ବ୍ରଜରାଜନଗର: ଦିନକୁ ଦିନ ନୂଆନୂଆ ଉପାୟରେ ସାଇବର ଠକେଇ ହେଉଥିବା ନଜରକୁ ଆସୁଛି। କେକ୍ ଅର୍ଡର ବାହାନାରେ ସାଇବର ଠକ ବ୍ରଜରାଜନଗରର ମୁଖ୍ୟ ବଜାରସ୍ଥିତ ଏକ ବେକେରି ଦୋକାନୀଙ୍କ ଠାରୁ ୯୧ ହଜାର ଟଙ୍କା ଲୁଟି ନେଇଛନ୍ତି। ଏନେଇ ଅଭିଯୋଗ ପରେ ପୁଲିସ ବ୍ରଜରାଜନଗର ପୁଲିସ ଏକ ମାମଲା ରୁଜୁ କରି ଅନୁସନ୍ଧାନ କରୁଛି। ଗତ ୧୫ ତାରିଖ ସନ୍ଧ୍ୟାରେ କେହି ଜଣେ ସମ୍ପୃକ୍ତ ବେକେରି ଦୋକାନ ସମ୍ପର୍କରେ ଇନଷ୍ଟାଗ୍ରାମରୁ ଦେଖି ଫୋନ କରିଥିଲା।

Advertisment

ଦୋକାନ ମାଲିକଙ୍କ ସହ କଥା ହୋଇ ସେ ନିଜକୁ ଜଣେ ଆର୍ମି ଅଫିସର ବୋଲି ପରିଚୟ ଦେଇ ଏକ ଭଲ କେକ୍ ପାଇଁ  ଅର୍ଡର ଦେଇଥିଲା। ଯାହାର ଦାମ ଥିଲା ୨୪ ହଜାର ୧ ଟଙ୍କା। ଯେହେତୁ ସେ ଆର୍ମି ଅଫିସର ଅଛନ୍ତି ତାଙ୍କୁ ଜିନିଷ  ଅଧା ଦାମରେ ମିଳୁଥିବାରୁ କେକ୍‌ର ଦାମ ଯେତିକି ତାର ଦୁଇଗୁଣ ଟଙ୍କା ପେମେଣ୍ଟ କରିବାକୁ ପଡ଼ିବ ବୋଲି କହିଥିଲେ। ତେଣୁ ପ୍ରଥମେ ପେଟିଏମ୍ ଵାଲେଟରେ କେକ୍ ଅର୍ଡରକର୍ତ୍ତା ଦୋକାନିକୁ ୧ ଟଙ୍କା ପଠାଇବାକୁ କହିଥିଲା। ଦୋକାନୀ ଜଣକ ୧ଟଙ୍କା ପଠାଇବା କ୍ଷଣି ସେ ତୁରନ୍ତ ତାଙ୍କ ନିକଟକୁ ୨ଟଙ୍କା ପଠାଇଥିଲା।

ଏହାପରେ ସାଇବର ଠକ ଜଣକ ପୁନର୍ବାର ଫୋନ କରି ଦୋକାନିଙ୍କୁ ୨୪ ହଜାର ୧ ଟଙ୍କା ପଠାଇଲେ ସେ ୪୮ ହଜାର ୨ଟଙ୍କା ପଠାଇବ କହି ପ୍ରଲୋଭିତ କରିଥିଲା। ଦୋକାନୀ ସେହି ସାଇବର ଠକକୁ ବିଶ୍ୱାସ କରି ୨୪ ହଜାର ୧ ଟଙ୍କା ପଠାଇଥିଲେ। ତେବେ ଠକଜଣକ ଟ୍ରାନ୍ସଫର ପେମେଣ୍ଟ ସ୍ଥାନରେ କେବଳ ଟ୍ରାନ୍ସଫର ଲେଖିଥିବାରୁ ଟଙ୍କାଟି ହୋଲ୍ଡ ହୋଇଥିବା କହିଥିଲା। ଏହାପରେ ପୁନର୍ବାର ୨୪ ହଜାର ୧ଟଙ୍କା ପଠାଇବାକୁ କହିଥିଲା। ଦୋକାନୀ ପୁନର୍ବାର ଟଙ୍କା ପଠାଇଥିଲେ। ଏହିଭଳି ୪ / ୫ ଥର ବିଭିନ୍ନ ଆଳରେ ସମୁଦାୟ ୯୧ ହଜାର ୯୯୭ ଟଙ୍କା ଲୁଟି ନେଇଥିଲା। ପରବର୍ତ୍ତୀ ସମୟରେ ଦୋକାନୀଜଣକ ସାଇବର ଲୁଟର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ।