ତାଳଚେର : ଆପଣ କ୍ରେଡିଟ୍ କାର୍ଡ ବ୍ୟବହାର କରୁ ନାହାନ୍ତି କି? ତାକୁ ବନ୍ଦ କରି ଦିଅନ୍ତୁ। ନଚେତ୍‌ ଆକାଉଣ୍ଟ୍‌ରୁ ୬ହଜାର ଟଙ୍କା କଟିଯିବ। ଆପଣଙ୍କ ମୋବାଇଲ୍‌କୁ କ’ଣ ଓଟିପି ଯାଇଛି, ତାକୁ କୁହନ୍ତୁ। କ୍ରେଡିଟ୍ କାର୍ଡ ବନ୍ଦ କରି ଦିଆଯିବ। ଏମିତି କହି ତାଳଚେର କୋଲିୟରୀ ଥାନା ଅଞ୍ଚଳର ଯୁବକ ତପନ କୁମାର ସାହୁଙ୍କୁ ସାଇବର ଠକ ୪୫ହଜାର ଟଙ୍କା ଠକି ନେଇଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ସାଇବର ଠକ ତାଙ୍କ କ୍ରେଡିଟ୍ କାର୍ଡରୁ ଟଙ୍କା ନେଇଗଲା ପରେ ବି ସେ କିଛି ଜାଣି ପାରି ନଥିଲେ। ଦୁଇ ମାସ ପରେ ବ୍ୟାଙ୍କ୍‌ରୁ ତାଙ୍କୁ ଫୋନ୍‌ ଆସିଲା ପରେ ସାଇବର ଠକେଇ ବିଷୟରେ ସ‌େ ଜାଣିବାକୁ ପାଇଛନ୍ତି। ଏନେଇ ସେ ପୁଲିସର ଦ୍ବାରସ୍ଥ ହୋଇଛନ୍ତି।

Advertisment

ଅଭିଯୋଗ ମୁତାବକ, ଏ ଘଟଣା ମେ ୨୨ତାରିଖରେ ଘଟିଥିଲା। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍‌ର ଏକ କ୍ରେଡିଟ୍ କାର୍ଡକୁ ସେ ବ୍ୟବହାର କରୁ ନଥିଲେ। ସାଇବର ଠକ ଏହାର ସୁଯୋଗ ନେଇଥିଲା। ତପନଙ୍କୁ ଫୋନ୍‌ କରିଥିଲା। କ୍ରେଡିଟ୍ କାର୍ଡ କାହିଁକି ବ୍ୟବହାର କରୁ ନାହାନ୍ତି ବୋଲି ପ୍ରଶ୍ନ କରିଥିଲା। ତାକୁ ବ୍ୟବହାର ନ କଲେ ଆକାଉଣ୍ଟ୍‌ରୁ ୬ହଜାର ଟଙ୍କା କଟିବ ବୋଲି ତାଙ୍କୁ ଠକ ଚେତାବନୀ ଦେଇଥିଲେ। ଠକ କଥାକୁ ତପନ ବିଶ୍ବାସ କରିଥିଲେ। ତେଣୁ, ବ୍ୟାଙ୍କ୍‌ ସହ ପରାମର୍ଶ ନ କରି କ୍ରେଡିଟ୍ କାର୍ଡକୁ ବନ୍ଦ କରିବାକୁ ଚାହିଁଥିଲେ। ଠକ ତାଙ୍କ ମୋବାଇଲ୍‌କୁ ଏକ ଓଟିପି ପଠାଇଥିଲା। ଏ ସମ୍ପର୍କରେ ସୂଚନା ଦେବା ପରେ ଠକ ତାଙ୍କ କାର୍ଡରୁ ୪୫ହଜାର ଟଙ୍କା ବ୍ୟବହାର କରିଥିଲା। ଏ ସମ୍ପର୍କରେ ତପନ କିଛି ଜାଣି ପାରି ନଥିଲେ। ଦୁଇ ମାସ ପରେ ୪୫ହଜାର ଟଙ୍କା ଖର୍ଚ୍ଚ ନେଇ ବ୍ୟାଙ୍କ୍‌ ପକ୍ଷରୁ ଫୋନ୍‌ ଆସିଥିଲା। ଟଙ୍କା ଶୁଝିବାକୁ କହିବାରୁ ତପନ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏନେଇ ସେ ଥାନାର ଦ୍ବାରସ୍ଥ ହୋଇଛନ୍ତି।