ବିଦ୍ୟୁତ ସେବାରେ ସାଇବର ଠକ: ଉପଭୋକ୍ତାଙ୍କୁ ସଚେତନ କଲା ଟିପିସିଓଡିଏଲ୍‌

ଭୁବନେଶ୍ଵର : ଏସ୍‌ଏମ୍‌ଏସ୍ ଜରିଆରେ ବିଦ୍ୟୁତ୍ ସଂଯୋଗ କାଟିବା (ବିଚ୍ଛିନ୍ନ କରିବା) ଲାଗି ଧମକ ଦେଇ ଉପଭୋକ୍ତାଙ୍କୁ ନିଜ ଜାଲରେ ଫସାଇବାକୁ ଉଦ୍ୟମ କରୁଛନ୍ତି। ଉପଭୋକ୍ତା ଫସିଗଲେ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି। ଏଭଳି ଘଟଣା ବାରମ୍ବାର ଘଟିବା ପରେ ଟିପିସିଓଡିଏଲ୍‌(ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍) ଉପଭୋକ୍ତାଙ୍କୁ ସଚେତନ କରାଇଛି। ବିଦ୍ୟୁତ୍ ଯୋଗାଣ କିମ୍ବା ବିଚ୍ଛିନ୍ନକୁ ନେଇ କୌଣସି ସ୍ପଷ୍ଟୀକରଣ ଦରକାର ଥିଲେ ୨୪ ଘଣ୍ଟିଆ ଦେୟମୁକ୍ତ ଗ୍ରାହକ ସେବା ନମ୍ବର ୧୯୧୨/ ୧୮୦୦୩୪୫୭୧୨୨ରେ ଯୋଗାଯୋଗ କରିବାକୁ ସଂସ୍ଥା ପକ୍ଷରୁ କୁହାଯାଇଛି।

ଏହି ସାଇବର୍ ଠକମାନେ ପୂର୍ବ ମାସ ବିଦ୍ୟୁତ୍ ଦେୟ ପଇଠ ହୋଇନଥିବା ବାହାନା କରି ସେହିଦିନ ବିଦ୍ୟୁତ୍ ଯୋଗାଣ ବିଚ୍ଛିନ୍ନ କରିବା ଲାଗି ଧମକ ଦେଇ ଗ୍ରାହକଙ୍କ ପାଖକୁ ମେସେଜ୍ ପଠାଉଛନ୍ତି ଏବଂ ତୁରନ୍ତ ସେହି ଦିଆଯାଇଥିବା ଏକ ନମ୍ବରରେ କଲ୍ ବ୍ୟାକ୍ କରିବା ଲାଗି ଗ୍ରାହକଙ୍କୁ କହୁଛନ୍ତି। ଥରେ ଗ୍ରାହକ କଲ୍ କରିବା ପରେ, ଅପରେଟର ଜଣକ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନକୁ ରୋକିବା ଲାଗି ଅନଲାଇନ୍ ପେମେଣ୍ଟ କରିବା ନିମନ୍ତେ ଏକ ଲିଙ୍କ୍ ପଠାଉଛି । ଯେଉଁ ଗ୍ରାହକମାନେ ସେହି ଲିଙ୍କ୍ ବ୍ୟବହାର କରୁଛନ୍ତି ସେମାନେ ଠକାମିର ଶିକାର ହେଉଛନ୍ତି। ଗତ ମେ’ ମାସରେ କେୱାଇସି ଅପ୍‌ଡେଟ୍ କରିବା ଆଳରେ ଉପଭୋକ୍ତା ଠକେଇର ଶିକାର ହୋଇଥିବା ନଜରକୁ ଆସିଥିଲା।

ନିକଟରେ ବିଭିନ୍ନ ପ୍ରକାରର ମେସେଜ୍ ପଠାଇ ଗ୍ରାହକମାନଙ୍କୁ ଜାଲରେ ଫସାଇବାକୁ ଏହି ଠକମାନେ ଉଦ୍ୟମ କରୁଥିବା ସଂସ୍ଥା ନିକଟରେ ଅଭିଯୋଗ ପହଞ୍ଚିଛି। ଏସ୍‌ଏମ୍‌ଏସ୍ ମାଧ୍ୟମରେ ଆସୁଥିବା ନମ୍ବରକୁ ଯୋଗାଯୋଗ ନକରିବା ଲାଗି ଟିପିସିଓଡିଏଲ୍ ପକ୍ଷରୁ କୁହାଯାଇଛି। ଏହା ବ୍ୟତୀତ ଗ୍ରାହକମାନେ ସବୁ ପ୍ରକାର ବିଲ୍‌କୁ କେବଳ ସ୍ୱୀକୃତିପ୍ରାପ୍ତ ପେମେଣ୍ଟ ମାଧ୍ୟମରେ ପ୍ରଦାନ କରିବାକୁ କୁହାଯାଇଛି। ଟିପିସିଓଡିଏଲ୍‌ ସାମାଜିକ ଗଣମାଧ୍ୟମ, ଗ୍ରାହକ ସେବା କେନ୍ଦ୍ରଗୁଡ଼ିକରେ ପରାମର୍ଶବଳୀ ଓ ଗ୍ରାହକମାନଙ୍କୁ ସେମାନଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବର୍ ଜରିଆରେ ସିଧାସଳଖ ଏସ୍‌ଏମ୍‌ଏସ୍ ପଠାଇ ସଚେତନତା ସୃଷ୍ଟି କରୁଛି ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର