ଲକ୍‌ଡାଉନ୍‌ ସମୟରେ ସାଇବର ଅପରାଧୀ ସକ୍ରିୟ : ଘରେ ବସି ରୋଜଗାର ନାଁରେ ଲୁଟୁଛନ୍ତି

ବଢ଼ୁଛି ଅନଲାଇନ୍ ମଦ ଠକେଇ, ପଦକ୍ଷେପ ଶୂନ୍

ଭୁବନେଶ୍ବର : ସୌମ୍ୟରଞ୍ଜନ ମହାନ୍ତି। ସ୍ନାତକ ପରେ କୌଣସି ଚାକିରି ନ ମିଳିବାରୁ ଏବେ ବେକାର ହୋଇ ଘରେ ବସିଛନ୍ତି। ଏତିକି ବେଳେ ଗୁଜୁରାଟର ଏକ ଫୋନ୍ କଲ ପାଇଲେ। ଘରେ ବସି ମାସିକ ୧୫ରୁ ୨୦ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିବାର ବାଟ ଦେଖାଇଲେ ଫୋନ୍ କରିଥିବା ବ୍ୟକ୍ତି। ସୌମ୍ୟରଞ୍ଜନ ରାଜି ହୋଇଯିବା ପରେ ଫୋନରେ ସାକ୍ଷାତକାର ସରିଲା। ଚୁକ୍ତିନାମା ପରେ କାମ ଆରମ୍ଭ କଲେ ସୌମ୍ୟରଞ୍ଜନ। କିଛି ଦିନ କାମ କରିବା ପରେ କାମ ଖରାପ ଥିବା ସମ୍ପୃକ୍ତ ସଂସ୍ଥା ପକ୍ଷରୁ କୁହା ଯାଇଥିଲା। ଚୁକ୍ତିନାମା ଅନୁସାରେ, ସୌମ୍ୟରଞ୍ଜନଙ୍କୁ ଫାଇନ୍ ଦେବା ପାଇଁ କୋର୍ଟରୁ ନୋଟିସ୍ ଆସିଲା। ଏକ ବ୍ୟାଙ୍କ ଆକାଉଣ୍ଟ ନମ୍ବର ବି ରହିଥିଲା। ନୋଟିସ୍‌ ପାଇ ଭୟଭୀତ ହୋଇଗଲେ ସୌମ୍ୟରଞ୍ଜନ। କିନ୍ତୁ ଖୋଳତାଡ଼ ପରେ ସେହି କୋର୍ଟ ଚିଠି ଜାଲ ବୋଲି ସେ ଜାଣିବାକୁ ପାଇଲେ। ସୌମ୍ୟରଞ୍ଜନ ସିନା ନିଜ ଉପସ୍ଥିତ ବୁଦ୍ଧି ଖଟାଇ ଠକେଇକୁ ଧରିଲେ। କିନ୍ତୁ ଶତାଧିକ ଶିକ୍ଷିତ ବେକାରୀ ଏହିଭଳି ଭାବେ ଠକାମିର ଶିକାର ହୋଇ ଚାଲିଛନ୍ତି।

ଲକ୍‌ଡାଉନ୍ ସମୟରେ ସାଇବର ଅପରାଧୀ ଅଧିକ ସକ୍ରିୟ ହୋଇଯାଇଛନ୍ତି। ରୋଜଗାର ବାଟ ଦେଖାଇ ଯୁବକ/ଯୁବତୀମାନଙ୍କୁ ଲୁଟି ଚାଲିଛନ୍ତି। ଘରେ ବସି ରୋଜଗାରର ସହଜ ଉପାୟ ଜାଲରେ ପଡ଼ି ଯାଉଛନ୍ତି ବେକାର ଯୁବକ/ଯୁବତୀ। ଯାହା ଚିନ୍ତାର କାରଣ ପାଲଟିଛି।

ସାଇବର୍‌ ବିଶେଷଜ୍ଞ ପ୍ରଶାନ୍ତ ସାହୁଙ୍କ କହିବା ଅନୁସାରେ, ବିଶେଷକରି ଗୁଜରାଟରୁ ଏଭଳି କଲ୍ ଆସୁଛି। ବେକାର ଯୁବକ/ଯୁବତୀମାନେ ବଶବର୍ତ୍ତୀ ହୋଇ ସାଇବର୍‌ ଅପରାଧୀଙ୍କ ଜାଲରେ ଛନ୍ଦି ହୋଇଯାଉଛନ୍ତି। ଏଭଳି ଲୋଭର ବଶବର୍ତ୍ତୀ ନ ହେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ପୁଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର। ଏଥିପ୍ରତି ଯୁବକଯୁବତୀମାନେ ସତର୍କ ହେବା ଦରକାର ବୋଲି ସେ ପରାମର୍ଶ ଦେଇଛନ୍ତି। କିନ୍ତୁ ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ କିମ୍ବା ଓଡ଼ିଶା ପୁଲିସ ପକ୍ଷରୁ ଏନେଇ କୌଣସି ସତର୍କତାମୂଳକ ସଚେତନତା ଜାରି କରାଯାଉ ନାହିଁ। ଫଳରେ ଏଭଳି ଘଟଣା ହ୍ରାସ ପାଇ ପାରୁ ନାହିଁ। ସଚେତନତା ବାର୍ତ୍ତା ଜାରି ହେଲେ ହୁଏତ ଏଭଳି ସାଇବର ଅପରାଧୀ କମି ପାରିବ ବୋଲି ବିଶେଷଜ୍ଞ ପ୍ରଶାନ୍ତ ସାହୁ ମତ ଦେଇଛନ୍ତି।

ବଢ଼ୁଛି ଅନଲାଇନ୍ ମଦ ଠକେଇ, ପଦକ୍ଷେପ ଶୂନ୍
ଲକ୍‌ଡାଉନ୍ ପାଇଁ କେବଳ ଅତ୍ୟାବଶ୍ୟାକ ସାମଗ୍ରୀକୁ ଛାଡ଼ି ଦେଲେ ବାକି ସବୁ ଦୋକାନ ବନ୍ଦ ରହିଛି। ମଦ ଦୋକାନ ବି ବନ୍ଦ ରହିଛି। ଏଭଳି ସ୍ଥିତିରେ ସାଇବର ଅପରାଧୀଙ୍କୁ ବଡ଼ ସୁଯୋଗ ମିଳିଛି। ଫେସବୁକରେ ରାଜଧାନୀର ନାମୀଦାମୀ ଦୋକାନର ଜାଲ୍ ଆଇଡି ତିଆରି କରି ଅନଲାଇନରେ ମଦ ଯୋଗାଇ ଦିଆଯିବ ବୋଲି ବିଜ୍ଞାପନ ଦେଇଛନ୍ତି। ଲୋକେ ଠକାମିର ଶିକାର ହେବା ପରେ ଏଭଳି ଘଟଣା ପଦାକୁ ଆସିଛି। ମଦ ଦୋକାନ ପକ୍ଷରୁ ଏନେଇ ଲକ୍ଷ୍ମୀସାଗର, ନୟାପଲ୍ଲୀ, ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। କିନ୍ତୁ ସଚେତନତା ଲାଗି ଅବକାରୀ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଓଡ଼ିଶାରେ ଅନଲାଇନ୍ ମଦ ବିକ୍ରି ବ୍ୟବସ୍ଥା ଅଛି କି ନାହିଁ? କେମିତି ଲୋକେ ଠକାମିରୁ ବର୍ତ୍ତିପାରିବେ ? କେମିତି ଠକେଇକୁ ରୋକାଯାଇପାରିବ, ଏ ନେଇ ଅବକାରୀ ବିଭାଗ କିମ୍ବା ରାଜ୍ୟ ପୁଲିସ ପକ୍ଷରୁ କୌଣସି ସଚେତନତା ପଦକ୍ଷେପ ନିଆଯାଇ ନାହିଁ।

ସମ୍ବନ୍ଧିତ ଖବର