ପୁରୀ : ସାରା ଦେଶରେ ସାଇବର୍ କ୍ରାଇମ୍ କରି ଲୋକମାନଙ୍କ ଆକାଉଣ୍ଟରୁ ଟଙ୍କା ଠକେଇ କରିନେଉଥିବା ସମ୍ପର୍କରେ ବିଭିନ୍ନ ସମୟରେ ଗଣମାଧ୍ୟମରେ ପ୍ରକମାଶ ପାଉଛି। ଏହିଭଳି ସାଇବର କ୍ରାଇମ୍ କରୁଥିବା ଅଭିଯୁକ୍ତ ପୁରୀରୁ ଧରାପଡ଼ି ଚର୍ଚ୍ଚାକୁ ଆସିଛନ୍ତି। ସେମାନଙ୍କ ନିକଟରୁ ଟାଉନ ଥାନା ପୁଲିସ ଗୋଟିଏ ବାଇକ୍, ୩ଟି ମୋବାଇଲ୍, ୧୯ଟି ଜିଓ ସିମ୍ ଏବଂ ଗୋଟିଏ ଫିଙ୍ଗର ପ୍ରିଣ୍ଟ ସ୍କାନର ମେସିନ ଜବତ କରିଛି। ଏନେଇ ଟାଉନ ଥାନା ପୁଲିସ ୧୪୬/୨୧ ନମ୍ବରରେ ଏକ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି। ଏହି ମାମଲାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ପୁଲିସ ସ୍କାନରକୁ ନେଇଛି। କିନ୍ତୁ ସାଧାରଣ ପୁଲିସର ଏଭଳି ମାମଲାର ମୂଳକୁ ଯିବାର କ୍ଷମତା ନଥିବା ବେଳେ ଏହାକୁ କ୍ରାଇମ୍ବ୍ରାଞ୍ଚ ତଦନ୍ତ ଦାୟିତ୍ବ ନେବାପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତକାଲି ବାଲିସାହିରେ ଦୁଇ ଜଣ ଯୁବକ ଲୋକମାନଙ୍କଠାରୁ ସେମାନଙ୍କର ଆଧାର କାର୍ଡ, ପାନ୍ କାର୍ଡ ଆଦିକୁ ମୋବାଇଲରେ ଫଟୋ ଉଠାଇ ନେବା ସହିତ ସେମାନଙ୍କୁ ୪ଶହ ଟଙ୍କା ଲେଖାଏଁ ଦେଉଛନ୍ତି। ଏଥିରେ ନିଶ୍ଚିତ ଭାବେ କୌଣସି ସାଇବର କ୍ରାଇମ୍ ହେଉଥିବା ନେଇ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଟାଉନ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସଙ୍କୁ ଜଣାଇଥିଲେ। ଏହି ଖବର ପାଇ ଆଇଆଇସି ସଦଳବଳ ସେଠାରେ ପହଞ୍ଚି ବାଲିସାହି ଶ୍ୟାମାକାଳୀ ଲେନ୍ର ବିଳାସିନୀ ସାହୁଙ୍କ ଘରୁ ସମୁଦ୍ରକୂଳ ଥାନା ଅନ୍ତର୍ଗତ ପେଣ୍ଠକଟା ଭୁଦାନ ନଗରର ରାକେଶ ସାହୁ(୨୨) ଏବଂ ଭି. ଆଶିଷ(୨୨)କୁ ଧରିନେଇଥିଲେ। ସେମାନଙ୍କୁ ପୁଲିସ ଧରି ପଚରାଉଚରା କରିବାରେ ସେମାନେ ଲୋକମାନଙ୍କଠାରୁ ଆଧାର କାର୍ଡ, ପାନ୍ କାର୍ଡର ଫଟୋକୁ ମୋବାଇଲରେ ଉଠାଇ ସେମାନଙ୍କ ନାମରେ ଜିଓ ସିମ୍ ଆକ୍ଟିଭ କରୁଥିଲୁ। ଯେଉଁମାନଙ୍କ ସିମ୍ ଆକ୍ଟିଭ ହେଉଥିଲା, ସେମାନଙ୍କୁ ୪ଶହ ଟଙ୍କା ଦେଉଥିଲୁ। ଗତକାଲି ଏମାନେ ବାଲି ସାହିରେ ୧୯ ଜଣଙ୍କ ନାମରେ ସିମ୍କୁ ଆକ୍ଟିଭ କରିଥିଲେ। ଏହି ସିମ୍ ମାଧ୍ୟମରେ ସେମାନେ ଅନ୍ଲାଇନ୍ ଗେମ୍ ଖେଳୁଥିବା ଦର୍ଶାଉଥିଲେ। ପରେ ପୁଣି ସିମ୍ ଫେରାଇ ଦେବେ ବୋଲି ସେମାନେ ପ୍ରତିଶ୍ରୁତି ମଧ୍ୟ ଦେଉଥିଲେ। ତେଣୁ ଏହି କାର୍ଯ୍ୟରେ ଠକାମୀ ରହୁଥିବାରୁ ଏହା ଏକ ଅପରାଧ ଦର୍ଶାଇ ପୁଲିସ ସେମାନଙ୍କ ବିରୋଧରେ ୧୪୬/୨୧ ନମ୍ବରରେ ଏକ ମାମଲା ରୁଜୁ କରି ସେମାନଙ୍କ ନିକଟରୁ ଓଆର୍-୦୨-ବିୱାଇ-୨୦୭୪ ନମ୍ବର ବିଶିଷ୍ଟ ହୋଣ୍ଡା ସାଇନ୍ ବାଇକ୍, ତିନିଟି ମୋବାଇଲ ଫୋନ୍, ୧୯ଟି ଜିଓ ସିମ୍ ଏବଂ ଗୋଟିଏ ଆଙ୍ଗୁଠି ପ୍ରିଣ୍ଟ ସ୍କାନର ମେସିନ ଆଦି ଜବତ କରିଛି। ଆଜି ପୁଲିସ ଏହି ଦୁଇ ଜଣଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ରାକେଶ ବାଣିବିହାରର ଅର୍ଥନୀତି ବିଭାଗରେ ଜଣେ ପିଜି ଛାତ୍ର ଅଟେ। ବିଳାସିନୀ ତା’ର ଜଣେ ଦୂର ସମ୍ପର୍କୀୟା ଅଟନ୍ତି। ତେଣୁ ଏହି ବେପାର ପାଇଁ ସେମାନେ ବିଳାସିନୀଙ୍କୁ ମଧ୍ୟ କମିସନ ବାବଦରେ ଗୋଟିଏ ସିମ୍ ପିଛା ୩ଶହ ଟଙ୍କା ଦେଉଥିବା କହିଛନ୍ତି। ଆଶିଷ ଓ ରାକେଶ ଏଭଳି ବେପାର କରୁଥିବା ନେଇ ଖବର ପାଇବା ପରେ ବିଳାସିନୀ ହିଁ ଏହି ଦୁଇ ଜଣଙ୍କୁ ବାଲିସାହିକୁ ଡକାଇ ବେପାର କରିବା ପାଇଁ ପ୍ରୋତ୍ସାହନ ଦେଇଥିଲେ। ତେଣୁ ସେ ମଧ୍ୟ ପୁଲିସର ତଦନ୍ତ ପରିସରକୁ ଆସିଥିବା ଜଣାପଡ଼ିଛି। ସେହିପରି ପ୍ରକୃତରେ ଏହି ସିମ୍ ନେଇ ସେମାନେ କେବଳ ଗେମ୍ ଖେଳନ୍ତି ନା, ତାକୁ ବ୍ୟବହାର କରି ଲୋକମାନଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ କରନ୍ତି, ତାହା ତଦନ୍ତ ସାପେକ୍ଷ। ତେବେ ପୁରୀ ପୁଲିସ ଏଭଳି ମାମଲାର ତଦନ୍ତ କରିବାର କୌଶଳରେ ଅନଭିଜ୍ଞ ରହିଥିବା ହେତୁ ଏହି ମାମଲାକୁ ସାଇବର ଥାନା କିମ୍ବା କ୍ରାଇମ୍ବ୍ରାଞ୍ଚକୁ ହସ୍ତାନ୍ତର ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/puri-5.jpg)