ବ୍ରହ୍ମପୁର: ସାଇବର୍‌ ଠକ ବିଭିନ୍ନ ଉପାୟରେ ଲୋକଙ୍କୁ ଠକି ଚାଲିଛନ୍ତି। ଏବେ ବିଟ୍‌କଏନ୍‌ରେ ଟଙ୍କା ବିନିଯୋଗ କରିଥିବା ଜଣେ ଯୁବକଙ୍କୁ ମାଚ୍ୟୁରିଟି ଟଙ୍କା ଫେରସ୍ତ କରିବାକୁ ପ୍ରତିଶ୍ରୁତି ଦେଇ ୮ଲକ୍ଷ ୧୦ହଜାର ଟଙ୍କା ଠକି ନେଇଛନ୍ତି ସାଇବର୍‌ ଗ୍ୟାଙ୍ଗ୍‌। ଠକେଇର ଶିକାର ହୋଇଥିବା ଯୁବକ ସାଇବର୍‌ ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ୍ ନମ୍ବର ୮/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Advertisment

ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବିଦ୍ୟୁତପୁରୀ କଲୋନିରେ ରହୁଥିବା ଜଣେ ଯୁବକ କ୍ରିପ୍ଟୋ କରେନ୍ସି ବିଟ୍‌କଏନ୍‌ରେ ଗତ ୨୦୧୭ରେ ଟଙ୍କା ବିନିଯୋଗ କରିଥିଲେ। ସେ ବିନିଯୋଗ କରିଥିବା ଟଙ୍କା ମାଚ୍ୟୁରିଟି ହାସଲ୍‌ କରି ସାରିଥିବା ନେଇ ଗତ ୯ତାରିଖରେ ତାଙ୍କ ପାଖକୁ ଏକ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ନମ୍ବରରୁ ହ୍ବାଟ୍‌ସଆପ୍‌କୁ ମେସେଜ୍‌ ଆସିଥିଲା। ମାଚ୍ୟୁରିଟି ଟଙ୍କା ପାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ଆପ୍‌ ଜରିଆରେ ଟଙ୍କା ବିନିଯୋଗ କରିବାକୁ ହ୍ବାଟ୍‌ସଆପ୍‌ରେ ପୁଣି ଏକ ମେସେଜ୍‌ ଆସିଥିଲା। ପ୍ରଥମେ ୨୫ହଜାର ଓ ପରେ ୧୦ହଜାର ଟଙ୍କା ଅନ୍‌ଲାଇନ୍‌ରେ ବିନିଯୋଗ କରିବା ପରେ ବିଟ୍‌କଏନ୍‌ର ମାଚ୍ୟୁରିଟି ଟଙ୍କା ମିଳିବ ବୋଲି କୁହାଯାଇଥିଲା।

ସେ ‌ଅନୁସାରେ ଯୁବକ ଜଣକ ପ୍ରଥମେ ୨୫ହଜାର ଓ କିଛି ସମୟ ପରେ ୧୦ହଜାର ଟଙ୍କା ଅନ୍‌ଲାଇନ୍‌ରେ ଟ୍ରାନ୍ସଫର୍‌ କରିଥିଲେ। ଏହାପରେ ମଧ୍ୟ ବିଟ୍‌କଏନ୍‌ରେ ବିନିଯୋଗ ଟଙ୍କା ମିଳି ନଥିଲା। ଏଣୁ ଠକେଇର ଶିକାର ହୋଇଥିବା ଜାଣିବା ପରେ ଯୁବକ ଜଣକ ସମସ୍ତ ଟଙ୍କା ଫେରସ୍ତ କରିବାକୁ କହିଥିଲେ। ହେଲେ ପୁଣିଥରେ ଟଙ୍କା ବିନିଯୋଗ କରିବାକୁ ତାଙ୍କୁ ୱାଟ୍‌ସଆପ୍‌ରେ ମେସେଜ୍‌ ଆସିଥିଲା। କିନ୍ତୁ ଯୁବକ ଜଣକ ଆଉ ଟଙ୍କା ପଠାଇ ନଥିଲେ। ରାତିରେ ସେ ତାଙ୍କର ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ୍‌ ଯାଞ୍ଚ କରିବା ପରେ ଜାଣିବାକୁ ପାଇଥିଲେ ତାଙ୍କ ଅଜାଣତରେ କେହି ଜଣେ ବାରମ୍ବାର ଟଙ୍କା ଉଠାଇ ନେଇଛି। ତାଙ୍କର ଆକାଉଣ୍ଟ୍‌ରୁ ପର୍ଯ୍ୟାୟ କ୍ରମେ ୩ଲକ୍ଷ, ୨ଲକ୍ଷ ୧୦ହଜାର ଦୁଇଥର, ୩୦ହଜାର ଓ ୨୫ହଜାର ଟଙ୍କା ଅନ୍ୟ ଆକାଉଣ୍ଟ୍‌କୁ ଟ୍ରାନ୍ସଫର୍‌ ହୋଇଥିବା ଜାଣିବାକୁ ପାଇଥିଲେ। ବିଟ୍‌କଏନ୍‌ ଟଙ୍କା ଫେରି ପାଇବା ପାଇଁ ଯୁବକ ଜଣକ ସାଇବର୍‌ ଠକଙ୍କ ଜାଲରେ ପଡ଼ି ମୋଟ ୮ଲକ୍ଷ ୧୦ହଜାର ଟଙ୍କା ହରାଇଥିଲେ। ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।