ଆଇପିଏସ୍ ସମ୍ମିଳନୀରେ ଚିନ୍ତାବ୍ୟକ୍ତ କଲେ ଡିଜି, କାଗଜକଲମରେ ତନାଘନା
ବରିଷ୍ଠ ଅଧିକାରୀ, ଗୁରୁତ୍ବପୂର୍ଣ୍ଣ ବିଭାଗର ସୂଚନା ସଂଗ୍ରହ କରୁଛନ୍ତି ହ୍ୟାକର
ଓକାକ୍ ସିଇଓଙ୍କ ହ୍ବାଟସଆପ୍ ହ୍ୟାକ୍ କରି ତଥ୍ୟ ଚୋରି କରିଥାଇପାରନ୍ତି
ରାଜ୍ୟରେ ନାହିଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍, ସଚେତନତାରେ ବି ପଛୁଆ

Advertisment

ଭୁବନେଶ୍ୱର : ଓକାକ୍ (ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର) ସିଇଓ ମନୋଜ ପଟ୍ଟନାୟକଙ୍କ ହ୍ବାଟସଆପ୍ ହ୍ୟାକ୍ କଲେ ସାଇବର ଠକ। ଓକାକ୍ ଆଉ କେତେ ଦୂର? ରାଜ୍ୟ ସରକାରଙ୍କ ସବୁ ପ୍ରତିଷ୍ଠାନର ତଥ୍ୟ ସୁରକ୍ଷିତ ତ? ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଏଡିଜି ସୁଧାଂଶୁ ଷଡଙ୍ଗୀ, ପ୍ରଣବିନ୍ଦୁ ଆଚାର୍ଯ୍ୟ, ଗୁଇନ୍ଦା ଡିଆଇଜି ଅନୁପ ସାହୁ, ଏସ୍‌ପି ଅଖିଳେଶ୍ବର ସିଂଙ୍କୁ ଟାର୍ଗେଟ କରିସାରିଲେଣି ସାଇବର ଠକ। ସାଧାରଣ ଲୋକଙ୍କୁ କିଏ ସୁରକ୍ଷା ଦେବ? ଆହୁରି ଚାଞ୍ଚଲ୍ୟକର କଥା ହେଲା, ଯେତେବେଳେ ରାଜ୍ୟରେ ଆଇପିଏସ୍ ସମ୍ମିଳନୀ ବୈଠକରେ ସାଇବର ଅପରାଧ ସୁରକ୍ଷା ମୁଖ୍ୟ ଚ୍ୟାଲେଞ୍ଜ ବୋଲି ଖୋଦ ଡିଜି ଅଭୟ କହୁଛନ୍ତି, ଠିକ୍ ସେତିକି ବେଳେ ଜଣେ ଆଇପିଏସ୍ ଅଫିସର ସୁଶାନ୍ତ ନାଥଙ୍କ ପତ୍ନୀ ଡାକ୍ତର ଅନୁଜା ତ୍ରିପାଠୀଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଗାଏବ ଘଟଣା ସାମ୍ନାକୁ ଆସିଛି।

ଏମିତି ସବୁ ଘଟଣାକୁ ନେଇ ରାଜ୍ୟବାସୀ ଏବେ ଚିନ୍ତାରେ ପଡ଼ିଲେଣି। ଆକାଉଣ୍ଟରେ ଆଜି ଥିବା କଷ୍ଟ ଉପାର୍ଜିତ ଟଙ୍କା କାଲିକୁ ସୁରକ୍ଷିତ କି ନାହିଁ; ଏହାକୁ ଆଉ କିଏ ସିଧା ହଡ଼ପ ନ କରିବ, ଏମିତି ଗ୍ୟାରେଣ୍ଟି କେହି ଦେଇପାରୁନାହାନ୍ତି। ଫେସବୁକ, ହ୍ବାଟସ ଆପରେ ଯେଉଁ ତଥ୍ୟ ବା ବ୍ୟକ୍ତିଗତ ସୂଚନା ଆଦାନ ପ୍ରଦାନ ହେଉଛି, ତାହା ଯେ ଆଉ କାହା ପାଖରେ ପହଞ୍ଚୁନାହିଁ, ଏକଥା ବି କେହି ଠୋସ୍ ଭାବେ କହିପାରିବେ ନାହିଁ। ଆହୁରି ବଡ କଥା ହେଲା, ଫେସବୁକକୁ ଆୟୁଧ କରି କିଏ ଟଙ୍କା ମାଗିଲାଣି ତ ଆଉ କିଏ ବ୍ଲାକମେଲିଂ କରୁଛି। ମାସ ମାସ ଧରି ଏ ସମସ୍ୟା ଜାରି ରହିଥିଲେ ହେଁ, ସରକାର ଏବଂ ପୁଲିସ ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଯେଭଳି ପଦକ୍ଷେପ ନେବା କଥା ତାହା ଦେଖାଯାଉନାହିଁ। ଏପରିକି ଆଇପିଏସ୍ ସମ୍ମିଳନୀରେ ଏହି ପ୍ରସଙ୍ଗକୁ ନେଇ ଉଦବେଗ ପ୍ରକାଶ ପାଇଥିଲେ ହେଁ, ଏହାର ନିରାକରଣ ଦିଗରେ ଆଉ ଅଧିକ କ’ଣ କରାଯାଇପାରିବ ଏ ରାସ୍ତା ବି ବାହାରି ପାରିନାହିଁ ବା ପୁଲିସ ମୁଖ୍ୟାଳୟ ପ୍ରେସ୍‌ ଇସ୍ତାହାରରେ ଜଣାଇନାହାନ୍ତି। ସାଇବର ବିଶେଷଜ୍ଞ ଆଉ ପାଦେ ଆଗକୁ ଯାଇ ଆଶଙ୍କା ବ୍ୟକ୍ତ କରୁଛନ୍ତି ଯେ ସାଧାରଣ ଲୋକଙ୍କ ତଥ୍ୟ ଚୋରି ଠାରୁ ଆହୁରି ସଙ୍ଗିନ୍ ପ୍ରସଙ୍ଗ ହେଲା ସରକାରୀ ତଥ୍ୟର ସୁରକ୍ଷା। ଓକାକ୍ ସିଇଓ ଶ୍ରୀ ପଟ୍ଟନାୟକଙ୍କର ମଧ୍ୟ ହ୍ବାଟସଆପରେ
ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟର ଚାଟିଂ ସାଇବର ଅପରାଧୀଙ୍କ ହାତରେ ଯଦି ଲାଗିଥିବ, ତା’ହେଲେ ସରକାରୀ ପ୍ରତିଷ୍ଠାନ ଓ ତଥ୍ୟ ମଧ୍ୟ ଆଗକୁ ଯେ ସମସ୍ୟା ଆମନ୍ତ୍ରଣ ନ କରିବ ଏକଥା କିଏ କହିବ? ଏହାସତ୍ତ୍ବେ ରାଜ୍ୟ ସରକାର ଯେଭଳି ପ୍ରତିକ୍ରିୟା ପ୍ରକାଶ କରିବା କଥା ତାହା ଦେଖାଯାଉନାହିଁ, ଯାହା ଚିନ୍ତାର ବିଷୟ।

publive-image berhampur.gov.in

ବିଶେଷଜ୍ଞମାନଙ୍କର କହିବା କଥା ହେଉଛି, ରାଜ୍ୟରେ ଦକ୍ଷ ତାଲିମପ୍ରାପ୍ତ ଅଧିକାରୀଙ୍କର ଭୀଷଣ ଅଭାବ ରହିଛି। ନିକଟରେ ବିଧାନସଭାରେ ଉପସ୍ଥାପିତ ହୋଇଥିବା ତଥ୍ୟରୁ ଜଣାପଡ଼ିଛି କ୍ରାଇମବ୍ରାଞ୍ଚ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ୪ ସାଇବର ଥାନାରେ ମାତ୍ର ୧୧ ଜଣ ସାଇବର ତାଲିମପ୍ରାପ୍ତ ଅଧିକାରୀ ରହିଛନ୍ତି। ହେଲେ ଜଣେ ହେଲେ ବି ଫୋରେନସିକ୍ ବିଶେଷଜ୍ଞ ନାହାନ୍ତି। ସେହିପରି ବରିଷ୍ଠ ଅଧିକାରୀ କିମ୍ବା ଆଇପିଏସ୍ ସ୍ତରରେ ଅଧିକାଂଶ ଅଫିସର ସାଇବର ଅପରାଧ ମୁକାବିଲା ତାଲିମ ନେଇନାହାନ୍ତି। ଗୋଟିଏ ପଟେ ସାଇବର ଠକଙ୍କୁ ସାବାଡ୍ କରିବା ଚ୍ୟାଲେଞ୍ଜ ପାଲଟିଲାଣି ବୋଲି ସମସ୍ତଙ୍କର ହୃଦ୍‌ବୋଧ ହେଉଥିବା ବେଳେ ଅନ୍ୟପଟରେ କୌଣସି ବରିଷ୍ଠ ଅଧିକାରୀଙ୍କୁ ସାଇବର ଅପରାଧ ମୁକାବିଲା ଲାଗି ସ୍ବତନ୍ତ୍ର ତାଲିମ ଦିଆନଯିବା ଘଟଣା କଣ ପ୍ରମାଣ କରୁଛି?

କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଠକେଇ ଉଦ୍ୟମ ଘଟଣା ମଧ୍ୟ ଚିନ୍ତାର ବିଷୟ। ଆହୁରି ସାଂଘାତିକ କଥା ହେଲା; ବର୍ଷେ ହେଲା ରାଜଧାନୀରେ ଚକାଚକ୍ ସାଇବର କମ୍ପ୍ଲେକ୍ସ କୋଠା ତିଆରି ହୋଇଥିଲେ ମଧ୍ୟ ଠକେଇର ଶିକାର ହେଉଥିବା ବ୍ୟକ୍ତି ଏହାର ସୁଫଳ ପାଇ ପାରୁନାହାନ୍ତି। ସେହିପରି ଅନ୍‌ଲାଇନ୍ କାରବାର କ୍ଷେତ୍ରରେ ସାଇବର ଠକଙ୍କ ଶିକାର ହେଲେ ପ୍ରଥମ ଘଣ୍ଟାଏକୁ ‘ଗୋଲଡେନ୍ ଆଓ୍ଵାର’ ବୋଲି କୁହାଯାଉଛି। ଏହି ସମୟ ଠକ ଲୁଟିଥିବା ଟଙ୍କାକୁ ଫେରାଇ ଆଣିବାର ଯଥେଷ୍ଟ ସମ୍ଭାବନା ରହିଛି। କ୍ରାଇମବ୍ରାଞ୍ଚ ସାଇବର ଥାନା ଓ କମିସନରେଟ୍ ପୁଲିସରେ ସାଇବର ହେଲ୍ପ ଡେସ୍କ କାମ କରୁଛି। କେତେକ ଘଟଣାରେ ଟଙ୍କା ଫେରାଇ ଆଣିବାରେ ଏହି ଡେସ୍କ ସମର୍ଥ ମଧ୍ୟ ହୋଇଛି। କିନ୍ତୁ ସନ୍ଧ୍ୟା ପରେ ଏହା ବନ୍ଦ ହୋଇଯାଉଛି। ରାଜ୍ୟରେ ୨୪ ଘଣ୍ଟିଆ ହେଲପ୍ ଡେସ୍କ ନାହିଁ। ଯାହାଫଳରେ ଠକେଇର ଶିକାର ବ୍ୟକ୍ତି ହଇରାଣ ହେଉଛନ୍ତି। ସଚେତନତାରେ ମଧ୍ୟ ଆମେ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ, ଛତିଶଗଡ଼ ଠାରୁ ଯଥେଷ୍ଟ ପଛରେ ପଡ଼ିଛୁ। ସ୍ବତନ୍ତ୍ର ଭିଡିଓ କିମ୍ବା ବୁକଲେଟ୍ ପ୍ରସ୍ତୁତ କରାଯାଇନାହିଁ।

publive-image Image Courtesy of Ottawa Citizen

ସାଇବର ବିଶେଷଜ୍ଞ ଆକାଶ ମିଶ୍ରଙ୍କ କହିବା ଅନୁସାରେ, ଓକାକ୍ ସିଇଓଙ୍କ ହ୍ବାଟସଆପ୍ ହ୍ୟାକ୍ ଘଟଣାରେ ହ୍ୟାକରଙ୍କ ହାତରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲାଗି ଥାଇପାରେ। ଯେପରି ତାଙ୍କର କଣ୍ଟାକ୍ଟ ତାଲିକା, ଯଦି କାହା ସହ ହ୍ବାଟସ୍‌ଆପ୍‌ରେ କୌଣସି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଆଦାନପ୍ରଦାନର ଚାଟିଂ ଚୋରି ହେବାର ଆଶଙ୍କା ରହିଛି। ଏହା ଭବିଷ୍ୟତରେ ଅଡ଼ୁଆରେ ପକାଇପାରେ। କ୍ରାଇମବ୍ରାଞ୍ଚ ଏହି ସମ୍ବେଦନଶୀଳ ମାମଲାର ତଦନ୍ତ କରୁଥିବାବେଳେ କି ଖୁଲାସା କରିବ ତାହା ଆଗକୁ ଜଣାପଡ଼ିବ।

ଉଲ୍ଲେଖଥାଉକି, କେବଳ ଏକାଧିକ ପୁଲିସ ଅଧିକାରୀ ନୁହଁନ୍ତି; ଆଇଏଏସ୍ ଅଫିସର ରାଜେଶ ପ୍ରଭାକର ପାଟିଲ, ଆର୍. ଭିନିଲ କ୍ରିଷ୍ଣା, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବୋଲଗଡ଼-ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଓ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କୁ ସାଇବର ଠକ ଟାର୍ଗେଟ୍ କରିଥିଲେ। ଏମାନଙ୍କର ଫେସବୁକ୍ କ୍ଲୋନିଂ କରି ଫେସବୁକ୍ ବନ୍ଧୁମାନଙ୍କୁ ଟଙ୍କା ମାଗିଥିଲେ।