ସମ୍ବଲପୁରରେ ଆଉ ଜଣେ ସାଇବର୍‌ ଠକେଇର ଶିକାର, କଟିଗଲା ୨ ଲକ୍ଷ ଟଙ୍କା

ସମ୍ବଲପୁର : ସମ୍ବଲପୁରରେ ସାଇବର୍‌ ଠକେଇ ଥମିବାର ନାଁ ନେଉନାହିଁ। ପ୍ରତିଦିନ ସାଇବର୍‌ ଠକମାନେ ଲୋକଙ୍କୁ ଠକିବା ପାଇଁ ନୂଆ ନୂଆ ଜାଲ ବିଛାଉଛନ୍ତି। ଅନେକ ଲୋକ ଲୋଭ ଓ ଭୟରେ ଠକେଇର ଶିକାର ମଧ୍ୟ ହେଉଛନ୍ତି। ଜମନକିରା ଥାନାରେ ଗୌଡ଼ପାଲିର ଜଣେ ବ୍ୟକ୍ତି ସାଇବର୍‌ ଠକେଇର ଶିକାର ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଠକେଇର ଶିକାର ହୋଇଥିବା ସଂକୀର୍ତ୍ତନ ବାରିକଙ୍କ ପିଏନ୍‌ବି ଆକାଉଣ୍ଟରୁ ଗତ ୧୦ ତାରିଖ ଦିନ ୨ ଲକ୍ଷ ଟଙ୍କା କଟି ଯାଇଥିଲା। ଅପରାହ୍‌ଣ ୩ଟାରୁ ୪ଟା ମଧ୍ୟରେ ତାଙ୍କ ଆକାଉଣ୍ଟରୁ ଟଙ୍କା କଟିଥିବା ବେଳେ ସନ୍ଧ୍ୟା ୬ଟା ସମୟରେ ତାଙ୍କୁ ମେସେଜ୍‌ ଆସିଥିଲା। ଏହାପରେ ଠକେଇର ଶିକାର ହୋଇଥିବା ଜାଣି ସଂକୀର୍ତ୍ତନ ତୁରନ୍ତ ବ୍ୟାଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ତାଙ୍କ ଏଟିଏମ୍‌ ଓ ଆକାଉଣ୍ଟକୁ ଫ୍ରିଜ୍‌ କରାଇ ଦେଇଥିଲେ। ପରଦିନ ସକାଳେ ବ୍ୟାଙ୍କକୁ ଆସି ଟଙ୍କା କଟିଯାଇଥିବା ନେଇ ଲିଖିତ ଅଭିଯୋଗ ଦେଇଥିଲେ। ଆଞ୍ଜେଲିକ୍‌ ଇନ୍‌ଫୋଟେକ୍‌ ନାମକ ସଂସ୍ଥାକୁ ଉକ୍ତ ଟଙ୍କା ଯାଇଥିବା ଜଣାପଡ଼ିଥିଲା। ତେବେ ଉକ୍ତ ଟଙ୍କା କେମିତି ଗଲା ତାହା ଜଣାପଡ଼ି ନାହିଁ। କୌଣସି ଉପାୟ ନପାଇ ସେ ଶୁକ୍ରବାର ଜମନକିରା ଥାନାର ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର