କଲବଲ କରୁଛନ୍ତି ସାଇବର ଠକ, ବିଦ୍ୟୁତ୍ ବିଲ୍ ଦାଖଲ ନାଁରେ ଠକେଇ

ସାରା ରାଜ୍ୟରେ ଜାଲ ବିଛାଇଛନ୍ତି ଗ୍ୟାଙ୍ଗ୍‌, ଠକଙ୍କୁ ଠାବ କରିବାରେ ପୁଲିସ ବିଫଳ

ଭୁବନେଶ୍ବର : ‘ଡିୟର୍ କଷ୍ଟମର୍ ୟୋର୍ ଇଲେକ୍ଟ୍ରିସିଟି ପାଵାର ଵିଲ୍ ବି ଡିସକନେକ୍ଟେଡ୍ ଟୁନାଇଟ୍ ଆଟ୍ ୧୦.୩୦ ପିଏମ୍, ଫ୍ରମ୍‌ ଇଲେକ୍ଟ୍ରିସିଟି ଅଫିସ। ବିକଜ୍ ୟୋର୍ ପ୍ରିଭିୟସ୍ ମନ୍ଥ୍ ବିଲ୍ ଵାଜ୍ ନଟ୍ ଅପଡେଟ୍। ପ୍ଲିଜ୍ ଇମିଡିଏଟ୍‌ଲି କଣ୍ଟାକ୍ ଵିଥ୍ ୟୋର୍ ଇଲେକ୍ଟ୍ରିସିଟି ଅଫିସର୍….। ଥାଙ୍କ୍ ୟୁ’। ଗତ ୫ମାସ ହେଲା ଏଭଳି ଏକ ମେସେଜ୍ ପୂରା ରାଜ୍ୟବାସୀଙ୍କୁ ହନ୍ତସନ୍ତ କରିସାରିଲାଣି। କୋଉଠୁ ଆସୁଛି, କିଏ କରୁଛି ଏସବୁର ଉତ୍ତର କାହା ପାଖରେ ନାହିଁ। ମେସେଜ୍‌ରେ ଦିଆଯାଇଥିବା ନମ୍ବରକୁ ଯୋଗାଯୋଗ କଲେ ବିଚରା ଗ୍ରାହକ ସେମାନଙ୍କ ଜାଲ‌ରେ ପଡ଼ିଯାଉଛି। ଏହା ପରେ ଗ୍ରାହକଙ୍କ ସାମାନ୍ୟ ଅସାବଧାନତାର ସୁଯୋଗ ନେଇ ସାଇବର ଠକ କିଛି ମିନିଟ୍‌ ଭିତରେ ଆକାଉଣ୍ଟ୍‌କୁ ଖାଲି କରିଦେଉଛି।

ଗତ ୫ମାସ ମଧ୍ୟରେ ଲକ୍ଷାଧିକ ଲୋକଙ୍କ ପାଖକୁ ଏଭଳି ମେସେଜ୍ ଯାଇଥିବା ବେଳେ ହଜାରେରୁ ଅଧିକ ଲୋକ ଲକ୍ଷ ଲକ୍ଷ ଟଙ୍କା ହରାଇ ସାରିଲେଣି। ସାରା ରାଜ୍ୟରେ ବହୁ ସଂଖ୍ୟାରେ ଲୋକ ଏମିତି ଠକେଇର ଶିକାର ହୋଇଥିବା ଲୋକେ ଥାନାରେ ଅଭିଯୋଗ କଲେ ମଧ୍ୟ ପୁଲିସ ଚୁପ୍। ନା ମେସେଜ୍ ବ୍ଲକ୍ କରିବା ପାଇଁ କୌଣସି ବ୍ୟବସ୍ଥା କରାଯାଇଛି ନା ଅପରାଧୀକୁ ଠାବ କରାଯାଉଛି। କେବଳ ଗୋଟିଏ ଉତ୍ତର, ଏଭଳି ମେସେଜ୍‌କୁ ଅଣଦେଖା କରନ୍ତୁ। ଆଉ ସେ ସବୁ ନମ୍ବରକୁ ବ୍ଲକ୍ କରନ୍ତୁ। ଏହି ଦୁଇପଦ ଉତ୍ତରରେ ପୁଲିସ କାମ ସାରିଦେଉଥିବା ଠକେଇର ଶିକାର ବ୍ୟକ୍ତି ଅଭିଯୋଗ କରିଛନ୍ତି।

Times of India

ଏଠାରେ ପ୍ରଶ୍ନ ଉଠୁଛି ଯେ ଗତ ୫ମାସ ହେଲା ସାଇବର ଠକ ବିଦ୍ୟୁତ୍ ବିଲ୍ ଆଳରେ ରାଜ୍ୟବାସୀଙ୍କୁ ପାଣି ପିଆଇ ସାରିଥିବା ବେଳେ ପୁଲିସ କରୁଛି କ’ଣ? ଠକେଇର ଶିକାର ହୋଇଥିବା ଲୋକେ ଟଙ୍କା ଫେରିପାଇବା ଆଶା ଛାଡ଼ି ଏବେ ଭିନ୍ନ ଚିନ୍ତାରେ ପଡ଼ିଲେଣି। ଏମିତି ଆଉ କେତେ ଦିନ ଏବଂ କେଉଁ ଉପାୟରେ ସାଇବର ଅପରାଧୀଙ୍କ ଠକାମିର ଶିକାର ହେବେ? ଅପରପଟେ ସାରା ରାଜ୍ୟରେ ବିଦ୍ୟୁତ୍ ବିଲ୍ ଦାଖଲକୁ ନେଇ ସାଇବର ଅପରାଧୀ ଠକେଇ କରୁଥିବା ବେଳେ ରାଜ୍ୟର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା କ୍ରାଇମ୍‌ବ୍ରାଞ୍ଚ୍‌ର ସାଇବର ଥାନା ପୁଲିସ ଏପର୍ଯ୍ୟନ୍ତ ଗୋଟିଏ ବି ମାମଲା ରୁଜୁ କରିନାହିଁ କି ଠକେଇକୁ ନେଇ ତଦନ୍ତ ଆରମ୍ଭ କରିନାହିଁ। ଏନେଇ କ୍ରାଇମ୍‌ବ୍ରାଞ୍ଚ୍ ଏଡିଜି ଅରୁଣା ବୋଥ୍ରା କହିଛନ୍ତି, ବଡ଼ଧରଣର ଠକେଇ ହୋଇଥିଲେ କ୍ରାଇମ୍‌ବ୍ରାଞ୍ଚ୍ ତଦନ୍ତଭାର ନେଉଛି। ପୂର୍ବରୁ ବିଦ୍ୟୁତ୍ ବିଲ୍ ଦାଖଲ ନାଁରେ ସାଇବର ଠକେଇ ଘଟଣା ଆସିଥିଲା। ଠକେଇର ପରିମାଣ ଛୋଟ ହୋଇଥିବାରୁ କୌଣସି ମାମଲା ରୁଜୁ ହୋଇନାହିଁ।

ମିଳିଥିବା ସୂଚନା ଅନୁସାରେ, ସାଇବର ଠକ ହ୍ବାଟ୍ସଆପ୍ ମେସେଜ୍ ନଚେତ୍ ମୋବାଇଲ୍‌କୁ ଟେକ୍ସଟ୍ ମେସେଜ୍ ଜରିଆରେ ଲୋକଙ୍କୁ ବିଦ୍ୟୁତ୍ ବିଲ୍ ଦାଖଲ ପାଇଁ କହୁଛନ୍ତି। ୮୫୦୯୭୨୩୬୨୪, ୬୩୭୧୦୪୫୦୪୬, ୮୬୫୮୬୯୧୯୦୮… ଏମିତି ଏକାଧିକ ନମ୍ବରରୁ ମେସେଜ୍ ଆସୁଛି। ମେସେଜ୍‌ଗୁଡ଼ିକ ପ୍ରାୟତଃ ଅପରାହ୍ନରେ ଆସୁଛି। ରାତି ୯ଟା ୩୦ରୁ ୧୦ଟା ୩୦ ଭିତରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବ ବୋଲି ସତର୍କ କରାଇ ଦିଆଯାଉଛି। ଫଳରେ ଗ୍ରାହକ ବ୍ୟସ୍ତ ହୋଇ ମେସେଜ୍‌ରେ ଦିଆଯାଇଥିବା ନମ୍ବରକୁ କଲ୍‌ କରିବା ପରେ ସାଇବର୍‌ ଠକ ନିଜକୁ ବିଦ୍ୟୁତ ବିଭାଗର କର୍ମଚାରୀ ପରିଚୟ ଦେଇ ବେଶ୍‌ ଚତୁରତାର ସହ ଗ୍ରାହକଙ୍କୁ ନିଜ ଜାଲରେ ଫସାଉଛନ୍ତି। ଫୋନ୍ ପେ’ରେ ଟଙ୍କା ପଠାଇବାକୁ କହୁଛନ୍ତି ନଚେତ୍ ରିମୋଟ୍ କଣ୍ଟ୍ରୋଲ୍ ଆପ୍, କୁଇକ୍ ସପୋର୍ଟ ଆପ ଓ ଟିମ୍ ଭ୍ୟୁଅର୍ ଆପ୍ ମୋବାଇଲରେ ଇନଷ୍ଟଲ୍ କରିବାକୁ କହୁଛନ୍ତି। ଏହା ପରେ ଆସିଥିବା ଓଟିପି ନେଇ ମୋବାଇଲ୍‌ ପରିଚାଳନାର ସଂପୂର୍ଣ୍ଣ ନିୟନ୍ତ୍ରଣ ନିଜ ହାତରେ ରଖୁଛନ୍ତି। ପରେ ଆକାଉଣ୍ଟ୍‌ରୁ ୧ଟଙ୍କା ପଠାଇବାକୁ କହି ୟୁପିଆଇ ଆଇଡିର ପାସଵାର୍ଡ ନେଉଛନ୍ତି। ଏହି କ୍ରମରେ ଆକାଉଣ୍ଟ୍‌ରୁ ଟଙ୍କା ଖାଲି କରୁଛନ୍ତି ଅପରାଧୀ।

ଏନେଇ ସାଇବର ବିଶେଷଜ୍ଞ ଚନ୍ଦ୍ରଶେଖର ବିଶ୍ବାଳ କହିଛନ୍ତି, ଦୈନନ୍ଦିନ ଜୀବନଶୈଳୀକୁ ଟାର୍ଗେଟ୍ କରି ସାଇବର ଠକ ଲୋକଙ୍କୁ ଠକେଇ କରୁଛନ୍ତି। ସେହିଭଳି ଗତ ୫ମାସ ହେଲା ରାଜ୍ୟରେ ବିଦ୍ୟୁତ୍ ବିଲ୍ ଦାଖଲ ଆଳରେ ଠକେଇ ଜୋରଦାର୍ ହେଉଛି। ଏଭଳି ମେସେଜ୍ ଆସିଲେ ଲୋକେ ବିଦ୍ୟୁତ୍ ବିଭାଗକୁ ଯୋଗାଯୋଗ କରିବା କଥା। ଯଦିବା ଠକେଇର ଶିକାର ହେଉଛନ୍ତି, ସାଇବର ଥାନାରେ ତୁରନ୍ତ ଅଭିଯୋଗ କରନ୍ତୁ। ଯେଉଁ ୟୁପିଆଇଡି ଜରିଆରେ ଟଙ୍କା ବ୍ୟାଙ୍କ୍‌କୁ ଯାଇଛି, ଉକ୍ତ ଆକାଉଣ୍ଟକୁ ଅଚଳ କରିବା ସହ ଆକାଉଣ୍ଟ୍‌ ମାଲିକକୁ ଗିରଫ କରାଯାଉ।

Vindhya Bhaskar

ଜୁଲାଇରୁ ତଦନ୍ତରେ ତାଲା
ଭୁବନେଶ୍ବର ସାଇବର ଥାନା ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଗତ ମେ’ରେ ବିଦ୍ୟୁତ୍ ବିଲ୍ ଠକେଇକୁ ନେଇ ଅଭିଯୋଗ ଆସିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୫୦ରୁ ଅଧିକ ଠକେଇ ଅଭିଯୋଗ ଆସିଥିବା ବେଳେ କିଛି ଲୋକ ଟଙ୍କା ଫେରି ପାଇଛନ୍ତି। ଏଭଳି ଠକେଇକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି। ମାତ୍ର ଏପର୍ଯ୍ୟନ୍ତ କୌଣସି ଅଭିଯୁକ୍ତ ଧରାପଡ଼ିନାହାନ୍ତି। କେବଳ ଭୁବନେଶ୍ବର ସାଇବର ଥାନା ନୁହେଁ ବରଂ ରାଜ୍ୟର ଅନ୍ୟ ୧୩ଟି ସାଇବର ଥାନା ପୁଲିସ ବି ମାମଲା ରୁଜୁ କରି ବସିଛି। ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି, ଭୁବନେଶ୍ବର ସାଇବର ଥାନାରେ ଅଭିଯୋଗ ପରେ ମାମଲା ରୁଜୁ କରି ମେସେଜ୍ ଆସୁଥିବା ନମ୍ବରର ସିଡିଆର୍ ବାହାର କରି ତଦନ୍ତ କରିଥିଲା। ତଦନ୍ତରୁ ଜଣାପଡ଼ିଥିଲା, ଝାଡ଼ଖଣ୍ଡର ଗିରିଡିହରୁ ଏକ ଗ୍ୟାଙ୍ଗ୍ ଏହି ଠକେଇ କରୁଛନ୍ତି। ପ୍ରି ଆକ୍ଟିଭେଟେଡ୍ ସିମ୍‌ ବ୍ୟବହାର କରି ଲୋକଙ୍କୁ ଠକେଇ କରୁଥିବାରୁ ସେମାନଙ୍କୁ ଧରିବା ସମ୍ଭବ ହେଉନାହିଁ। ବାସ୍ ଏଇଭଳି ଏକ ରିପୋର୍ଟ ଦାଖଲ କରି ଜୁଲାଇରେ ତଦନ୍ତ ବନ୍ଦ କରିଥିଲା। ଆଉ ଅପରପଟେ ଠକେଇ ଏବେ ବି ନିୟମିତ ଠକେଇ କରାଯାଉଥିବା ଅଭିଯୋଗ ହୋଇଛି।

ପଡ଼ୋଶୀ ଆଗୁଆ; ଓଡ଼ିଶା ପଛୁଆ
ଗତ ଫେବ୍ରୁଆରି ମାସରେ ମହାରାଷ୍ଟ୍ର ପୁଲିସକୁ ଅଭିଯୋଗ ଆସିଥିଲା ଯେ ଏକ ନକଲି ଇଲେକ୍ଟ୍ରି ୱେବସାଇଟ୍ ଜରିଆରେ ପ୍ରାୟ ୮୦ଜଣ ଲୋକଙ୍କ ଠାରୁ କୋଟିଏରୁ ଅଧିକ ଟଙ୍କା ଠକେଇ ହୋଇସାରିଲାଣି। ଅଭିଯୋଗର କିଛି ଦିନ ମଧ୍ୟରେ ମହାରାଷ୍ଟ୍ର ପୁଲିସ ଜଣେ ସାଇବର ଠକକୁ ଗିରଫ କରିଥିଲା। ଏହା ପରେ ୨୦ଜୁଲାଇରେ ନକଲି ବିଦ୍ୟୁତ୍‌ ମେସେଜ୍ ପଠାଇ ଲକ୍ଷାଧିକ ଟଙ୍କା ଚଳୁ କରିବା ଅଭିଯୋଗରେ ପୁଣି ମହାରାଷ୍ଟ୍ର ପୁଲିସ ସୁରଜ କୁମାର ସାବ୍ ନାମକ ଅପରାଧୀକୁ ଗିରଫ କରିଥିଲା। ଆଉ ନିକଟରେ ଅର୍ଥାତ୍ ୧୭ଅଗଷ୍ଟରେ କୋଲ୍‌କତାର ଡିଟେକ୍ଟିଭ୍ ଡିପାର୍ଟମେଣ୍ଟ ଏକ ୫ଜଣିଆ ସାଇବର ଠକେଇ ଗ୍ୟାଙ୍ଗ୍‌କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ପ୍ରାୟ ୧୦ଲକ୍ଷ ଟଙ୍କା ସେମାନଙ୍କ ଠାରୁ ଜବତ କରାଯାଇଛି। କେବଳ ମହାରାଷ୍ଟ୍ର କି ପଶ୍ଚିମବଙ୍ଗ ପୁଲିସ ନୁହେଁ, ବରଂ କର୍ଣ୍ଣାଟକ, ଦିଲ୍ଲୀ, ତେଲେଙ୍ଗାନା ପ୍ରମୁଖ ରାଜ୍ୟ ଏହି ଗ୍ୟାଙ୍ଗ୍‌ର ଅପରାଧୀଙ୍କୁ ଗିରଫ କରିଥିବା ବେଳେ ଓଡ଼ିଶା ପୁଲିସର ହାତ ଏବେ ବି ଖାଲି ରହିଛି।

ଅବସରପ୍ରାପ୍ତ ଆଇଏଏସ୍‌ଠୁ ଆରମ୍ଭ କରି ଅଧ୍ୟାପକ ପର୍ଯ୍ୟନ୍ତ….
ବିଭିନ୍ନ ଜିଲ୍ଲାରୁ ପ୍ରାୟ ହଜାରେରୁ ଅଧିକ ଲୋକଙ୍କୁ ବିଦ୍ୟୁତ୍ ବିଲ୍ ଜାଲରେ ଫସାଇ ଠକେଇ କରାଯାଇଥିବା ବେଳେ ସମାଜର ବିଭିନ୍ନ ବର୍ଗର ଲୋକେ ଏଥିରେ ସାମିଲ୍ ଅଛନ୍ତି। ବରିଷ୍ଠ ନାଗରିକଙ୍କ ଠାରୁ ଆରମ୍ଭ କରି ଯୁବ ପିଢ଼ି, ଅପରପଟେ ଅବସରପ୍ରାପ୍ତ ଆଇଏଏସ୍‌ଠୁ ନେଇ ଅଧ୍ୟାପକ ପର୍ଯ୍ୟନ୍ତ ସମସ୍ତଙ୍କୁ ବିଦ୍ୟୁତ୍ ବିଲ୍ ନାଁରେ ଠକେଇ କରାଯାଇଛି। ସୂଚନା ମୁତାବକ, ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଏନ୍ ଏନ୍ ହୋତା ଗତ କିଛି ସପ୍ତାହ ତଳେ ଠକଙ୍କ ଜାଲରେ ପଡ଼ି ଲକ୍ଷାଧିକ ଟଙ୍କା ହରାଇଥିଲେ। ଠକେଇ ହେବାର କିଛିଘଣ୍ଟା ମଧ୍ୟରେ ଭୁବନେଶ୍ବର ସାଇବର ଥାନାର ଦ୍ବାରସ୍ଥ ହେବା ପରେ ପୁଲିସ ତାଙ୍କର ସମସ୍ତ ଟଙ୍କା ରିକଭରି କରିଥିଲା। ସାଇବର ଠକର ଆକାଉଣ୍ଟକୁ ଅଚଳ କରିବା ଯୋଗୁଁ ଟଙ୍କା ଫେରିଥିଲା ହେଲେ ସାଇବର ଅପରାଧୀକୁ ଧରିପାରିନଥିଲା। ସେହିଭଳି ନିକଟରେ ଜଣେ ଅଧ୍ୟାପକ ସୁନୀଲ କୁମାର ଜେନାଙ୍କୁ ଠକ ବିଦ୍ୟୁତ୍ ବିଲ୍ ଦେବା ନାଁରେ କୁଇକ୍ ସପୋର୍ଟ ଆପ୍ ଡାଉନଲୋଡ୍ କରାଇଥିଲେ। ଏହା ପରେ ତାଙ୍କୁ ୧ଟଙ୍କା ପଠାଇବାକୁ କହି ପ୍ରାୟ ୨୬ହଜାର ଟଙ୍କା ଚଳୁ କରିନେଇଥିଲେ।

କେବେ ନିଯୁକ୍ତ ହେବେ ୯୦ ବିଶେଷଜ୍ଞ?
୨୦୨୧ ଡିସେମ୍ବରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ, ରାଜ୍ୟରେ ୧୧ଟି ନୂଆ ସାଇବର ଥାନା ଖୋଲାଯିବ। ଏଥିରେ ୯୦ ଜଣ ସ୍ବତନ୍ତ୍ର ବିଶେଷଜ୍ଞ ନିଯୁକ୍ତ ଦିଆଯିବ। ଯେଉଁମାନଙ୍କ ମଧ୍ୟରେ ଫାଇନାନ୍ସ ଓ ଆକାଉଣ୍ଟ୍ ବିଶ୍ଲେଷକ, ଆଇଟି ବିଶେଷଜ୍ଞ ଓ ସାଇବର ଫୋରେନ୍ସିକ୍ ବିଶେଷଜ୍ଞ ରହିବେ। ୧୧ଟି ନୂଆ ଥାନା ସମେତ ୧୪ଟି ସାଇବର ଥାନା ଖୋଲିଲା ମାତ୍ର ଏପର୍ଯ୍ୟନ୍ତ କୌଣସି ଥାନାରେ ଜଣେ ହେଲେ ବିଶେଷଜ୍ଞଙ୍କୁ ନିଯୁକ୍ତ କରାଯାଇନଥିବା ଜଣାପଡ଼ିଛି। ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ଯଦି ଥାନାକୁ ପର୍ଯ୍ୟାପ୍ତ ପରିମାଣରେ କର୍ମଚାରୀ ଦିଆଯିବ, ତେବେ ସୀମିତ ଜ୍ଞାନ କୌଶଳରେ ବି ଅପରାଧୀଙ୍କୁ ଧରାଯାଇପାରିବ। ଅପରପଟେ ରାଜ୍ୟ ବାହାରେ ସାଇବର ଅପରାଧୀ ରହୁଥିବାରୁ ଚଢ଼ଉ ପାଇଁ ମାସ ମାସ ରାଜ୍ୟ ବାହାରକୁ ଯାଇ ଡେରା ପକାଇବାକୁ ପଡ଼ୁଛି। ମାତ୍ର ଟଙ୍କା ଖର୍ଚ୍ଚରେ ଲଗାମ୍ ଦିଆଯାଇଥିବାରୁ ପୁଲିସ ଅପରାଧୀଙ୍କ ପାଖ ପହଞ୍ଚିପାରୁନାହିଁ। ଯେଉଁଥିପାଇଁ ବାରମ୍ବାର ଠକେଇ ହେଉଛି।

ସମ୍ବନ୍ଧିତ ଖବର