କୋଭିଡ୍ ଚିକିତ୍ସା, ଟେଷ୍ଟ ନାଁରେ ଜାଲ ବିଛାଇଛନ୍ତି ସାଇବର ଠକ: ଅଳ୍ପକେ ବର୍ତ୍ତିଗଲେ ରାଜଧାନୀର ପାଥୋଲାବ୍ ମାଲିକ

ପରିବାରର ୧୫ ଜଣଙ୍କ ଟେଷ୍ଟ ହେବ ବୋଲି କହିଥିଲା ଠକ
ନିଜକୁ ସିଆଇଏସଏଫ୍ ଯବାନ ପରିଚୟ ଦେଇଥିଲା

ଭୁବନେଶ୍ବର : କୋଭିଡ୍ ଚିକିତ୍ସା, ଟେଷ୍ଟ ନାଁରେ ଜାଲ ବିଛାଇଛନ୍ତି ସାଇବର ଠକ। ଏମିତି ଠକେଇ ବଢ଼ି ଚାଲିଥିବା ବେଳେ ରାଜଧାନୀରେ ଜଣେ ପାଥୋଲାବ୍ ମାଲିକଙ୍କୁ ଠକ ଟାର୍ଗେଟ୍ କରିଥିଲେ। ଡିଲ୍ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା। ଗୋଟିଏ କ୍ଲିକ୍‌ରେ ଆକାଉଣ୍ଟ ଖାଲି ହୋଇଯାଇଥା’ନ୍ତା। କିନ୍ତୁ ଉପସ୍ଥିତ ବୁଦ୍ଧି ଖଟାଇ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପାଥୋଲାବ୍ ମାଲିକ ଅରିଜିତ ସାମଲ। ଏ ନେଇ ସେ ସାଇବର ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ପରେ ହେଲପ୍‌-ଡେସ୍କରେ ଅଭିଯୋଗ କରିଛନ୍ତି।

ଘଟଣାଟି ଥିଲା ଏମିତି; ଅରିଜିତଙ୍କର ୟୁନିଟ୍-୬ ଅଞ୍ଚଳରେ ଏକ ପାଥୋଲାବ୍ ରହିଛି। ଜଣେ ବ୍ୟକ୍ତି ଏକ ମୋବାଇଲ ଫୋନ୍ ନମ୍ବର(୭୦୬୪୪୬୧୫୮୮)ରୁ ଅରିଜିତଙ୍କୁ କଲ୍ କରି ନିଜକୁ ସିଆଇଏସଫ୍ ଯବାନ ପରିଚୟ ଦେଇଥିଲା। ତାଙ୍କ ପରିବାରଲୋକ ଭୁବନେଶ୍ବରରେ ରହନ୍ତି ବୋଲି କହିଥିଲା। ପରିବାରର ୧୫ଜଣ କୋଭିଡ୍‌ରେ ଆକ୍ରାନ୍ତ ହୋଇଥିଲେ। ସୁସ୍ଥ ହେବା ପରେ ଆବଶ୍ୟକ ପରୀକ୍ଷା କରାଯିବ ବୋଲି କହିବାରୁ ଜଣଙ୍କ ପିଛା ୪ ହଜାର ଟଙ୍କା ହିସାବରେ ୧୫ଜଣଙ୍କ ପାଇଁ୬୦ ହଜାର ଟଙ୍କା ପଡ଼ିବ ବୋଲି କଥାବାର୍ତ୍ତା ହୋଇଥିଲା। ଫୋନ୍ କରିଥିବା ବ୍ୟକ୍ତି କିଛି ଅଗ୍ରିମ ଟଙ୍କା ଦେବାକୁ କହିଥିଲା। ଏଥିପାଇଁ ଫୋନ୍ ପେ’ ନମ୍ବର ନେଇଥିଲା। ପ୍ରଥମେ ୫ଟଙ୍କା ପଠାଇ ଯାଉଛି କି ନାହିଁ କନଫର୍ମ ହେଲା ପରେ ବାକି ଟଙ୍କା ପଠାଇବ ବୋଲି କହିଥିଲା। ୫ଟଙ୍କା ଆସିବା ପରେ ଯେତେବେଳେ ଡେବିଟ୍ ବୋଲି ଲେଖିଲା ସେତେବେଳେ ଅରିଜିତଙ୍କ ମନରେ ସନ୍ଦେହ ହୋଇଥିଲା। ସେ ଫୋନ୍ କରି ପଚାରିବା ପରେ ସିଆଇଏସଏଫ୍ ଯବାନ ପରିଚୟ ଦେଇଥିବା ଯବାନ ନିଜର ପରିଚୟପତ୍ର ହ୍ବାଟସଆପରେ ପଠାଇଥିଲା।

ତେବେ ଅରିଜିତଙ୍କର ଜଣେ ସମ୍ପର୍କୀୟ ସିଆଇଏସଏଫରେ ଚାକିରି କରିଥିବାରୁ ସେ ଏହି ପରିଚୟପତ୍ର ତାଙ୍କ ପାଖକୁ ପଠାଇଥିଲେ। ଏହା ନକଲି ବୋଲି ଜଣାପଡ଼ିଥିଲା। ଏହା ପରେ ଅରିଜିତ ଆଉ କୌଣସି ଟଙ୍କା କାରବାର ନ କରି ସେଇଠି ଅଟକି ଯାଇଥିଲେ। ସାଇବର୍‌ ବିଶେଷଜ୍ଞଙ୍କ ପରାମର୍ଶ ନେବା ପରେ ତାହା ସାଇବର ଠକର କଲ୍‌ ଥିଲା ବୋଲି ଜାଣିବାକୁ ପାଇଥିଲେ। ଏ ନେଇ ଗତକାଲି ସାଇବର ହେଲପ୍‌- ଡେସ୍କରେ ସେ ଅଭିଯୋଗ କରିଛନ୍ତି। ଏହି କଲ କୋଲକାତାରୁ ଆସିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର