ସମ୍ବଲପୁର : ସାଇବର୍‌ ଠକମାନେ ପ୍ରତ୍ୟେକ ଦିନ ବିଭିନ୍ନ ଉପାୟରେ ଲୋକଙ୍କୁ ଠକିବା ପାଇଁ ଜାଲ ପକାଉଛନ୍ତି। ସଚେତନତା ଅଭାବରୁ ଅନେକ ଲୋକ ଏହି ଜାଲରେ ପଡ଼ୁଥିବା ଦେଖିବାକୁ ମିଳୁଛି। ସମ୍ବଲପୁରରେ ଲଗାତାର୍‌ ଭାବେ ସାଇବର୍‌ ଠକେଇ ହେଉଥିବା ବେଳେ ପୁଲିସର ନିଷ୍କ୍ରିୟତା ବଢ଼ୁଥିବା ଠକେଇ ପଛର ପ୍ରମୁଖ କାରଣ ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି। ଅନ୍ୟପଟେ ପୁଲିସ ଗୋଟିଏ ଦୁଇଟି ମାମଲାକୁ ଛାଡ଼ି ଦେଲେ ଅନ୍ୟ ମାମଲାରେ ସାଇବର୍‌ ଠକମାନଙ୍କୁ ଧରିବାରେ ସଫଳ ହୋଇପାରୁନାହିଁ। ଚଳିତ ବର୍ଷ ସାଧାରଣ ଥାନାରେ ଅଭିଯୋଗ ହୋଇଥିବା ପ୍ରାୟ ସବୁ ସାଇବର ମାମଲାର ଅଭିଯୁକ୍ତକୁ ଧରିବାରେ ବିଫଳ ରହିଛି।

Advertisment

ଇତିମଧ୍ୟରେ ସଦର ଥାନା ଧନକଉଡ଼ା ଅଞ୍ଚଳର ଦେବବ୍ରତ ସାହୁ ମଧ୍ୟ ସାଇବର୍‌ ଠକେଇର ଶିକାର ହୋଇଛନ୍ତି। ସେ ପଡ଼ିଆବାହାଲରେ ଆୟୁଷ ଡାକ୍ତର ଭାବେ କାର୍ଯ୍ୟରତ ଅଛନ୍ତି। ଗତ ୧୧ ତାରିଖରେ ତାଙ୍କୁ ଏକ ଅଜଣା ନମ୍ବରରୁ କଲ୍‌ ଆସିଥିଲା। କ୍ରେଡିଟ୍‌ କାର୍ଡ ଆକ୍‌ଟିଭ୍‌ କରିବା ପାଇଁ ସାଇବର୍‌ ଠକ ଜଣକ କହିବା ପରେ ଡାକ୍ତର ସାହୁ ରାଜି ହୋଇଯାଇଥିଲେ। ଏହା ପରେ କିଛି ତଥ୍ୟ ପଚାରିବା ସହ ସାଇବର୍‌ ଠକ ଜଣକ ଓଟିପି ଦେବାକୁ କହିଥିଲା। ଠକ କଥାରେ ବିଶ୍ବାସ କରି ଓଟିପି ଦେବା ପରେ ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୬ ହଜାର ଟଙ୍କା କଟିଯାଇଥିଲା। ଏହାପରେ ସେ ଉକ୍ତ ନମ୍ବରକୁ କଲ୍‌ କରିଥିଲେ, କିନ୍ତୁ ଲାଗି ନଥିଲା। ଶେଷରେ ବାଧ୍ୟ ହୋଇ ଡାକ୍ତର ସାହୁ ଗୁରୁବାର ଦିନ ସଦର ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ସଦର ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।