍ତ ହାର ଯେଭଳି ରହିଛି, ସେଥିରେ ପଡ଼ିରହିଥିବା ପ୍ରାୟ ୨୫ ଶହ ୧୨ଟି ସାଇବର୍ ଅପରାଧ ଜନିତ ମାମଲାରେ ଅଭିଯୋଗକାରୀଙ୍କୁ ନ୍ୟାୟ ମିଳିବା ଆଶା ଅନ୍ଧାରକୁ ଠେଲି ହୋଇଯାଇଛି।

DNA India

ସୂଚନା ଅନୁଯାୟୀ, ରାଜ୍ୟରେ ୨୦୧୯ ବର୍ଷରେ ୧୪ ଶହ ୮୫ଟି ନୂଆ ସାଇବର୍ ଅପରାଧ ମାମଲା ରୁଜୁ ହୋଇଥିବା ବେଳେ ୨୦୧୮ ବର୍ଷର ତଥ୍ୟ ମିଶାଇଲେ ରାଜ୍ୟରେ ମୋଟ ୨୫ ଶହ ୧୨ଟି ମାମଲା ପଡ଼ି ରହିଥିଲା। ଏହି ମାମଲାରେ ଗିରଫ ସଂଖ୍ୟା ରହିଛି ୩୧୬। ସେହି ବର୍ଷ ମାତ୍ର ୪୩.୬ ପ୍ରତିଶତ ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି। ପୂର୍ବ ବର୍ଷକୁ ମିଶାଇ ମୋଟ ୩୫୧ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଛି। ୨୦୧୮ ବର୍ଷରେ ୮୪୩ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧୭ ବର୍ଷକୁ ମିଶାଇ ମୋଟ ୧୫ଶହ ୩୨ମାମଲା ପଡ଼ି ରହିଥିଲା। ୨୫୪ ଜଣ ଗିରଫ ହୋଇଥିବା ବେଳେ ୨୮୪ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଛି। ମାତ୍ର ୪୬.୨ ପ୍ରତିଶତ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଛି। ୨୦୧୭ ବର୍ଷରେ ୮୨୪ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧୬ ବର୍ଷକୁ ମିଶାଇଲେ ୧୩ ଶହ ୭୯ ମାମଲା ପଡ଼ିରହିଥିଲା। ୨୦୦ ଜଣ ଗିରଫ ହୋଇଥିବା ବେଳେ ୨୦୦ ଜଣଙ୍କ ବିେରାଧରେ ଚାର୍ଜସିଟ୍ ଦାଖଲ ହୋଇଛି। ୬୬.୨ ପ୍ରତିଶତ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଛି। ୨୦୧୬ ବର୍ଷରେ ୩୧୭ ମାମଲା ରୁଜୁ ହୋଇଥିବା ବେଳେ ୨୦୧୫ ବର୍ଷକୁ ମିଶାଇ ୪୦୪ଟି ମାମଲା ପଡ଼ିରହିଥିଲା। ୧୫୦ ଜଣ ଗିରଫ ହୋଇଥିବା ବେଳେ ୧୫୧ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଥିଲା। ୮୧.୩ ପ୍ରତିଶତ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ େହାଇଥିଲା। ଉପରୋକ୍ତ ତଥ୍ୟ ଅନୁଯାୟୀ, ୪ ବର୍ଷ ଭିତରେ ମୋଟ ୯୨୦ ସାଇବର୍ ଅପରାଧୀ ଗିରଫ ହୋଇଥିବା ବେଳେ ୨୬ ଜଣ ନିର୍ଦୋଷରେ ଖଲାସ ଓ ମାତ୍ର ୮ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

କ୍ରାଇମବ୍ରାଞ୍ଚର ଅନ୍ୟ ଏକ ରିପୋର୍ଟ କହୁଛି, ୨୦୧୯ରେ କେବଳ ଏଟିଏମ ମାଧ୍ୟମରେ ୩୩୧ଟି ଠକେଇ ହୋଇଛି। ଅନଲାଇନ୍ ବ୍ୟାଙ୍କ ଠକେଇ ୫୪୫ଟି, ୭୩୬ଟି ସୋସିଆଲ୍ ମିଡିଆରେ ଅଶ୍ଳୀଳ ଫଟୋ ଏବଂ ଭିଡିଓ ସେୟାର କରିବା ନେଇ ମାମଲା ରୁଜୁ ହୋଇଛି। ଅନ୍ୟାନ୍ୟ ସାଇବର୍ ଠକେଇ ୯୫୬ଟି ଏବଂ କ୍ରେଡିଟ ଓ ଡେବିଟ୍ କାର୍ଡ ଠକେଇ ୫୦ଟି ମାମଲା ରୁଜୁ ହୋଇଛି। ଏଥିରେ ବ୍ୟକ୍ତିଗତ ପ୍ରତିଶୋଧକୁ ଆଧାର କରି ୨୪ଟି ମାମଲା ଓ ଠକେଇ ଉଦ୍ଦେଶ୍ୟ ୧ ହଜାର, ବଟି ଆଦାୟ ଉଦ୍ଦେଶ୍ୟରେ ୨୭୯ ଏବଂ ମହିଳାଙ୍କୁ ଯୌନ ଶୋଷଣ ଉଦ୍ଦେଶ୍ୟରେ ୧୩୬ଟି ସାଇବର୍ ଅପରାଧ ଘଟିଛି। ୨୦୧୮ରେ ସର୍ବାଧିକ ୩୭୪ଟି ଅଶ୍ଳୀଳ ଭିଡିଓ ଓ ଫଟୋ ସେୟାର, ସାଇବର୍ ଠକେଇ ୩୯୨ଟି, ଡେବିଟ୍ ଓ କ୍ରେଡିଟ୍ କାର୍ଡ ମାଧ୍ୟମରେ ଠକେଇ ୧୩ଟି, ଏଟିଏମ ଠକେଇ ୨୦୪ ଏବଂ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ଠକେଇ ୧୫୮ଟି, ଯୌନ ଶୋଷଣ ଉଦ୍ଦେଶ୍ୟରେ ୩୭ଟି ଅପରାଧ ଘଟିଛି। ୨୦୧୭ରେ ଏଟିଏମ ଠକେଇ ୧୬୮, ଅନଲାଇନ୍ ବ୍ୟାଙ୍କିଂ ଠକେଇ ୧୧୬ଟି ହୋଇଛି। ବ୍ୟକ୍ତିଗତ ଆକ୍ରୋଶରେ ୧୧ଟି, ଠକେଇ ଉଦ୍ଦେଶ୍ୟରେ ୫୩୧ଟି ମାମଲା ରୁଜୁ ହୋଇଛି। ୨୦୨୦ ମାର୍ଚ୍ଚ ପରଠାରୁ କରୋନା ସମୟରେ ଦୈନିକ ୧୦ରୁ ଅଧିକ ସାଇବର୍ ମାମଲା ରାଜ୍ୟରେ ରୁଜୁ ହୋଇଛି। କରୋନାରେ ଲୋକେ ଘରୁ ନବାହାରି ଅନଲାଇନରେ ଜିନିଷ କିଣାବିକା ଅଧିକ କରିବାରୁ ସାଇବର୍ ଅପରାଧୀ ରାଜ୍ୟରେ ଦ୍ରୁତ ଗତିରେ ସକ୍ରିୟ ହୋଇଥିବା କୁହାଯାଉଛି। ଫୋନପେ, ପେଟେମରେ ଲଟେରି ଆସିଥିବା କହି ମୋବାଇଲକୁ ସାଇବର ଅପରାଧୀ ପଠାଇଥିବା ଲିଙ୍କ୍ ଖୋଲିବାକୁ କୁହାଯାଇଥିଲା। ଏହି ଲିଙ୍କ୍ ଖୋଲି କରୋନା ସମୟରେ ପ୍ରାୟ ୫ କୋଟି ଟଙ୍କାରୁ ଅଧିକ ଅନଲାଇନ୍ ଠକେଇ ହୋଇଥିବା ଆକଳନ କରାଯାଉଛି। ୨୦୨୧ ଜାନୁଆରି ୧ ତାରିଖରୁ ୧୦ ତାରିଖ ଭିତରେ କ୍ରାଇମବ୍ରାଞ୍ଚରେ ୩ଟି ନିଯୁକ୍ତି ଠକେଇ ମାମଲା ରୁଜୁ ହୋଇଛି। ପ୍ରତି ମାମଲାରେ ୧୦ ଲକ୍ଷରୁ ଅଧିକ ଟଙ୍କାର ଠକେଇ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର