ସମ୍ବଲପୁର : ସମ୍ବଲପୁରର ସାଇବର୍‌ ଠକେଇ ନିତିଦିନିଆ ହୋଇଗଲାଣି। ଏଭଳି ବି ଦିନ ରହିଛି ଯେଉଁଦିନ ସମ୍ବଲପୁର ସହରରେ ଏକାଧିକ ଲୋକ ସାଇବର୍‌ ଠକେଇର ଶିକାର ହୋଇ ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି। ସମ୍ବଲପୁର ପୁଲିସ ବିଭାଗ ଦାୟିତ୍ବ ପୂରଣ କରି ଅଭିଯୋଗ ହେଲେ ମାମଲା ରୁଜୁ କରୁଛି, କିନ୍ତୁ ସେତିକିରେ ସମ୍ବଲପୁର ପୁଲିସର ଦାୟିତ୍ବ ଶେଷ ହୋଇଯାଉଛି। ଲୋକଙ୍କ ଟଙ୍କା କିଭଳି ଫେରିବ, ସେମାନଙ୍କୁ ଠକୁଥିବା ସାଇବର୍‌ ଠକମାନେ କିଭଳି ଧରାପଡ଼ିବେ, ସେ ନେଇ ସମ୍ବଲପୁର ପୁଲିସ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ କହିଲେ ଚଳେ। ଅନ୍ୟପଟେ ପୁଲିସର ଅପରଗତାକୁ ଦେଖି ସାଇବର୍‌ ଠକମାନେ ନୂଆ ନୂଆ ଉପାୟରେ ଲୋକଙ୍କୁ ଚୂନା ଲଗାଇ ଚାଲିଛନ୍ତି। ଓଡ଼ିଶାରେ ବେରୋଜଗାର ଏକ ମୌଳିକ ସମସ୍ୟା ପାଲଟିଥିବା ବେଳେ ସାଇବର୍‌ ଠକମାନେ ଏହାକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି।

Advertisment

ଚାକିରି ପାଇଁ ଯୁବପିଢ଼ି ସଂଘର୍ଷ କରୁଥିବା ବେଳେ ସାଇବର୍‌ ଠକମାନେ ଏବେ ଚାକିରି ଲୋଭ ଦେଖାଇ ଲୋକଙ୍କୁ ଠକିବାକୁ ଜାଲ ବିଛାଉଛନ୍ତି। ସାଇବର୍‌ ଠକମାନେ ସାମାଜିକ ଗଣମାଧ୍ୟମରେ ସରକାରୀ ଓ ବେସରକାରୀ ଚାକିରି ପାଇଁ ବିଜ୍ଞାପନ ଦେଉଛନ୍ତି। ଚାକିରି ଲୋଭରେ ପଡ଼ି ଅନେକ ସେମାନଙ୍କ ସହ ଯୋଗାଯୋଗ କରୁଛନ୍ତି ଏବଂ ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି। ସମ୍ବଲପୁର କୁଚିଣ୍ଡା ଥାନା ଅଞ୍ଚଳର ଜଣେ ଯୁବକ ଠକେଇ ଶିକାର ହୋଇଛନ୍ତି। ଅନ୍‌ଲାଇନ୍‌ରେ ଏକ ଚାକିରି ବିଜ୍ଞାପନ ଦେଖି କୁଚିଣ୍ଡା ଥାନା କେନାଢ଼ିପାର ଅତିଶ ନାଏକ ଯୋଗଯୋଗ କରିଥିଲେ। ଚାକିରି ପାଇଁ ତାଙ୍କୁ ଅଗ୍ରିମ ୯୨୨୭୬ ଟଙ୍କା ଦେବାକୁ କହାଯାଇଥିଲା। ଚାକିରିରେ ଯୋଗଦେବା ପରେ ଉକ୍ତ ଟଙ୍କା ଫେରାଇ ଦିଆଯିବ ବୋଲି ତାଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା। ସେ ମଧ୍ୟ ଡିସେମ୍ବର ୩ ତାରିଖ ଦିନ ଫୋନ୍‌ ପେ’ ମାଧ୍ୟମରେ ୯୨୨୭୬ ଟଙ୍କା ପଠାଇ ଦେଇଥିଲେ। ଟଙ୍କା ପାଇବା ପରେ ଠକ ଆଉ ଫୋନ୍‌ ଉଠାଇ ନଥିଲା। ଶେଷରେ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ହ୍ବାଟ୍ସଆପ୍‌ରେ ବି ଦିଆଯାଉଛି ପ୍ରଲୋଭନ
ଏବେ ହ୍ବାଟ୍ସଆପ୍‌ରେ ବି ଚାକିରି ପ୍ରଲୋଭନ ଦିଆଯାଉଛି। କାହାକୁ ଆମଜନ୍‌ ତ ଆଉ କାହାକୁ ଫ୍ଲିପ୍‌କାର୍ଟ ମଲ୍‌ରେ ଚାକିରି ପାଇଁ ଅଜଣା ନମ୍ବରରୁ ଆସୁଛି ମେସେଜ୍‌। ରିପ୍ଲାଏ ଦେଲେ ୨୨ରୁ ୭୦ ବର୍ଷ ପର୍ଯ୍ୟନ୍ତ ଲୋକଙ୍କ ପାଇଁ ଚାକିରି ଥିବା କହାଯାଉଛି। ନିଜ ଫୋନ୍‌ରେ ଅନ୍‌ଲାଇନ୍‌ରେ ବିଭିନ୍ନ ଉତ୍ପାଦର ପ୍ରମୋସନ୍‌ କରି ଆପଣ ଟଙ୍କା ରୋଜଗାର କରିପାରିବେ ବୋଲି କହିବେ। ରାଜି ହେଲେ ଗୋଟିଏ ପରେ ଗୋଟିଏ ବ୍ୟକ୍ତିଗତ ଓ ବ୍ୟାଙ୍କ୍‌ ତଥ୍ୟ ଠକ ମାଗିବ। ଚାକିରି ଲୋଭରେ ତଥ୍ୟ ଦେଉଥିବା ଯୁବକଯୁବତୀମାନେ ଠକେଇର ଶିକାର ହୋଇଥାନ୍ତି। ଅଜଣା ନମ୍ବରରୁ ଏଭଳି ପ୍ରଲୋଭନ ଆସିଲେ ଲୋଭରେ ନ ପଡ଼ିବାକୁ ସାଇବର୍‌ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। କୌଣସି ବ୍ୟକ୍ତିଗତ ଓ ବ୍ୟାଙ୍କ ସମ୍ପର୍କିତ ତଥ୍ୟ କାହା ସହିତ ସେୟାର୍‌ ନକରିବା ପାଇଁ ମଧ୍ୟ କହାଯାଇଛି।