ସାଇବର ଠକେଇ: ଉପକୂଳ ଅଞ୍ଚଳରେ ମିଳିଲାଣି ୧୦ ସିମ୍ ବକ୍ସ

କଟକ : ଓଡ଼ିଶାରେ ସାମ୍ରାଜ୍ୟ ଗଢିଲେଣି ସାଇବର୍ ଅପରାଧୀ। ଅପରାଧରେ ବ୍ୟବହାର ହେଉଥିବା ମୋବାଇଲ୍ ନମ୍ବରର ଠିକଣା ଲୁଚାଇବା ପାଇଁ ଅଣ୍ଡରଵାର୍ଲଡ ଡନ୍ ଓ ସାଇବର୍ ଅପରାଧୀ ବ୍ୟବହାର କରୁଥିବା ୧୦ଟି ନିଷିଦ୍ଧ ‘ସିମ୍ ବକ୍ସ’ ଓଡ଼ିଶାରୁ ମିଳିବା ଘଟଣା ଓଡ଼ିଶା ପୁଲିସକୁ ଚକିତ କରିଛି। ଏହି ମାମଲାରେ ଅଣ୍ଡରଵାର୍ଲଡ ଡନ୍ ଛୋଟା ରାଜନ୍, ନାଇଜେରିଆନ୍ ଓ ଜାମତାରା ଗ୍ୟାଙ୍ଗର ସମ୍ପୃକ୍ତି ସାମ୍‌ନାକୁ ଆସିବାପରେ କ୍ରାଇମବ୍ରାଞ୍ଚ୍‌ର ହୋସ୍ ଉଡ଼ିଯାଇଛି। ଚାଇନାରୁ ଆମଦାନୀ ଏହି ସିମ୍ ବକ୍ସ କେଉଁଠାରୁ ଚାଲାଣ ହେଉଛି, ସେ ସମ୍ପର୍କରେ କିନ୍ତୁ କ୍ରାଇମବ୍ରାଞ୍ଚ ପ୍ରତ୍ୟେକ ମାମଲାରେ ଅନ୍ଧାରରେ ରହୁଥିବାରୁ ଅପରାଧୀଙ୍କ ପାଇଁ ଓଡ଼ିଶା ସୁରକ୍ଷିତ ସ୍ଥାନ ପାଲଟିଛି।

୨୦୧୭ ଜୁଲାଇ ୭ ତାରିଖରେ ହଂକଂରେ ଥିବା ଅଣ୍ତର୍‌ଵାର୍ଲଡ୍‌ ଡନ୍‌ ଛୋଟା ରାଜନ୍‌ ଗ୍ୟାଙ୍ଗ୍‌ର ଖାସ୍ ସହଯୋଗୀ ସୁରେଶ ପୂଜାରୀ ବ୍ରହ୍ମପୁରର ଏକ ସିମ୍ ବକ୍ସ ମାଧ୍ୟମରେ ମୁମ୍ବାଇର ଜଣେ ବ୍ୟବସାୟୀଙ୍କୁ ଦୁଇ କୋଟି ଟଙ୍କା ବଟି ମାଗିଥିଲା। ଏହି ମାମଲାରେ ଓଡ଼ିଶାର କ୍ରାଇମବ୍ରାଞ୍ଚ ମାଷ୍ଟରମାଇଣ୍ତ ଟି.ଲକ୍ଷ୍ମୀନାରାୟଣ ସରାଫ୍‌ ସମେତ ୪ ଜଣ ଏଜେଣ୍ଟଙ୍କୁ ଗିରଫ କରିଥିଲା। ଏମାନଙ୍କ ନିକଟରୁ ୫ଟି ‘ସିମ୍‌ ବକ୍ସ’ ଜବତ ହୋଇଥିଲା। କ୍ରାଇମବ୍ରାଞ୍ଚ୍‌ ଏହି ମାମଲାରେ ଜବତ କରିଥିବା ସିମ୍‌ ଦୀପିକା ପାଣିଗ୍ରାହୀ ନାମ୍ନୀ ଜଣେ ଯୁବତୀଙ୍କ ପରିଚୟପତ୍ରରେ ବ୍ୟବହାର ହୋଇଥିବା ଜାଣିବାକୁ ପାଇଥିଲା। ତେବେ ଛୋଟା ରାଜନ୍‌ ସହିତ ଦୀପିକାଙ୍କ କି ପ୍ରକାର ସମ୍ପର୍କ ରହିଛି, ସେନେଇ କ୍ରାଇମବ୍ରାଞ୍ଚ ଆଜି ସୁଦ୍ଧା କୌଣସି ପ୍ରକାର ତଦନ୍ତରେ ଅଗ୍ରଗତି କରିପାରିଲା ନାହିଁ। ଏହି ଗ୍ୟାଙ୍ଗ ଭୁବନେଶ୍ବରରେ ୨ଟି ‘ସିମ୍‌ ବକ୍ସ’ ବ୍ୟବହାର କରିଥିବା ଜଣାପଡ଼ିଥିଲା। କ୍ରାଇମବ୍ରାଞ୍ଚ ସେ ନେଇ କୌଣସି ତଥ୍ୟ ପାଇନାହିଁ।

Vindhya Bhaskar

ସେହିବର୍ଷ ଅଗଷ୍ଟ ୧୧ ତାରିଖରେ ସିଡିଏ ସେକ୍ଟର ୭ରେ ରହୁଥିବା ୩ ଜଣ ଅଣ୍ଡରଵାର୍ଲଡ ଡନ୍‌ଙ୍କ ଏଜେଣ୍ଟ ଧରାପଡ଼ିଥିଲେ। ଛତିଶଗଡ଼ ରାଜନନ୍ଦଗାଓଁ ପୁଲିସ ସିଡିଏରେ ଚଢ଼ଉ କରି ବିହାର ପଶ୍ଚିମ ଚମ୍ପାରାମ୍‌ର ଧୀରଜ ରାଓଙ୍କ ସମେତ ଭୁବନେଶ୍ବର ସ୍ବପ୍ନସଜିତ ପ୍ରଧାନ ଏବ˚ ବିଡ଼ାନାସୀରେ ରହୁଥିବା କେନ୍ଦ୍ରାପଡ଼ାର ଜନ୍ମେଜୟ ଦାସକୁ ଗିରଫ କରିଥିଲା। ଅଣ୍ଡରଵାର୍ଲଡ୍ ଡନଙ୍କ ଏଜେଣ୍ଟ ଛତିଶଗଡ଼ ରାଜନନ୍ଦନଗାଓଁର ଜଣେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ବଟି ମାଗିଥିବା ଲିଙ୍କ୍‌ରେ ଏମାନଙ୍କୁ ଗିରଫ କରାଯାଇଥିଲା। ଏହି ଗ୍ୟାଙ୍ଗ୍ ବି ସିମ୍ ବକ୍ସ ମାଧ୍ୟମରେ ମହିଳାଙ୍କୁ ବଟି ମାଗିଥିଲେ। ଗଲା ୧୨ ତାରିଖରେ ବାରିପଦା ଖୁଣ୍ଟା ଥାନା ବନ୍ଧ ଗାଁରେ ଥିବା ଏକ ଜଙ୍ଗଲିଆ ଅଞ୍ଚଳରୁ ଦୁଇଟି ସିମ୍ ବକ୍ସ ପୁଣି ଜବତ ହେବା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ଖେଳିଯାଇଛି। ଏହି ସିମ୍ ବକ୍ସ ସିଧାସଳଖ ନାଇଜେରିଆନ୍ ଗ୍ରୁପ ଓ ଝାଡ଼ଖଣ୍ଡର ଜାମତାରା ଗ୍ୟାଙ୍ଗ ସହିତ ସମ୍ପର୍କରେ ଥିବା କୁହାଯାଉଛି। ଗିରଫ ୬ ଅଭିଯୁକ୍ତଙ୍କୁ ପୁଲିସ ରିମାଣ୍ଡରେ ଆଣିବା ପରେ ଅଧିକ ତଥ୍ୟ ସାମ୍‌ନାକୁ ଆସିପାରିବ।

ସାଇବର୍ ବିଶେଷଜ୍ଞ ପ୍ରଶାନ୍ତ ସାହୁଙ୍କ କହିବା ଅନୁଯାୟୀ, ସିମ୍ ବକ୍ସ ଏକ ହାର୍ଡୱେୟାର। ଇଣ୍ଟରନେଟ୍ ମାଧ୍ୟମରେ ଏହାକୁ ବ୍ୟବହାର କରାଯାଏ। ଗୋଟିଏ ସିମ୍ ବକ୍ସରେ ପ୍ରାୟ ୫୦୦ ସିମ୍ କାର୍ଡ ରହିବାର ବ୍ୟବସ୍ଥା ରହିଛି। ଏକକାଳୀନ ୧୦୦ରୁ ଉର୍ଦ୍ଧ୍ବ ମେସେଜ୍ ଓ ଫୋନ୍‌କଲ୍ ଏଥିରୁ କରିବାର ବ୍ୟବସ୍ଥା ରହିଛି। ବ୍ୟାଙ୍କ୍‌ ଓ ମୋବାଇଲ୍ ଗ୍ରାହକଙ୍କୁ କେଵାଇସି ଅପଡେଟ, ଲଟେରି ଓ ଇଲେକ୍ଟ୍ରିକ୍ ବିଲ୍ ପୈଠ ପାଇଁ ଯେଉଁ ମେସେଜ୍ ଯାଉଛି, ଏହି ସିମ୍‌ବକ୍ସ ମାଧ୍ୟମରେ ହିଁ ପଠାଯାଉଛି। ଏହାକୁ ଟ୍ରାକ୍ କରିବା ଏତେଟା ସହଜ ନୁହେଁ ବୋଲି ଶ୍ରୀ ସାହୁ କହିଛନ୍ତି।

ସିମ୍ ବକ୍ସ୍‌ରେ ମାସ୍କ୍‌ କଲ୍‌

ମିନି ଟେଲିଫୋନ୍‌ ଏକ୍ସଚେଞ୍ଜ ଭାବେ କାମ କରୁଛି ସିମ୍‌ ବକ୍ସ। ଟେଲିକମ୍‌ ରେଗୁଲେଟୋରି ଅଥରିଟି ଅଫ୍‌ ଇଣ୍ତିଆ(ଟ୍ରାଇ) ଦ୍ବାରା ଏଭଳି ଚାଇନା ଦ୍ବାରା ନିର୍ମିତ ଯନ୍ତ୍ରା˚ଶକୁ ଭାରତରେ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରାଯାଇଛି। ସିମ୍‌ ବକ୍ସ ଅନ୍ତର୍ଜାତୀୟ ଫୋନ୍‌ କଲ୍‌କୁ ଜାତୀୟ କଲ୍‌ରେ ପରିବର୍ତ୍ତନ କରିପାରେ। ସିମ୍‌ ବକ୍ସ ଲାପଟପରେ ଅପରେଟ୍‌ କରିବାପାଇଁ ବ୍ୟବହାର ହେଉଥିବା ସ୍ବତନ୍ତ୍ର ଆପ୍ଲିକେସନ ଅହମ୍ମଦାବାଦ୍‌, ହାଇଦ୍ରାବାଦ୍‌ ଏବ˚ ଦିଲ୍ଲୀର ଏକ ଆଇଟି ଫାର୍ମ ଯୋଗାଉଛି। ଛୋଟା ରାଜନ୍‌ ଗ୍ୟାଙ୍ଗ ହଂକଂ, ସିଙ୍ଗାପୁର, ଦୁବାଇ ଏବ˚ ଚାଇନାରୁ କରୁଥିବା ଫୋନ୍‌ କଲ୍‌ଗୁଡ଼ିକ ଓଡ଼ିଶାରେ ସିମ୍‌ ବକ୍ସ ମାଧ୍ୟମରେ ପରିବର୍ତ୍ତନ କରାଯାଉଛି। ଓଡ଼ିଶା ସମେତ ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, କଲିକତାର ସାଇବର୍ ଅପରାଧୀମାନେ ଗ୍ରାହକଙ୍କୁ ଯେଉଁ ମ୍ୟାସେଜ୍ ଏବଂ ଫୋନ୍ କରୁଛନ୍ତି, ସେଥିରେ ଏଭଳି ସିମ୍ ବକ୍ସର ସହାୟତା ନେଉଛନ୍ତି। ଭାରତ ଭିତରେ କଲ୍‌ଗୁଡ଼ିକ ପ୍ରଥମେ ‘ଇଣ୍ଟର‌୍‌ନ୍ୟାସ୍‌ନାଲ ଗେଟ୍‌ୱେ’ ଜରିଆରେ ଦେଶ ବାହାରକୁ ଯାଇ ଏକ ଆନ୍ତର୍ଜାତିକ ନମ୍ବର(ଅଷ୍ଟ୍ରେଲିଆ, ସୁଇଜରଲ୍ୟାଣ୍ତ, ଫ୍ରାନ୍ସର)କୁ ପରିବର୍ତ୍ତନ ହେଉଛି। ପରେ ଉକ୍ତ ଆନ୍ତର୍ଜାତୀୟ ନମ୍ବରରୁ ଭାରତରେ ସାଧାରଣ ଲୋକଙ୍କୁ ଟାର୍ଗେଟ୍‌ କରାଯାଉଛି।

ଏଭଳି ଅତ୍ୟାଧୁନିକ ବ୍ୟବସ୍ଥାକୁ ନେଟ୍‌ଵାର୍କି˚ ଭାଷାରେ ‘ମାସ୍କ୍‌ କଲ୍‌’ କୁହାଯାଏ। ଏଥିରେ ଅପରାଧୀ ନିଜର ପ୍ରକୃତ ନମ୍ବରଟିକୁ ଘୋଡ଼ାଇ ଦେଇ ଅନ୍ୟ ଏକ ଆନ୍ତର୍ଜାତିକ ନମ୍ବର ଜରିଆରେ କଥାବାର୍ତ୍ତା ହେଉଥିବାରୁ ପୁଲିସ କାରବାର ପଛରେ ଥିବା ମାଷ୍ଟରମାଇଣ୍ଡ ନିକଟରେ ସହଜରେ ପହଞ୍ଚି ପାରୁନାହିଁ।

ସମ୍ବନ୍ଧିତ ଖବର