ଆକାଉଣ୍ଟ ଖାଲି କରି ଦେଉଛନ୍ତି ସାଇବର୍‌ ଠକ : ମଦ ନାଁରେ ଲୁଟିଲେଣି କୋଟିଏରୁ ଊର୍ଧ୍ବ

ହୋମ୍ ଡେଲିଭରି ପରେ ବଢ଼ିବ ଠକେଇ, ଜଣେ ବି ଧରା ପଡ଼ିଲେନି

ଭୁବନେଶ୍ବର : ଲକ୍‌ଡାଉନର ସୁଯୋଗ ନେଇ ସାଇବର ଅପରାଧୀ ଲୋକଙ୍କୁ ଟାର୍ଗେଟ କରି ଚାଲିଛନ୍ତି। ସେବା ଯୋଗାଇଦେବା ନାଁରେ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ଆକାଉଣ୍ଟ ଖାଲି କରି ଦେଉଛନ୍ତି। ରାଜ୍ୟରେ ଅନ୍‌ଲାଇନ୍ ମଦ ବିକ୍ରି ଆରମ୍ଭ ହେବା ପୂର୍ବରୁ ସାଇବର ଅପରାଧୀ ଫେସ୍‌ବୁକରେ ବିଜ୍ଞାପନ ଦେଇ ବହୁ ଟଙ୍କା ଲୁଟି ସ‌ାରିଲେଣି। ବିଭିନ୍ନ ଥାନାରେ ମାମଲା ପରେ ମାମଲା ରୁଜୁ ହେଲାଣି। କିନ୍ତୁ ଜଣେ ହେଲେ ଅପରାଧୀକୁ ଏ ଯାଏଁ ବି ଗିରଫ କରିବାରେ ସକ୍ଷମ ହୋଇନି ପୁଲିସ। ଏ ଦିଗରେ ବଡ଼ଧରଣର ରାକେଟ୍ କାମ କରୁଥିଲେ ମଧ୍ୟ ପର୍ଦ୍ଦାଫାସ୍ କରିପାରିନି କ୍ରାଇମବ୍ରାଞ୍ଚ।

ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍ ପରଠାରୁ ରାଜ୍ୟରେ ସବୁ ଲାଇସେନ୍ସପ୍ରାପ୍ତ ମଦ ଦୋକାନ, ବାର୍‌ ଗତକାଲି ପର୍ଯ୍ୟନ୍ତ ବନ୍ଦ ରହିଥିଲା। କିନ୍ତୁ ଏହାର ଫାାଇଦା ଉଠାଇଥିଲେ ସାଇବର ଅପରାଧୀ। ଫେସବୁକରେ ତିଆରି କରିଥିଲେ ଜାଲ ଆଇଡି। ସେହି ଆଇଡ଼ି ଜରିଆରେ ବିଜ୍ଞାପନ ଦେଇ ଲୋକଙ୍କୁ ଫସାଉଥିଲେ। ଜାଲ୍‌ ବିଜ୍ଞାପନରେ ଦିଆ ଯାଇଥିବା ଫୋନ୍ ନମ୍ବରକୁ ଲୋକ କଲ୍ କରି ମଦ ବୁକ୍ କରୁଥିଲେ। ଘଣ୍ଟାଏ କିମ୍ବା ଦୁଇ ଘଣ୍ଟା ଭିତରେ ଘରେ ମଦ ପହଞ୍ଚି ଯିବ ବୋଲି ସାଇବର ଲୁଟେରା ଲୋକଙ୍କୁ କହୁଥିଲେ। ଏଥି ଲାଗି ଆଗୁଆ ଅନ୍‌ଲାଇନ୍ ପେମେଣ୍ଟ ନେଇ ଯାଉଥିଲେ। କିନ୍ତୁ ଲୋକଙ୍କ ପାଖରେ ମଦ ପହଞ୍ଚୁ ନ ଥିଲା। ପରେ ସେହି ନମ୍ବରକୁ ଫୋନ୍ କରି ନିରାଶ ହେଉଥି‌ଲେ ଏବଂ ଠକାମିର ଶିକାର ହୋଇଛନ୍ତି ବୋଲି ଜାଣିବାକୁ ପାଉଥିଲେ।

ଭୁବନେଶ୍ବର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଶହ ଶହ ଲୋକ ଠକାମିର ଶିକାର ହୋଇଛନ୍ତି। କେଉଁଠି ଥାନାରେ ମାମଲା ରୁଜୁ ହୋଇଛି ତ ଆଉ କେଉଁଠି ଲୋକ ଥାନାକୁ ଅଭିଯୋଗ କରିବାକୁ ଆସି ନାହାନ୍ତି। ତେବେ ସଂପ୍ରତି ଗତକାଲିଠାରୁ ରାଜ୍ୟରେ ମଦ ହୋମ୍ ଡେଲିଭରି ଆରମ୍ଭ ହୋଇଛି। ଏବେ ଅନ୍‌ଲାଇନ୍‌ ମଦ କାରବାର ଆରମ୍ଭ ହେବା ପରେ ଏପରି ଠକେଇ ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି। ଅନଲାଇନରେ ମଦ ବିକ୍ରିରୁ ଏପରି ଅପରାଧୀ ଭରପୂର ଫାଇଦା ଉଠାଇବେ।

ସମ୍ବନ୍ଧିତ ଖବର