କଳାହାଣ୍ଡିରେ ବଢୁଛି ସାଇବର କ୍ରାଇମ୍‌

୨ଜଣ କନଷ୍ଟେବଳ ଭରସାରେ ଚାଲିଛି ସାଇବର ସେଲ୍‌; ଜିଲ୍ଲାରେ ସାଇବର ଥାନା କେବେ?

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ସାଇବର କ୍ରାଇମ୍‌ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ମାତ୍ର ୨ଜଣ କନଷ୍ଟେବଳ ଭରସାରେ ସାଇବର ସେଲ ଚାଲିଛି। କଙ୍କଡ଼ାକୁ ଗୋଳିପାଣି ସୁହାଇଲା ଭଳି ସାଇବର ସେଲ୍‌ର ଏଭଳି ଅବସ୍ଥା ଅପରାଧୀଙ୍କୁ ସୁହାଉଛି। ଖୋଦ୍‌ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଜିଲ୍ଲାରେ କେବେ ସାଇବର ଥାନା ପ୍ରତିଷ୍ଠା ହେବ ଚର୍ଚ୍ଚା ଲାଗି ରହିଛି।

କଳାହାଣ୍ଡି ଜିଲ୍ଲା ବର୍ତ୍ତମାନ ସାଇବର ଅପରାଧୀଙ୍କ ଚରାଭୂଇଁ ପାଲଟିଛି। ସୋସିଆଲ ମିଡିଆ, ଅନ୍‌ଲାଇନ୍‌ ଠକେଇ, ବ୍ୟାଙ୍କ୍‌ ଆକାଉଣ୍ଟରୁ ଅର୍ଥ ଲୁଟିନେବା, ବିଭିନ୍ନ ଅନ୍‌ଲାଇନ୍‌ ସପିଂରେ ଠକାମି କରିବା ଭଳି ଅପରାଧ ଜିଲ୍ଲାସାରା ବଢ଼ିଚାଲିଛି। କିଛି ବେନାମୀ କମ୍ପାନି ଦ୍ଵାରା ମୋବାଇଲ୍‌ରୁ ଓଟିପି ମାଗି ଲକ୍ଷ ଲକ୍ଷ ଟଙ୍କା ବ୍ୟାଙ୍କ୍‌ ଆକାଉଣ୍ଟରୁ ଖାଲି କରିଦେଉଛନ୍ତି। ଗତ ଜାନୁଆରି ୧୮ ତାରିଖରେ ଭବାନୀପାଟଣା ସହରର ଜଣେ ଅବସରପ୍ରାପ୍ତ କର୍ମଚାରୀ ଗଙ୍ଗାଧର ସୁବୁଦ୍ଧିଙ୍କୁ ଜିଓ ଫୋନ୍‌ କଷ୍ଟମର କେୟାରରୁ କହୁଛୁ ବୋଲି ଜଣେ ଅଜଣା ବ୍ୟକ୍ତି କଲ କରିଥିଲା। ସାଇବର ଠକ ଜଣଙ୍କ ରିମୋର୍ଟ ଆକ୍ସସେସ୍‌ ଜରିଆରେ ଆପ୍‌ ଡାଉନ୍‌ଲୋଡ୍‌ କରିବା ପାଇଁ କହିଥିଲା। ପରେ ଗଙ୍ଗାଧର ଓ ତାଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ ଗୁଗୁଲ୍‌ ପେ ଜରିଆରେ ୨ଲକ୍ଷ ୬୫ ହଜାର ଟଙ୍କା ନେଇ ଯାଇଥିଲା। ଏହି ଘଟଣାରେ ପୁଲିସ୍‌ ଏସ୍‌ପି ଡା. ଶ୍ରବଣା ବିବେକ ଏମ୍‌ଙ୍କ ନିର୍ଦେଶକ୍ରମେ ଉତ୍ତରପ୍ରଦେଶର ହମଦପୁରରୁ ୫ଜଣ ସାଇବର ଅପରାଧୀଙ୍କୁ ଗିରଫ କରାଯାଇଥିଲା। ଗତ କିଛିଦିନ ତଳେ ଭବାନୀପାଟଣା ସହରର ଜଣେ ଯୁବତୀଙ୍କୁ ଇନ୍‌ଷ୍ଟାଗ୍ରାମ୍‌ରେ ବ୍ଲାକମେଲିଂ କରାଯାଇଥିଲା। ଏହି ଘଟଣାରେ ପୁଲିସ୍‌ ନୟାଗଡ଼ ଜିଲ୍ଲା ପୋଇବାଡ଼ି ଗାଁର ଜିତେନ୍ଦ୍ର ବେହେରାଙ୍କୁ ଗିରଫ କରିଥିଲା। ଜିଲ୍ଲାରେ ୨୦୧୮ ମସିହାରେ ୨୦ଟି ମାମଲା, ୨୦୧୯ ମସିହାରେ ୨୫ଟି ମାମଲା, ୨୦୨୦ ମସିହାରେ ୩୯ ଟି ମାମଲା ରୁଜୁ ହୋଇଛି। ସେମାନଙ୍କ ମଧ୍ୟରୁ ୧୮ଜଣ ଗିରଫ ହୋଇଛନ୍ତି। ୩୨ଟି ମାମଲା ତଦନ୍ତ ଜାରି ରହିଛି। ୧୮ଟି ସୋସିଆଲ ମିଡିଆ ମାମଲା ଥିବାବେଳେ ଅନ୍ୟଗୁଡ଼ିକ ସାଇବର ଠକେଇ ମାମଲା ରହିଛି।

ଦିନକୁ ଦିନ ସାଇବର କ୍ରାଇମ୍‌ ଜିଲ୍ଲାରେ ବୃଦ୍ଧି ପାଉଥିବାରୁ ପୁଲିସ୍‌ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ତାଲିମ୍‌ପ୍ରାପ୍ତ ମାତ୍ର ୨ଜଣ କନଷ୍ଟେବଳ ଭରସାରେ ପୁଲିସ ମୁଖ୍ୟାଳୟରେ ଥିବା ସାଇବର ସେଲ୍‌ ଚାଲିଛି। ଚୋର ଡକାୟତଙ୍କୁ ଧରିବା ପାଇଁ ଫୋନ୍‌ ଟ୍ରାକିଂ ଅଧିକ ଜରୁରୀ ହୋଇପଡ଼ିଛି। ତାଲିମ୍‌ପ୍ରାପ୍ତ ଅଧିକାରୀ ଓ ବୈଷୟିକ ଜ୍ଞାନକୌଶଳ ଏବଂ ଯନ୍ତ୍ରପାତି ଅଭାବ ଯୋଗୁଁ ସାଇବର କ୍ରାଇମ୍‌ ଠାବ ନେଇ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଲୋକଙ୍କ ସରଳତାର ସୁଯୋଗ ନେଇ ଅନ୍‌ଲାଇନ୍‌ ଠକମାନେ ନିଜର ଜାଲ ବିଛାଇଥିବା ଯୋଗୁଁ ସାଧାରଣ ଲୋକେ ଅଡୁଆରେ ପଡ଼ିଛନ୍ତି। ଖୋଦ୍‌ ଗୃହମନ୍ତ୍ରୀଙ୍କ ଜିଲ୍ଲାରେ ସାଇବର ଅପରାଧ ବୃଦ୍ଧି ପାଇଥିବା ବେଳେ ସାଇବର ଥାନା ନଥିବା ଯୋଗୁଁ ପୁଲିସ୍‌ର ତଦନ୍ତରେ ବାଧା ସୃଷ୍ଟି ହେଉଛି। କେବେ ସାଇବର ଥାନା ଖୋଲିବ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତୁରନ୍ତ ଜିଲ୍ଲାରେ ସାଇବର ଥାନା ଖୋଲିବା ପାଇଁ ସାଧାରଣରେ ଦୃଢ଼ ଦାବି ହେଉଛି।

ସମ୍ବନ୍ଧିତ ଖବର