ସମ୍ବଲପୁର : ସମ୍ବଲପୁରରେ ସାଇବର୍ ଠକେଇ ଥମିବାର ନାଁ ନେଉ ନାହିଁ। ସାଇବର୍ ଠକଙ୍କୁ ସମ୍ବଲପୁର ପୁଲିସ ଧରିବାରେ ବିଫଳ ରହିଆସିଥିବା ବେଳେ ଏହାର ଫାଇଦା ଠକମାନେ ଉଠାଇ ଚାଲିଛନ୍ତି। ସମ୍ବଲପୁରରେ ସାଇବର୍ ଠକେଇ ଏବେ ନିତିଦିନିଆ ହୋଇଗଲାଣି। କ୍ରେଡିର୍ଟ କାର୍ଡ ବନ୍ଦ କରିବାକୁ ଯାଇ ସମ୍ବଲପୁରର ଆଉ ଜଣେ ସାଇବର୍ ଠକଙ୍କ ଜାଲରେ ପଡ଼ିଛନ୍ତି। ଠକ ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୩୯ ହଜାର ଟଙ୍କା କାଟି ନେଇଥିଲା।
ସୂଚନାନୁଯାୟୀ, ଧନୁପାଲି ଥାନା ସର୍ଲାର ଶଙ୍କର କୁମାର ରାୟଙ୍କୁ ଗତ ୧୪ ତାରିଖ ଦିନ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା। ଠକ ଜଣକ ନିଜକୁ ବ୍ୟାଙ୍କ୍ର କର୍ମଚାରୀ ବୋଲି ପରିଚୟ ଦେଇ ଏସ୍ବିଆଇ କ୍ରେଡିଟ୍ କାର୍ଡ କେଵାଇସି ଅପ୍ଡେଟ୍ ପାଇଁ କହିଥିଲା। ଶଙ୍କର କିନ୍ତୁ କେଵାଇସି ପାଇଁ ମନା କରିବା ସହ କ୍ରେଡିଟ୍ କାର୍ଡ ବନ୍ଦ କରିବାକୁ ଅନୁରୋଧ କରିଥିଲେ। ଏହାପରେ ଠକ ଜଣକ ତାଙ୍କୁ ଏକ ଲିଙ୍କ୍ ପଠାଇ ପୂରଣ କରିବାକୁ କହିଥିଲା। ୨୪ ଘଣ୍ଟା ମଧ୍ୟରେ କାର୍ଡଟି ଡିଆକ୍ଟିଭେଟ୍ ହୋଇଯିବ ବୋଲି ଠକ ତାଙ୍କୁ କହିବା ପରେ ସେ ସବୁ ତଥ୍ୟ ପୂରଣ କରିଥିଲେ। ଅକ୍ଟୋବର ୧୫ ତାରିଖ ଦିନ ଶଙ୍କର ଆକାଉଣ୍ଟ ଯାଞ୍ଚ କରିବା ବେଳେ ୧,୩୯,୨୧୮ ଟଙ୍କା କଟି ଯାଇଥିବା ଜାଣିବାକୁ ପାଇଥିଲେ ଏବଂ ତୁରନ୍ତ ସେ ବ୍ୟାଙ୍କ୍ ସହ ଯୋଗାଯୋଗ କରିଥିଲେ। ବ୍ୟାଙ୍କ୍ ପକ୍ଷରୁ ତାଙ୍କୁ ସାଇବର୍ ଠକେଇ ହୋଇଥିବା ବୁଧବାର ଦିନ ସୂଚନା ଦିଆଯିବା ସହ ଥାନାର ଦ୍ବାରସ୍ଥ ହେବାକୁ ପରାମର୍ଶ ଦେଇଥିଲେ। ଏହାପରେ ସେ ଧନୁପାଲି ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।