ସମ୍ବଲପୁର: ଦିନକୁ ଦିନ ସାଇବର୍ ଲୁଟେରାଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ପ୍ରାୟ ପ୍ରତିଦିନ କେହି ନା କେହି ସାଇବର୍ ଲୁଟେରାଙ୍କ ଶିକାର ହେଉଛନ୍ତି। ବିଭିନ୍ନ ପ୍ରକାର ଉପାୟରେ ଏହି ଅଚିହ୍ନା ଅନ୍ଲାଇନ୍ ଡକାୟତ ମାନେ ନିରୀହ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ କଳାକନା ବୁଲାଇ ଦେଉଛନ୍ତି। କ୍ବଚିତ୍ କେମିତି ସ୍ଥାନୀୟ ଲୁଟେରା ମାନେ ଧରା ପଡ଼ୁଥିଲାବେଳେ ଜାତୀୟ, ଅନ୍ତର୍ଜାତୀୟ ଲୁଟେରା ମାନଙ୍କୁ ଧରିବାରେ ପୁଲିସ୍ ତଥା ଆଇନ୍ ବ୍ୟବସ୍ଥା ଏକପ୍ରକାର ଅସହାୟ ହୋଇ ରହିଛି। ସାଇବର୍ ଲୁଟ୍ର ସଦସ୍ୟତମ ଶିକାର ହୋଇଛନ୍ତି ସମ୍ବଲପୁର ନୟାପଡ଼ା ଗୋଲବଜାର୍ର ବ୍ୟବସାୟୀ ଶେଖର ଅଗ୍ରୱାଲ (୩୭)। ପଞ୍ଜାବ ନ୍ୟାସ୍ନାଲ୍ ବ୍ୟାଙ୍କ୍ (ପିଏନ୍ବି)ର ଆକାଉଣ୍ଟ ଅପ୍ଗ୍ରେଡ୍ କରିବା ବାହାନାରେ ଏହି ଲୁଟେରା ମାନେ ଶ୍ରୀ ଅଗ୍ରୱାଲ୍ଙ୍କ ଖାତାରୁ ୯ ଲକ୍ଷ ୬୦ ହଜାର ଟଙ୍କା ଉଠାଇ ନେଇଛନ୍ତି। ଶ୍ରୀ ଅଗ୍ରୱାଲ୍ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ସେ ପିଏନ୍ବିରେ ଥିବା ନିଜ ରିଟେଲ୍ ଆକାଉଣ୍ଟକୁ କର୍ପୋରେଟ୍ ବ୍ୟାଙ୍କିଙ୍ଗ ଆକାଉଣ୍ଟଭାବେ ଉନ୍ନୀତ କରିବାକୁ ଚାହୁଁଥିଲେ।
ଏ ସଂପର୍କରେ ବୁଝିବା ପାଇଁ ବ୍ୟାଙ୍କ୍ର ଗ୍ରାହକ ସେବା ନମ୍ବର ଖୋଜିବାକୁ ଗୁଗୁଲ୍ରେ ସର୍ଚ୍ଚ କରିଥିଲେ। କିନ୍ତୁ ଗୁଗୁଲ୍ରେ ସାଇବର୍ ଠକ ମାନେ ବିଛାଇଥିବା ଜାଲରେ ସେ ନିଜ ଅଜାଣତରେ ଛନ୍ଦି ହୋଇ ଯାଇଥିଲେ। ଗୁଗୁଲ୍ରୁ ତାଙ୍କୁ କଷ୍ଟରମର୍ କେୟାର୍ ନମ୍ବର ୧୮୦୦୪୧୨୧୬୫୨ ମିଳିଥିଲା। ଉକ୍ତ ନମ୍ବରରେ ଯୋଗାଯୋଗ ପରେ ସେ ଯେଉଁ ମାନଙ୍କ ହାବୁଡ଼ରେ ପଡ଼ିଲେ ସେମାନେ ପିଏନ୍ବି ଅଧିକାରୀ ନଥିଲେ, ଥିଲେ ସାଇବର୍ ଦସ୍ୟୁ। ସେମାନେ ଉକ୍ତ ନମ୍ବର ଓ ଆଉ ଏକ ମୋବାଇଲ୍ ନମ୍ବର ୯୮୩୨୭୬୧୩୩୮ରେ ଶ୍ରୀ ଅଗ୍ରୱାଲ୍ଙ୍କ ସହ ଏକାଧିକ ବାର କଥା ହୋଇ ଆକାଉଣ୍ଟ ଅପ୍ଗ୍ରେଡ୍ କରିବା ବାହାନାରେ ତାଙ୍କ ପିଏନ୍ବି ଖାତାରୁ ୯ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଇଥିଲେ। ଜାଣିବା ପରେ ଶ୍ରୀ ଅଗ୍ରୱାଲ୍ କାନମୁଣ୍ଡା ଆଉଁସି ପୁଲିସ୍ର ଦ୍ବାରସ୍ଥ ହୋଇଛନ୍ତି। ଏନେଇ ସମ୍ବଲପୁର ସାଇବର୍ ଥାନାରେ ଧାରା ୪୧୯/୪୨୦ ଆଇପିସି ଆର୍/ଡବ୍ଲୁ ସେକ୍ଓନ ୬୬ (ସି)/୬୬ (ଡି) ଆଇଟିଏ ଆଇନ୍ ୨୦୦୮ ଅନୁଯାୟୀ ମାମଲା ନମ୍ବର ୪/୨୦୨୧ ରୁଜୁ ହୋଇଛି।