ଦୁବାଇରେ ଚାକିରି ନାଁରେ ଲୁଟ୍‌

ଭିସା ନକଲି, ୮ ଯୁବକ ଭୁବନେଶ୍ବର ବିମାନବନ୍ଦରରୁ ଫେରିଲେ

ଦିଗପହଣ୍ଡି : ଦୁବାଇରେ ମୋଟା ଅଙ୍କର ଚାକିରିର ପ୍ରଲୋଭନ ଦେଖାଇ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ୮ ଜଣ ଯୁବକଙ୍କଠାରୁ ସାଇବର୍‌ ଠକ ଲକ୍ଷାଧିକ ଟଙ୍କା ଠକି ନେଇଛି। ଠକେଇର ଶିକାର ହୋଇଥିବା ଏହି ଯୁବକମାନେ ଆଜି ଦିଗପହଣ୍ଡି ଥାନାଧିକାରୀ ବସନ୍ତ କୁମାର ସେଠୀଙ୍କ ଦ୍ବାରସ୍ଥ ହୋଇ ଏତଲା ଦେଇଛନ୍ତି।

ଅଭିଯୋଗ ଅନୁଯାୟୀ ୮ ଜଣ ଯୁବକ ପ୍ରଥମ କିସ୍ତିରେ ମୋଟ ୪୧ ହଜାର ଟଙ୍କା ପଠାଇଥିଲେ। ପରେ ଉକ୍ତ ଦୁଇ ଜଣ ଯୁବକ ବାୟୋମେଟ୍ରିକ୍ସ ଖର୍ଚ୍ଚ ବାବଦରେ ୪୯ ହଜାର, ଇ. ମାଇଗ୍ରେସନ ବାବଦରେ ୫୬ ହଜାର, ଭିସା ପାଇଁ ଏକ ଲକ୍ଷ ୨୦ ହଜାର ଏବଂ ୧ ଲକ୍ଷ ୨୮ ହଜାର ଓ ସଙ୍ଗରୋଧ କେନ୍ଦ୍ର ଖର୍ଚ୍ଚ ବାବଦରେ ୮୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ବିଭିନ୍ନ ଆଳ ଦେଖାଇ ସମୁଦାୟ ୫ ଲକ୍ଷ ୧୪ ହଜାର ଟଙ୍କା ନେଇଥିଲେ। ଏହା ପରେ ସାଇବର୍‌ ଠକ ପ୍ରଥମ ପର୍ଯ୍ୟାୟରେ ୪ ଜଣଙ୍କୁ ନକଲି ଭିସା ଓ ଫ୍ଲାଇଟ୍‌ ଟିକଟ ପଠାଇଥିଲେ। ଅନ୍ୟ ୪ ଜଣ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଭିସା ଓ ଟିକଟ ଦିଆଯିବ ବୋଲି କହିଥିଲେ। ଚାକିରି ପାଇବା ଆଶା ରଖି ଦୁବାଇ ଯିବା ପାଇଁ ୮ ଜଣ ଯୁବକ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। କିନ୍ତୁ ସେମାନଙ୍କ ପାଖରେ ଥିବା ପାସପୋର୍ଟ ଓ ଭିସା ନକଲି ବୋଲି ପୁଲିସ ଯାଞ୍ଚ ବେଳେ ଜାଣିବାକୁ ପାଇଥିଲେ।

ଗତ ଜୁଲାଇ ୧୪ ତାରିଖରେ ଦୁଇଜଣ ଯୁବକ ଝରିପଦର ଗ୍ରାମର କେଦାରନାଥ ଗୌଡ଼ଙ୍କ ମୋବାଇଲକୁ ଫୋନ୍‌ କରି ଦୁବାଇରେ ଚାକିରି କରାଇଦେବା ସହ ମାସକୁ ୩୩ ହଜାର ୫୦୦ ଟଙ୍କା ଦରମା ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କେଦାରନାଥଙ୍କ ମନରେ ଯେ ଭଳି କୌଣସି ସନ୍ଦେହ ଜାତ ନହେବ, ଏଥିପାଇଁ ସେମାନେ ନିଜର ଆଇଡି ପ୍ରମାଣ, କମ୍ପାନିର ଠିକଣା ଓ ସେମାନଙ୍କ ଆଧାରକାର୍ଡ଼ ତାଙ୍କୁ ହ୍ବାଟସଆପ୍‌ରେ ପଠାଇଥିଲେ। ଏଥି ସହ ଚାକିରି ବିଷୟରେ ସାଙ୍ଗମାନଙ୍କୁ ବି କହିଥିଲେ। ଫଳରେ ଗ୍ରାମରେ କିଛି କାମଧନ୍ଦା ନପାଇ ବେକାର ବସିଥିବା ଝରିପଦରର କେଦାରନାଥଙ୍କ ୮ ଜଣ ଯୁବକ ଉକ୍ତ ଦୁଇ ଯୁବକଙ୍କ ସହ ପୁଣି ‌ଫୋନ୍‌ ମାଧ୍ୟମରେ ଯୋଗାଯୋଗ କରି ନିଜର ସମସ୍ତ ପ୍ରମାଣପତ୍ର ପଠାଇଥିଲେ। ଚାକିରି ବାବଦରେ ୩୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ। ଏହି ଟଙ୍କା ପୈଠ ପରେ ଭିସା, ପାସପୋର୍ଟ, ଅଫର୍‌ ଲେଟର୍‌ ଓ ଇନସ୍ୟୁରାନ୍ସ ସଂକ୍ରାନ୍ତ ଦସ୍ତାବିଜ ପଠାଯିବ ବୋଲି ଦୁଇ ଠକ ଯୁବକ ପ୍ରତିଶ୍ରୁତି ଦେଇଥିଲେ।

କିନ୍ତୁ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ଭିସା, ପାସ୍‌ପୋର୍ଟ ନକଲି ବୋଲି ଜାଣିବା ପରେ ଉକ୍ତ ଯୁବକମାନେ ଭୁବନେଶ୍ବର ବିମାନବନ୍ଦରରେ ଏତଲା ଦେଇଥିଲେ। ଆଜି ସମାଜସେବୀ ଉତ୍ତମ ପାଣିଗ୍ରାହୀଙ୍କ ନେତୃତ୍ୱରେ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଛନ୍ତି। ସେମାନେ ବ୍ରହ୍ମପୁର ସାଇବର୍‌ ଥାନାର ଦ୍ବାରସ୍ଥ ହେବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର