ଅସହାୟ ଓଡ଼ିଶା ପୁଲିସ : ଆତଙ୍କ ଖେଳାଇ ଚାଲିଛନ୍ତି ସାଇବର ଅପରାଧୀ

ଭୁବନେଶ୍ବରରେ ଜମତରା, ଅନ୍ୟ ଗ୍ୟାଙ୍ଗ୍ ସକ୍ରିୟ

ଭୁବନେଶ୍ବର : ଆତଙ୍କ ଖେଳାଇ ଚାଲିଛନ୍ତି ସାଇବର ଅପରାଧୀ। ସାରା ରାଜ୍ୟରେ ବିଛାଇ ସାରିଲେଣି ଜାଲ। ନୂଆ ନୂଆ ତରିକାରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କରି ଦେଉଛନ୍ତି। ଏମିତି କୌଣସି ଦିନ ନାହିଁ, ଯେଉଁଦିନ ଲୋକେ ଠକଙ୍କ ଶିକାର ହେଉ ନାହାନ୍ତି। କମିସନରେଟ ପୁଲିସ ସାଇବର ସହାୟତା କେନ୍ଦ୍ର ଖୋଲୁଖୋଲୁ ଜାରି କରାଯାଇଥିବା ନମ୍ବରକୁ ହଜାର ହଜାର ସଂଖ୍ୟାରେ ଫୋନ କଲ୍ ଆସିବା ଘଟଣାରୁ ଏହା ସ୍ପଷ୍ଟ ହୋଇଯାଇଛି। ଝାଡ଼ଖଣ୍ଡର ଜମତରା ଗ୍ୟାଙ୍ଗ ଭୁବନେଶ୍ବରରେ ପୂରା ଦମ୍‌ରେ ସକ୍ରିୟ ଥିବାବେଳେ ପୂରା ରାଜ୍ୟକୁ କବଜା କରି ସାରିଲେଣି। କିନ୍ତୁ ଆ‌ଧୁନିକ ଜ୍ଞାନକୌଣଳରେ ଧୂରନ୍ଧର ଏଭଳି ସାଇବର ଠକଙ୍କ ମୁକାବିଲା ଓଡ଼ିଶା ପୁଲିସ ଏଯାଏ ପ୍ରସ୍ତୁତ ହୋଇ ନ ଥିବା ପରିଲକ୍ଷିତ ହେଉଛି।

ରାଜ୍ୟରେ କେବଳ ସାଧାରଣ ଲୋକ ନୁହନ୍ତି; ଆଇଏଏସ୍ ଓ ଆଇପିଏସ୍ ଅଫିସର ମଧ୍ୟ ଠକଙ୍କ ଜାଲରୁ ବର୍ତ୍ତି ପାରୁନାହାନ୍ତି। ଜମତରା ଗ୍ୟାଙ୍ଗ ଭୁବନେଶ୍ବରରେ ଏକ ସର୍ଭେ ମଧ୍ୟ କରିଥିବା କୁହାଯାଉଛି। କାରଣ ଜଣାଶୁଣା ଆଇପିଏସ୍ ଅଫିସର, ପ୍ରଶାସନିକ ଅଧିକାରୀ, ନେତା, ଅଭିନେତାଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ଏବଂ ନକଲି କରି ଟଙ୍କା ମାଗିବା, ନାମୀ ରେସ୍ତୋରାଁ, ମଦ ଦୋକାନ ନାଁରେ ଫେସବୁକ୍ ଆକାଉଣ୍ଟ ଖୋଲି ଲୋକଙ୍କୁ ଠକିବା ଭଳି ଘଟଣାରୁ ଏହି ସନ୍ଦେହ ଘନୀଭୂତ ହେଉଛି।

Image Source: ET-Tech

ସାଇବର ଅପରାଧର ପାଠଶାଳା କୁହା ଯାଉଥିବା ଝାଡ଼ଖଣ୍ଡରେ ଏଭଳି ଠକଙ୍କ ଉତ୍ପାତ ବଢି ଚାଲିଥିବା ବେଳେ ଗତବର୍ଷ ଡିସେମ୍ବର ୩୦ ତାରିଖରେ ହଜାରିବାଗ ପୁଲିସ ୩୬ ଜଣ ସାଇବର ଅପରାଧୀଙ୍କୁ ଗିରଫ କରିଛି। ବିଭିନ୍ନ ଉପାୟରେ ଏମାନେ ଲୋକଙ୍କୁ ଠକି ଚାଲିଥିଲେ ବୋଲି ପୁଲିସ ଜାଣିବାକୁ ପାଇଛି। ଏତେ ବଡ଼ ସାଇବର ଅପରାଧ ଗ୍ୟାଙ୍ଗ ଧରା ହେବା ଦେଶର ପ୍ରଥମ ଘଟଣା ବୋଲି କୁହାଯାଉଛି। କେବଳ ଗିରଫଦାରି ନୁହେଁ; ନୂଆ ନୂଆ ଢଙ୍ଗରେ ଘଟୁଥିବା ସାଇବର ଅପରାଧ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଆଉ ପାଦେ ଆଗକୁ ଯାଇଛି ଝାଡ଼ଖଣ୍ଡ ପୁଲିସ। ଏ‌ ନେଇ ୩୬ ପୃଷ୍ଠାର ଏକ ସଚେତନତା ପୁସ୍ତିକା ବାହାର କରିଛି। ଏହି ପୁସ୍ତିକାର ନାମ ‘ସାଇବର ସିକ୍ୟୁରିଟି ଆଵାରନେସ୍ ହ୍ୟାଣ୍ଡବୁକ୍’ ରଖାଯାଇଛି। ଉଭୟ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଛପା ହୋଇଥିବା ଏହି ପୁସ୍ତିକାରେ ଓଟିପି ଦ୍ବାରା ହେଉଥିବା ଠକେଇ, ଗୁଗୁଲ ଡକ୍ୟୁମେଣ୍ଟ ଆପ୍ ବ୍ୟବହାର କରି ଠକେଇ, ଓଏଲ୍‌ଏକ୍ସରେ ହେଉଥିବା ଠକେଇ, କ୍ୟାସ୍‌ବ୍ୟାକ୍ ଅଫର ଲୋଭ ଦେଖାଇ ହେଉଥିବା ଠକେଇ, ସିମ୍ କାର୍ଡ ସ୍ବାପିଂ ଠକେଇ, ଜାଲ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ଠକେଇ, ଅଶ୍ଳୀଳ ଭିଡିଓ ମାଧ୍ୟମରେ ଠକେଇ, ଏଟିଏମ୍ କାର୍ଡ ନକଲ କରି ହେଉଥିବା ଠକେଇ, ଅନଲାଇନ୍ ଚାକିରି ଲୋଭ ଦେଖାଇ ଠକେଇ ଆଦି ସଂକ୍ରାନ୍ତରେ ପୁସ୍ତକରେ ବିସ୍ତୃତ ଭାବେ ଉଲ୍ଲେଖ ରହିଛି। ସ୍ମାର୍ଟ ଫୋନ୍ ବ୍ୟବହାରକାରୀମାନେ କଣ କରିବେ ଏବଂ କଣ ନ କରିବେ ସେ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ଏହି ପୁସ୍ତିକାକୁ ବିଭିନ୍ନ ସୋସିଆଲ ମିଡିଆରେ ଉପଲବ୍ଧ କରାଯାଇଛି। ପିଡିଏଫ୍ ଫାଇଲ ମଧ୍ୟ କରାଯାଇଛି। ଯାହାକି ସହଜରେ ଲୋକଙ୍କ ପାଖରେ ହ୍ବାଟସଆପରେ ଉପଲବ୍ଧ ହୋଇପାରିବ। କେବଳ ସଚେତନତା ପୁସ୍ତିକା ନୁହେଁ; ଝାଡ଼ଖଣ୍ଡ ପୁଲିସ ଏକ ୟୁ-ଟ୍ୟୁବ୍ ଚ୍ୟାନେଲ ମଧ୍ୟ କରିଛି। ଏହି ଚ୍ୟାନେଲ ମାଧ୍ୟମରେ ସଚେତନତା ଭିଡିଓ ପୋଷ୍ଟ କରାଯାଉଛି। ଏ ସବୁ ସଚେତନତା ଠକେଇରୁ ବର୍ତ୍ତିବା ପାଇଁ ଯଥେଷ୍ଟ ସହାୟକ ହେବ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ଓଡ଼ିଶାରେ ସାଇବର ଠକେଇ ଶୀର୍ଷରେ ପହଞ୍ଚିଥିବା ବେଳେ ଅସହାୟ ହୋଇ ପଡ଼ିଛି କ୍ରାଇମବ୍ରାଞ୍ଚ। ଠକଙ୍କୁ ଧରିବା ତ ଦୂରର କଥା, ଠାବ କରିବାରେ ମଧ୍ୟ ବିଫଳ ହୋଇଛି ଓଡ଼ିଶା ପୁଲିସ। କରୋନା ସମୟରେ ଲୋକେ ଜୀବନଜୀବିକାକୁ ନେଇ ସଂଘର୍ଷ କରୁଥିବା ବେଳେ ସାଇବର ଠକେଇ ଏହି ଯନ୍ତ୍ରଣାକୁ ଆହୁରି ବଢାଇ ଦେଇଛି। ଗୋଟିଏ ପଟେ କ୍ରାଇମବ୍ରାଞ୍ଚ ସାଇବର ଠକଙ୍କୁ ଧରିବାରେ ବିଫଳ ହୋଇଥିବା ବେଳେ ଅନ୍ୟପଟରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରିପାରୁ ନାହିଁ। ଲୋକ କଣ କରିବେ ଓ କଣ ନ କରିବେ ସେ ସମ୍ପର୍କରେ କିଛି ଜାଣିପାରୁ ନାହାନ୍ତି। ନୂଆନୂଆ ପଦ୍ଧତିରେ ଠକେଇ ଚାଲିଥିବା ବେଳେ ହାତ ବାନ୍ଧି ବସି ରହିଛି ରାଜ୍ୟ ପୁଲିସ ଓ କ୍ରାଇମବ୍ରାଞ୍ଚ।

Photo by : toiimg.com

ଜଣେ ସାଇବର ବିଶେଷଜ୍ଞଙ୍କ କହିବା ଅନୁସାରେ, ପୁଲିସ ଭିଡିଓ ଜରିଆରେ ମଧ୍ୟ ସଚେତନତା ସୃଷ୍ଟି କରିପାରିବ। ଏହି ଭିଡ଼ିଓକୁ ଟିଭି ଏବଂ ସୋସିଆଲ ମିଡିଆ ଜରିଆରେ ପ୍ରସାରିତ କରାଯାଇ ପାରିବ। ସାଇବର ସମ୍ପର୍କିତ ପୁସ୍ତିକା ଦ୍ବାରା ମଧ୍ୟ ଲୋକେ ଠକେଇ ସଂକ୍ରାନ୍ତରେ ଯଥେଷ୍ଟ ଜ୍ଞାନ ହାସଲ କରିପାରିବେ। ଏହି ଭିଡିଓ ତିଆରି କରିବା ପାଇଁ ସାଇବର ବିଶେଷଜ୍ଞଙ୍କର ମଧ୍ୟ ସହାୟତା ନେଇପାରିବ ପୁଲିସ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଓଡ଼ିଶା ପୁଲିସ କାହିଁକି ଏ ସବୁ ପଦକ୍ଷେପ ଗ୍ରହଣ କରୁନାହିଁ? କାହିଁକି ଅସହାୟ ପାଲଟି ଯାଇଛି ପୁଲିସ? ଝାଡ଼ଖଣ୍ଡରେ ଧରା ହୋଇଥିବା ଅପରାଧୀଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିବ କି? କିମ୍ବା କେଉଁ ଢଙ୍ଗରେ ସାଇବର ଅପରାଧ ହେଉଛି ସେ ସମ୍ପର୍କରେ ଧରା ପଡ଼ିଥିବା ସାଇବର ଅପରାଧୀଙ୍କଠାରୁ ବିସ୍ତୃତ ସୂଚନା ନେବ କି? ଏହାକୁ ଆଧାର କରି ପୁଲିସ ପୁସ୍ତିକ ଓ ଭିଡିଓ ତିଆରି କଲେ ସାଇବର ଅପରାଧ ରୋକାଯାଇ ପାରିବ ବୋଲି କହିଛନ୍ତି ବିଶେଷଜ୍ଞ। ଝାଡ଼ଖଣ୍ଡ ଭଳି ଓଡ଼ିଶା ପୁଲିସ ସଚେତନତା ପୁସ୍ତିକା ବାହାର କରିବ କି ବୋଲି ଡିଜି ଅଭୟଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୮ରେ ରାଜ୍ୟରେ ୮୪୩ଟି ସାଇବର ଅପରାଧ ହୋଇଥିବା ବେଳେ ୨୦୧୯ରେ ଏହା ୭୬ ପ୍ରତିଶତ ବଢ଼ି ୧୪୮୫ରେ ପହଞ୍ଚିଥିଲା। ସେହିପରି ୨୦୨୦ରେ ସାଇବର ଅପରାଧ ସଂଖ୍ୟା ତିନି ହଜାର ପାର୍ ହୋଇଯିବ ବୋଲି ଆକଳନ କରାଯାଉଛି।

ସମ୍ବନ୍ଧିତ ଖବର