ବ୍ରହ୍ମପୁର: ନୂଆ ଶୈଳୀର ଏକ ସାଇବର୍ ଠକେଇ ସାମ୍ନାକୁ ଆସିଛି। ପ୍ରଥମେ ହ୍ବାଟ୍ସଆପ୍ ମାଧ୍ୟମରେ ଠକ ଜଣକ ଯୋଗାଯୋଗ କରି ୟୁଟ୍ୟୁବ୍ ଭଳି ବିଭିନ୍ନ ସୋସିଆଲ୍ ମିଡ଼ିଆ ଆକାଉଣ୍ଟର ସବ୍ସ୍କ୍ରାଇବର୍ ହେବା ପାଇଁ ଟଙ୍କା ଦେଇ ପ୍ରଲୋଭିତ କରିଥିଲେ। ଏଥିରେ ଟଙ୍କା ବାନ୍ଧିବାରୁ ଅଧିକ ଫେରସ୍ତ ମଧ୍ୟ ଆସିଲା। ଏଭଳି ବିଶ୍ବାସ ଜନ୍ମାଇବା ପରେ ଅଧିକ ଟଙ୍କା ବାନ୍ଧିବାକୁ ଉତ୍ସାହିତ କରିଥିଲେ। ସାଇବର ଠକ ଜଣକ ଟେଲିଗ୍ରାମ୍ ସୋସିଆଲ୍ ମିଡ଼ିଆ ମାଧ୍ୟମରେ ସେୟାର୍ କରିଥିବା ବିଭିନ୍ନ ଆକାଉଣ୍ଟକୁ ପ୍ରାୟ ୨୦ଲକ୍ଷ ପଠାଇଲେ ୨୪ଲକ୍ଷ ଟଙ୍କା ଫେରସ୍ତ ପାଇବାର ପ୍ରଲୋଭନ ଦେଖାଇଥିଲେ। ଉପରୋକ୍ତ ପରିମାଣର ଅର୍ଥରାଶି ଜମା କରିବା ପରେ ଆଉ ଟଙ୍କା ଫେରସ୍ତ ଆସିନଥିଲା। ଏଭଳି ଠକାମିର ଶିକାର ହୋଇଥିବା ନେଇ ହିଞ୍ଜଳିକାଟୁ ଅଂଚଳର ଜଣେ ଯୁବକ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା (୨୩/୨୩)ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
ଏଭଳି ସାଇବର ଠକେଇ ହୋଇଥିବା ଯୁବକଙ୍କ ଘର ହିଂଜିଳିକାଟୁ ଥାନା ଅନ୍ତର୍ଗତ ମହୁଲପଲ୍ଲୀ ଅଂଚଳରେ। ଅଭିଯୋଗ ମୁତାବକ, ଗତ ମାସ ୨୫ତାରିଖରେ ଏକ ଅଜଣା ନମ୍ୱର୍ରୁ ତାଙ୍କ ପାଖକୁ ଏକ ହ୍ବାଟ୍ସଅପ୍ ମ୍ୟାସେଜ୍ ଆସିଥିଲା। ଆନ୍ୟା ପଟେଲ, ଏଲ୍ଭି ମିଡ଼ିଆ କମ୍ପାନି ନାମକ ଏକ ସଂସ୍ଥାର ସେ ଏଚ୍ଆର ବୋଲି ପରିଚୟ ଦେଇଥିଲା। ଉକ୍ତ କମ୍ପାନି ୟୁ ଟ୍ୟୁବ୍ ଆଦି ସୋସିଆଲ ମିଡ଼ିଆ ଆକାଉଣ୍ଟଧାରୀଙ୍କ ପ୍ରମୋସନ୍ କରୁଥିବା ଏବଂ ଏକ ଲିଙ୍କ୍ରେ କ୍ଲିକ୍ କରି ଉକ୍ତ କମ୍ପାନି ସହ ଯୋଡ଼ି ହେବାକୁ ଦର୍ଶାଯାଇଥିଲା। ଯୁବକ ଜଣକ ଉତ୍ସାହିତ ହୋଇ ସେଇ ଲିଙ୍କ୍ରେ କ୍ଲିକ୍ କରିବାରୁ ଅଂଶୁ ମେହେଟା ନାମରେ ଏକ ଟେଲିଗ୍ରାମ ଆପ୍ର ପ୍ରୋଫାଇଲ୍ ଖୋଲିଥିଲା। ସେହି ଆପ୍ରେ ଗତ ମାସ ୨୫ତାରିଖରେ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ସବ୍ସ୍କ୍ରାଇବ୍ କରିବାକୁ ମ୍ୟାସେଜ୍ ଆସିଥିଲା। ସେ ତାହା କରିବାରୁ, ତାଙ୍କ ପାଖକୁ ୧୫୦ଟଙ୍କା ଆସିଲା।
ପୁଣି ୨୬ତାରିଖରେ ଆଉ କେତୋଟି ୟୁଟ୍ୟୁବ୍ ଚ୍ୟାନେଲ୍ ସବ୍ସ୍କ୍ରାଇବ୍ କରିବାରୁ ତାଙ୍କ ପାଖକୁ ୩୨୦ଟଙ୍କା ଆସିଲା। ଏହାପରେ ସେହି ଆପ୍ରେ ଆସିଥିବା ନିର୍ଦ୍ଦେଶ ମୁତାବକ, ୧୦୦୦ଟଙ୍କା ସହ ନିଜ ଡ୍ରାଇଭିଂ ଲାଇସେନ୍ସ ଅପ୍ଲୋଡ୍ କରି ଏକ ଆକାଉଣ୍ଟ୍ ଖୋଲିବାରୁ ୧୩୯୦ଟଙ୍କା ଫେରସ୍ତ ଆସିଥିଲା। ପୁଣି ସେହି ଆକାଉଣ୍ଟରେ ଯଥାକ୍ରମେ ୩୦୦୦ଟଙ୍କା, ୪୨୦୦ଟଙ୍କା ଡିପୋଜିଟ କରିବାରୁ ୯୩୮୩ଟଙ୍କା ଫେରସ୍ତ ଆସିଲା। ଏଭଳି ସାଇବର ଠକ ଯୁବକଙ୍କ ବିଶ୍ବାସଭାଜନ ହୋଇଥିଲା। ଗତ ୨୮ ତାରିଖରେ ଅଂଶୁ ମେହେଟା ଯୁବକଙ୍କୁ ଏକ ୫ଜଣିଆ ଟେଲିଗ୍ରାମ୍ ଗ୍ରୁପ୍ରେ ଯୋଡ଼ିଥିଲା। ମୟଙ୍କ ନାମକ ଜଣେ ବ୍ୟକ୍ତି ସେହି ଗ୍ରୁପ୍ର କୋ-ଅର୍ଡିନେଟର୍ ଥିଲା। ଅଂଶୁ ସେହି ଗ୍ରୁପ୍ରେ ଯେଉଁ ଆକାଉଣ୍ଟ୍ ସେୟାର କରୁଛି, ସେଥିରେ ଯେତେ ଅଧିକ ଟଙ୍କା ବାନ୍ଧିବ, ସେତେ ଅଧିକ ଲାଭ ମିଳିବ ବୋଲି ଯୁବକଙ୍କୁ ବୁଝାଇଥିଲେ। ଯୁବକ ଜଣକ ଗ୍ରୁପର ଅନ୍ୟ ଜଣେ ସଦସ୍ୟକୁ ପଚାରିବାରୁ, ସେ ଦୁଇଟି ସ୍କ୍ରିନ୍ସଟ୍ ସେୟାର କରି, ଲକ୍ଷାଧିକ ଟଙ୍କା ଲାଭବାନ୍ ହୋଇପାରିଥିବା ଦର୍ଶାଇଥିଲା। ତେଣୁ ଯୁବକ ଜଣକ ଅଧିକ ଲାଭ ଆଶାରେ ସେଇ ଗ୍ରୁପ୍ରେ ଅଂଶୁ ସେୟାର କରିଥିବା ବିଭିନ୍ନ ଆକାଉଣ୍ଟକୁ ୩୯ଥରରେ ମୋଟ ୧୯,୯୭,୫୭୨ଟଙ୍କା ପଠାଇଥିଲେ। ୨୪ଲକ୍ଷ ଟଙ୍କା ଫେରସ୍ତ ପାଇବେ ବୋଲି ଅଂଶୁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଗତ ୬ତାରିଖରେ ସେହି ଦୁର୍ବୃତ୍ତ ଜଣକ ସମସ୍ତ ଗ୍ରୁପରୁ ଟଙ୍କା ଲଗାଇଥିବା ଯୁବକଙ୍କୁ ବାହାର କରି ତାଙ୍କର ଟେଲିଗ୍ରାମ୍ କମ୍ୟୁନିକେସନ୍ ବ୍ଲକ୍ କରି ଦେଇଥିଲା। ଅନନ୍ୟୋପାୟ ହୋଇ ଶେଷରେ ଯୁବକ ଜଣକ ସାଇବର୍ ଓ ଅର୍ଥନୈତିକ ଅପରାଧ ଥାନାର ଦ୍ୱାରସ୍ଥ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/cyber.jpg)