ସମ୍ବଲପୁର: ସମ୍ବଲପୁରରେ ସାଇବର୍‌ ଠକେଇ ଥମିବାର ନାଁ ନେଉ ନଥିବା ବେଳେ ଠକମାନେ ନୂଆ ନୂଆ ଉପାୟରେ ଲୋକଙ୍କୁ ଠକିବାରେ ଲାଗିଛନ୍ତି। ପିଏମ୍‌ କୁସୁମ୍‌ ଯୋଜନା ଅଧୀନରେ ୫ ଏଚ୍‌ପିର ପାଣି ପମ୍ପ ଇନ୍‌ଷ୍ଟାଲେସନ୍‌ ପାଇଁ ଆବେଦନ କରିଥିଲେ। ସାଇବର୍‌ ଠକ ଚତୁରତାର ସହ ଆବେଦନକାରୀଙ୍କୁ ବିଭିନ୍ନ ଆଳ ଦେଖାଇ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏ ନେଇ ଗୋବିନ୍ଦତୋଲାର ରାଧାରାଣୀ ପାଣିଗ୍ରାହୀ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ସୂଚନାଅନୁଯାୟୀ, ଗୋବିନ୍ଦତୋଲାର ରାଧାରାଣୀ ପାଣିଗ୍ରାହୀ ପିଏମ୍‌ କୁସୁମ୍‌ ଯୋଜନା ଅଧୀନରେ ୫ ଏଚ୍‌ପିର ପାଣି ପମ୍ପ ଇନ୍‌ଷ୍ଟାଲେସନ୍‌ ପାଇଁ ଆବେଦନ କରିଥିଲେ। ଆବେଦନର ପରଦିନ ହିଁ ତାଙ୍କୁ ଏକ ଅନୁମୋଦନ ଚିଠି ଆସିଯାଇଥିଲା ଏବଂ ରେଜିଷ୍ଟ୍ରେସନ୍‌ ଫି’ ବାବାଦକୁ ୫୬୦୦ ଟଙ୍କା ଜମା କରିବା ପାଇଁ କହାଯାଇଥିଲା। ସାଇବର୍‌ ଠକ ଚଲାଇଥିବା ଏହି ଚାଲ୍‌ ରାଧାରାଣୀ ବୁଝି ପାରି ନଥିଲେ ଏବଂ ଚିଠି ଅନୁଯାୟୀ ଟଙ୍କା ଡିପୋଜିଟ୍‌ କରିଦେଲେ। ଟଙ୍କା ଜମା କରିବା ପରେ ଗୋଟିଏ ପରେ ଗୋଟିଏ ଚିଠି ଆସିଲା ଏବଂ ବିଭିନ୍ନ ବାହାନା କରି ଟଙ୍କା ଡିପୋଜିଟ୍‌ କରିବା ପାଇଁ ତାଙ୍କୁ କହାଯାଇଥିଲା। ଏଭଳି ଭାବେ ସେ ମୋଟ ୧ ଲକ୍ଷ ୪୪ ହଜାର ଶହେ ଟଙ୍କା ଭିନ୍ନ ଭିନ୍ନ ଆକାଉଣ୍ଟରେ ଜମା କରିଥିଲେ। ତାପରେ ଫୋନ୍‌ କରି ଆଉ ୭୮,୯୫୦ ଟଙ୍କା ଜମା କରିବା ପାଇଁ ଯେତେବେଳେ କହାଗଲା, ତାଙ୍କୁ ସନ୍ଦେହ ହେଲା। ପରେ ଠକେଇର ଶିକାର ହୋଇଥିବା ଜାଣିବା ପରେ ସାଇବର୍‌ ହେଲ୍‌ପ ଡେସ୍କ ସହ ଯୋଗାଯୋଗ କରିଥିଲେ। ତାପରେ ଶୁକ୍ରବାର ଧନୁପାଲି ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଥିଲେ।