ସାଇବର ଠକେଇ ମାମଲା, ଫେରିଲା ୧.୬୮ ଲକ୍ଷ

କାଳିଆପାଣି : କାଳିଆପାଣି ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିପାଳ ଆଶ୍ରମ ସ୍କୁଲ ଶିକ୍ଷୟିତ୍ରୀ ପାର୍ବତୀ କିସ୍କୁ ଗତ ୨୭ ତାରିଖରେ ସାଇବର ଠକେଇର ଶିକାର ହୋଇ ୩ ଲକ୍ଷ ୧୩ ହଜାର ଟଙ୍କା ହରାଇଥିଲେ। ସାଇବର ଅପରାଧୀ ତାଙ୍କ ଜମାଖାତାକୁ ହ୍ୟାକ୍‌ କରି ୭ଟି ପର୍ଯ୍ୟାୟରେ ଏହି ଅର୍ଥ ରାଶି ଲୁଟି ନେଇଥିଲା। ଶ୍ରୀମତୀ କିସ୍କୁଙ୍କ ଏତଲା ଆଧାରରେ ଗତକାଲି ଥାନାରେ ଏକ କେସ୍ ୨୧/୨୧ ରୁଜୁ ହୋଇଥିଲା। ଆଜି ବ୍ୟାଙ୍କ ଖୋଲିବା ମାତ୍ରେ ଥାନା ଅଧିକାରୀ ରମାକାନ୍ତ ମୁଦୁଲି ଓ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ କଲରଙ୍ଗିଅତ୍ତା ଶାଖା ପ୍ରବନ୍ଧକ ଅଜୟ କୁମାର ବେହେରାଙ୍କ ତତ୍ପରତା ପାଇଁ ଶ୍ରୀମତୀ କିସ୍କୁଙ୍କ ଖାତାକୁ ୧ ଲକ୍ଷ ୬୮ ହଜାର ଟଙ୍କା ଫେରିଥିବା ସୂଚନା ମିଳିଛି। ଏହାବାଦ୍ ଦିଲ୍ଲୀର ଏକ ଶାଖାରେ ଜମା ହୋଇଥିବା ୪୯ ହଜାର ୯୯୯ ଟଙ୍କା ଫେରି ପାଇବା ଉଦ୍ୟମରେ ସଂପୃକ୍ତ ଶାଖା ପ୍ରବନ୍ଧକଙ୍କୁ ମେଲ୍‌ କରାଯାଇଛି। ତେବେ ଏଠାରେ ବିଭିନ୍ନ ରାଜ୍ୟର ୮ ପୁଲିସ ଅଭିଯୋଗ ଆଧାରରେ ସଂପୃକ୍ତ ହ୍ୟାକର ନାଁରେ ପୂର୍ବରୁ ୮ଟିଯାକ କାରବାରକୁ ଅଚଳ କରାଯାଇଥିବାରୁ ଏହି ଶାଖାରୁ ଟଙ୍କା ଫେରି ପାଇବା ବିଳମ୍ବିତ ହୋଇପାରେ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଅବଶିଷ୍ଟ ୯୫ ହଜାର ଟଙ୍କା କାରବାର ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରୁନି ବୋଲି ବ୍ୟାଙ୍କ ଶାଖା ପ୍ରବନ୍ଧକ ଶ୍ରୀ ବେହେରା କହିଛନ୍ତି।

ଆଜି ପୁଲିସ ଉପସ୍ଥିତିରେ ବ୍ୟାଙ୍କ ଶାଖାରେ ‌ଶ୍ରୀମତୀ କିସ୍କୁ ସେୟ‌ାର କରିଥିବା ୭ଟି ଓଟିପି ଆଧାରରେ ତାଙ୍କ ଜମାଖାତା ଦେଣନେଣ ଯାଞ୍ଚ କରାଯାଇଥିଲା। ହ୍ୟାକର ତାଙ୍କ ଆକାଉଣ୍ଟ‌ରୁ ପ୍ରଥମ ୩ଟି ପର୍ଯ୍ୟାୟରେ ଯଥାକ୍ରମେ ୫୦ ହଜାର, ୨୫ ହଜାର ଓ ୯୩ ହଜାର ଟଙ୍କା ନେଇ ୩ଟି ଫିକ୍ସଡ୍‌ ଡିପୋଜିଟ୍‌ କରିଥିଲା। ବ୍ୟାଙ୍କ କର୍ତ୍ତୃପକ୍ଷ ସମସ୍ତ ରାଶିକୁ ତୁରନ୍ତ ଫେରାଇ ଆଣିବାରେ ସଫଳ ହୋଇଥିଲେ। ଅନ୍ୟ ଏକ ଓଟିପିକୁ ଆଧାର କରି ଅଭିଯୁକ୍ତ ହ୍ୟାକର ଦିଲ୍ଲୀ ମୁଖ୍ୟ ଶାଖାକୁ ୪୯ ହଜାର ୯୯୯ ନେଇ ଯାଇଛି। ବାକି ୩ଟି ଓଟିପି ବ୍ୟବହାର କରି ସଂପୃକ୍ତ ହ୍ୟାକର ୩ଟି ଅଜଣା ଆକାଉଣ୍ଟକୁ ଅବଶିଷ୍ଟ ୯୫ ହଜାର ଟଙ୍କା ନେଇଯାଇଥିବା ଜଣାପଡ଼ିଛି। ୭ ଥର ଓଟିପି ସେୟାର ପରେ ଶ୍ରୀମତୀ କିସ୍କୁ ସାଇବର ଠକ ହାବୁଡ଼ରେ ପଡ଼ିଥିବା ସନ୍ଦେହ କରି ଆଉ ହ୍ୟାକର ଫୋନ୍‌ ଉଠାଇ ନଥିଲେ।

ସମ୍ବନ୍ଧିତ ଖବର