ବ୍ରହ୍ମପୁର : ବ୍ରହ୍ମପୁର ସହରରେ ପୁଣିଥରେ ଏକ ବଡ଼ଧରଣର ସାଇବର୍‌ ଠକେଇ ହୋଇଛି। ଅନ୍‌ଲାଇନ୍‌ରେ କ୍ରିପ୍ଟୋ କରେନ୍ସିରେ ଟଙ୍କା ବିନିଯୋଗ ପରେ ପ୍ରଥମେ ପ୍ରଥମେ ଲୋଭନୀୟ ଫେରସ୍ତ ଦେଲେ। ପରେପରେ ଅଧିକ ଲାଭର ଲୋଭ ଦେଖାଇ ମୋହଗ୍ରସ୍ତ କଲେ ସାଇବର୍‌ ଠକ। ଏପରି ଭାବେ ଜଣେ ଯୁବତୀଙ୍କଠାରୁ ୧୫ଟି ପର୍ଯ୍ୟାୟରେ ୧୭ଲକ୍ଷ ଟଙ୍କା ଠକେଇ କରି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ବ୍ରହ୍ମପୁର ସାଇବର୍‌ ଥାନା ପୁଲିସ କେସ୍ ନମ୍ବର ୧୩/୨୩ରେ ଏକ ମାମଲା ରୁଜୁ କରି ଅନୁସଂଧାନ ଆରମ୍ଭ କରିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ରାମହରିନଗରରେ ରହୁଥିବା ଜଣେ ଯୁବତୀଙ୍କ ମୋବାଇଲ୍‌କୁ ଏକ ହ୍ବାଟସ୍ଆପ୍‌ ମେସେଜ୍‌ ଆସିଥିଲା। ଅନ୍‌ଲାଇନ୍‌ରେ ୟୁ-ଟ୍ୟୁବ୍‌ ଚ୍ୟାନେଲ୍‌ ସଂଯୋଗ କରିବା ସମ୍ପର୍କିତ ଚାକିରି ପାଇଁ ଅଫ୍‌ର ଆସିଥିଲା। ସାଇବର୍‌ ଠକଙ୍କ କହିବା ଅନୁସାରେ, ଯୁବତୀ ଜଣଙ୍କ ଦୁଇଟି ୟୁ-ଟ୍ୟୁବ୍‌ ଚ୍ୟାନେଲ୍‌ ସଂଯୋଗ କରିଥିଲେ। ଏହାପରେ ତାଙ୍କୁ କିଛି ଟଙ୍କା ମିଳିଥିଲା। ସାଇବର୍‌ ଠକ ତାଙ୍କୁ ଗତ ୧୫ ତାରିଖରେ ଟେଲିଗ୍ରାମ୍‌ ଗ୍ରୁପ୍‌ରେ ସାମିଲ କରିଥିଲେ। ରୋଜଗାର ପାଇଁ ତାଙ୍କୁ ଅନ୍‌ଲାଇନ୍‌ରେ କିଛି କାମ ଦେଇଥିଲେ। ସେହି କାମ କରିବା ପରେ ଯୁବତୀଙ୍କୁ କିଛି ଟଙ୍କା ମିଳିଥିଲା। ପରବର୍ତ୍ତୀ ସମୟରେ ଅନ୍‌ଲାଇନ୍‌ରେ ତାଙ୍କ ପାଇଁ ଆଉ ଏକ ଆସାଇନ୍‌ମେଣ୍ଟ ଆସିଥିଲା। ତାହା କରିବାରୁ ସାଇବର୍‌ ଠକ ଅନ୍‌ଲାଇନ୍‌ରେ ତାଙ୍କୁ ଟଙ୍କା ପଠାଇଥିଲେ। ଏହାପରେ କ୍ରିପ୍ଟୋ କରେନ୍ସି ଅନ୍‌ଲାଇନ୍‌ ଟ୍ରେଡିଂରେ ଟଙ୍କା ବିନିଯୋଗ କରିବା ପାଇଁ ସାଇବର୍‌ ଠକ କହିଥିଲେ। ଏଥିରେ ଯୁବତୀ ଜଣକ ରାଜି ହୋଇ ଟଙ୍କା ବିନିଯୋଗ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୨ହଜାର ଟଙ୍କା ବିନିଯୋଗ କରିବାରୁ ତାଙ୍କୁ ୨୮ଶହ ଟଙ୍କା ଫେରସ୍ତ ମିଳିଥିଲା। ଦୁଇତିନିଟି ପର୍ଯ୍ୟାୟରେ ସାଇବର୍‌ ଠକ ଏଭଳି ଲୋଭ ଦେଖାଇଥିଲେ। ପରେ ଯୁବତୀ ଜଣକ ଗତ ୧୬ତାରିଖରେ ପ୍ରଥମଥର ପାଇଁ ୪ଟି ପର୍ଯ୍ୟାୟରେ ୩ଲକ୍ଷ ୧୦ହଜାର ଟଙ୍କା ଜମା କରିଥିଲେ। ଏହାପରେ ସେ ଦୁଇଟି ପର୍ଯ୍ୟାୟରେ ୩ଲକ୍ଷ ୬୦ହଜାର ଜମା କରିଥିଲେ। ସେହି ଟଙ୍କା ଅଧିକ ସୁଧ ଆକାରରେ ଫେରି ପାଇବା ପାଇଁ ଆହୁରି ଟଙ୍କା ଜମା କରିବାକୁ ସାଇବର୍‌ ଠକ କହିଥିଲେ। ଫଳରେ, ପର୍ଯ୍ୟାୟକ୍ରମେ ୪ଲକ୍ଷ, ୫ଲକ୍ଷ ଓ ୬ଲକ୍ଷ ୩୧ହଜାର ଟଙ୍କା ଅନ୍‌ଲାଇନ୍‌ରେ ଯୁବତୀ ଜଣକ ଟ୍ରାନ୍ସଫର୍‌ କରିଥିଲେ। ସେହି ଟଙ୍କା ପାଇବା ପାଇଁ ସାଇବର୍‌ ଠକ ଆହୁରି ଟଙ୍କା ଜମା କରିବାକୁ କହିଥିଲେ। ଏଥିରେ ଯୁବତୀ ଜଣଙ୍କ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ।

ଏହି ଘଟଣାକୁ ନେଇ ସେ ସାଇବର୍‌ ଥାନାରେ ଅଭିଯୋଗ କରିଥିଲେ। ସାଇବର୍‌ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।