ଭୁବନେଶ୍ବର : ରାଜଧାନୀରେ ଆଡ଼ା ଜମାଇଛନ୍ତି ସାଇବର ଠକ। ଆଜି ପୁଣି ୨ ସାଇବର ଠକଙ୍କୁ କୋଲକାତା ପୁଲିସ ଭୁବନେଶ୍ବରରୁ ଗିରଫ କରିଛି। ଟେଲିଗ୍ରାମ୍ରେ ଓଟିପି ବିକ୍ରି କରୁଥିବା ଅଭିଯୋଗରେ କୋଲକାତା ପୁଲିସ ଗିରଫ କରିଥିବା ଏହି ଠକଦ୍ବୟ ହେଲେ କଟକର ମହମ୍ମଦ ସଲାଉଦ୍ଦିନ(୪୫) ଓ ସମସାଦ୍ ଅଲ୍ଲୀ(୪୬)। ସୋମବାର ମଞ୍ଚେଶ୍ବର ଅଞ୍ଚଳରୁ କୋଲକାତା ପର୍ନେଶ୍ରୀ ଥାନା ପୁଲିସ ଓ ସାଉଥ୍ଇଷ୍ଟ ସାଇବର ସେଲ୍ ଏହି ଦୁଇ ଜଣକୁ ଉଠାଇଛି।
ଖବର ଅନୁଯାୟୀ, ଗତ ୨୦ ଜାନୁଆରିରେ କୋଲକାତାର ପର୍ନେଶ୍ରୀ ଥାନାରେ ଜୟନ୍ତ ନାମକ ଜଣେ ଯୁବକ ଅଭିଯୋଗ କରିଥିଲେ। କେଵାଇସି ଅପ୍ଡେଟ୍ କରାଇବା ନାଁରେ ତାଙ୍କ ୬ଟି ଏସ୍ବିଆଇ ଆକାଉଣ୍ଟ୍ରୁ ପ୍ରାୟ ୨୦ଲକ୍ଷ ଟଙ୍କା ଠକେଇ ହୋଇଛି ବୋଲି ସେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ କୋଲକାତା ପୁଲିସ ତଦନ୍ତ କରି ଗତ ସପ୍ତାହରେ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହି ଠକେଇର ମୁଖ୍ୟ ଅଭିଯୁକ୍ତ ପାର୍ଥ ଶାହାକୁ ଜେରା କରିବା ପରେ ଓଡ଼ିଶାର ଦୁଇ ଠକଙ୍କ କଥା ପଦାକୁ ଆସିଥିଲା। ତେବେ ଚାଞ୍ଚଲ୍ୟକର ତଥ୍ୟଟି ଥିଲା ଯେ ଓଡ଼ିଶାର ଏହି ଠକଦ୍ବୟ ଟେଲିଗ୍ରାମ୍ରେ ଓଟିପି ବିକ୍ରି କରୁଥିଲେ। ଓଟିପି ପିଛା ସେମାନେ ୧୫ରୁ ୨୦ ଟଙ୍କା ପାଉଥିଲେ। ଏହି ଓଟିପି ବିକା ଗ୍ରୁପ୍ରେ ବିଭିନ୍ନ ରାଜ୍ୟର ପ୍ରାୟ ୧୨୦୦ ସାଇବର ଠକ ରହିଛନ୍ତି ବୋଲି ତଦନ୍ତରୁ ଜଣାପଡ଼ିଛି। ଏହି ଗ୍ରୁପ୍ରେ ପ୍ରି ଆକ୍ଟିଭେଟେଡ୍ ସିମ୍ ମଧ୍ୟ ବିକ୍ରି କରାଯାଉଥିବା ତଥ୍ୟ ପୁଲିସକୁ ମିଳିଛି। ଏହି ଗ୍ୟାଙ୍ଗ୍ ପାଖରୁ ପ୍ରାୟ ୨ ହଜାର ପ୍ରି ଆକ୍ଟିଭେଟେଡ୍ ସିମ୍ ଜବତ ହୋଇଥିବା ବେଳେ ଏସବୁ ଓଡ଼ିଶାରୁ ଅଣାଯାଇଥିବା କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ରୢାକେଟ୍ର ୮ଜଣଙ୍କୁ ଗିରଫ କରାଯାଇଛି ଓ ଏବେ ପୁଲିସ ଟେଲିଗ୍ରାମ୍ର ଉକ୍ତ ଗ୍ରୁପ୍ ଉପରେ ନଜର ପକାଇଛି।
ଉଲ୍ଲେଖଯୋଗ୍ୟ, କମିସନରେଟ୍ ପୁଲିସ ୨୦୨୧ ଜୁଲାଇରେ ଭୁବନେଶ୍ବରରୁ ୫ସାଇବର ଠକଙ୍କ ପାଖରୁ ୧୭ହଜାର ପ୍ରି ଆକ୍ଟିଭେଟେଡ୍ ସିମ୍ ଜବତ କରିଥିଲା। ଏହି ସିମ୍ ସବୁ ରାଜ୍ୟ ବାହାରକୁ ବିକ୍ରି ହେଉଥିବା ପୁଲିସ ସୂଚନା ଦେଇଥିଲା। ଗତ କିଛି ଦିନ ଭିତରେ ରାଜଧାନୀରୁ ୩ ସାଇବର ଠକ ଗ୍ରୁପ୍ ଧରାପଡ଼ିଲେଣି। ମଞ୍ଚେଶ୍ବର ଥାନା ପ୍ରାଚୀବିହାରରୁ କ୍ରାଇମ୍ବ୍ରାଞ୍ଚ ୩ ଜଣଙ୍କୁ ଗିରଫ କରିଥିଲା। ସେହିଭଳି ତମାଣ୍ଡୋ ଥାନା ଅଞ୍ଚଳରେ ଡେରା ପକାଇଥିବା ଏକ ଇଂଜିନିୟରିଂ ଛାତ୍ର ଗ୍ରୁପ୍କୁ ଗତକାଲି ସମ୍ବଲପୁର ଅଇଁଠାପଲି ଥାନା ପୁଲିସ ଗିରଫ କରିଛି। ତେଣୁ ଜମତାରା ଗ୍ୟାଙ୍ଗ୍ ରାଜଧାନୀରେ ସକ୍ରିୟ ଥିବା ସ୍ପଷ୍ଟ ହୋଇଛି। ଏଣୁ ଏଣିକି କୌଣସି ଅଜଣା ଫୋନ୍କୁ ସତର୍କ ରହିବାକୁ ସାଇବର ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/arrest-1.jpg)