ଭୁବନେଶ୍ବର : କରୋନାର ଦ୍ବିତୀୟ ଲହର ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ମାତ୍ର ସାଧାରଣ ଲୋକଙ୍କ ଏଭଳି ଦୁଃସମୟକୁ ସାଇବର ଠକମାନେ ସୁବର୍ଣ୍ଣ ସୁଯୋଗ ଭାବେ ଉପଯୋଗ କରି କୋଟିକୋଟି ଟଙ୍କା ଲୁଟି ନେଉଛନ୍ତି। ଟିକାକରଣଠୁ ନେଇ ଟେଷ୍ଟିଂ ପର୍ଯ୍ୟନ୍ତ ବିଭିନ୍ନ ସେବା ଯୋଗାଇବା ଆଳରେ ଠକେଇ ଏବେ ସୀମା ଟିପିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏକ ହିସାବରୁ ଜଣାପଡ଼ିଛି ଯେ ମହାମାରୀ କରୋନା ଯୋଗୁଁ ଭାରତରେ ଲକ୍ଡାଉନ୍ ଓ ସଟ୍ଡାଉନ୍ ଲାଗୁହେବା ପରେ ପ୍ରାୟ ୬୮.୧ ପ୍ରତିଶତ ଭାରତୀୟ ଅନ୍ଲାଇନ୍ କ୍ରୟ ଉପରେ ଗୁରୁତ୍ବ ଦେଇଛନ୍ତି। ଏହାଛଡ଼ା ଅନେକ ଲୋକ ଏବେ ଅମ୍ଳଜାନ ସିଲିଣ୍ଡର୍ଠୁ ଆରମ୍ଭ କରି ବିଭିନ୍ନ ରୋଗର ନିରାକରଣ ତଥା ବିଶେଷଜ୍ଞ ପରାମର୍ଶ ପାଇଁ ଟେଲିମେଡିସିନ୍ ଆପ୍ ଓ ନମ୍ବର୍ ଆଦି ବ୍ୟବହାର କରୁଛନ୍ତି। ଲୋକଙ୍କ ଚାହିଦାକୁ ଲକ୍ଷ୍ୟ କରି ସାଇବର ଠକମାନେ ମଧ୍ୟ ସେହି ଅନୁସାରେ ଯୋଜନା କରୁଛନ୍ତି। ଆଉ ଲୋକଙ୍କ ଦ୍ବାରା ଅନ୍ଲାଇନ୍ରେ ଅଧିକ ଖୋଜା ଯାଉଥିବା ବିଷୟ ଉପରେ ଅନ୍ଲାଇନ୍ରେ ଠକ ଜାଲ ବିଛାଉଛି ଏବଂ ସେବା ଦେବା ଆଳରେ ଲୋକଙ୍କ ଆକାଉଣ୍ଟ୍ ଖାଲି କରି ତଳିତଳାନ୍ତ କରୁଛି। ଅନେକ କ୍ଷେତ୍ରରେ ବ୍ୟକ୍ତିଗତ ତଥ୍ୟ ଓ ଫଟୋକୁ ନେଇ ବ୍ଲାକ୍ମେଲ୍ ମଧ୍ୟ କରୁଛି। କରୋନା କାଳରେ ସାଇବର ଠକଙ୍କ ଠକେଇର ଏଭଳି ବିଭିନ୍ନ ତରିକାକୁ ନେଇ ସୁରଜ କୁମାର ମଲ୍ଲିକଙ୍କ ରିପୋର୍ଟ।
କରୋନାରୁ ବର୍ତ୍ତିବା ପାଇଁ ବର୍ତ୍ତମାନ ଦେଶରେ ଟିକାକରଣ ବ୍ୟାପକ ମାତ୍ରାରେ କରାଯାଉଛି। ତେବେ ଜନସଂଖ୍ୟାକୁ ଦେଖି ଟିକାର ପରିମାଣ ଖୁବ୍ କମ୍ ଥିବାରୁ ଲୋକେ ଟିକା ପାଇବାକୁ ନାକେଦମ୍ ହେଉଛନ୍ତି। ଏମିତି ସମୟରେ ଟିକାକରଣ କରାଇଦେବାର ଭରସା ଦେଇ ସାଇବର ଠକ ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କା ଚୂନ ଲଗାଉଥିବା ଜଣାପଡ଼ିଛି। ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦତ୍ତ ତିନିଟି ୱେବସାଇଟ୍ ଉମଙ୍ଗ, କୋଵିନ୍ ଓ ଆରୋଗ୍ୟ ସେତୁରେ ଟିକାକରଣର ସ୍ଲଟ୍ ବୁକିଂ ହେଉଛି। ମାତ୍ର ଅନ୍ଲାଇନ୍ରେ ଟିକାକରଣ ପାଇଁ ସାଇବର ସାଇବର ଠକମାନେ ମାଳମାଳ ନକଲି ୱେବସାଇଟ୍ ପ୍ରସ୍ତୁତ କରିଛନ୍ତି। ଏହି ୱେବସାଇଟ୍କୁ ଯିବା ପାଇଁ ସାଇବର୍ ଠକ ଆପଣଙ୍କ ମୋବାଇଲ୍କୁ ଏକ ଅଜଣା ନମ୍ବରରୁ ଲିଙ୍କ୍ ପଠାଇବ। ଯେଉଁଥିରେ ଉଲ୍ଲେଖ ରହୁଛି, ଟିକାକରଣ କରିବାକୁ ହେଲେ ଆପଣ ଏହି ଲିଙ୍କରେ ଯାଇ ଆପ୍ ଡାଉନ୍ଲୋଡ୍ କରନ୍ତୁ। ତେବେ ଆପଣ ଏହି ଲିଙ୍କରେ କ୍ଲିକ୍ କରିବା ମାତ୍ରେ ମୋବାଇଲ୍କୁ କିଛି ଭାଇରସ୍ ଆପେ ଆପେ ଚାଲିଆସେ। ଏହା ପରେ ଏହି ଭାଇରସ୍ ଦ୍ବାରା ଠକ ବା ହ୍ୟାକର୍ ମୋବାଇଲ୍ର ସେଟିଂ କରିବା ସହ ଆପ୍ର ଅନୁମତି, ଲୋକେସନ୍ ଓ ଡାଟା ଆଦି ଗ୍ରହଣୀୟ ହୋଇଯିବ। ଏହା ପରେ ହ୍ୟାକର୍ ମୋବାଇଲ୍ର ନିୟନ୍ତ୍ରଣ ସଂପୂର୍ଣ୍ଣ ନିଜ ହାତକୁ ନେଇ ଆକାଉଣ୍ଟରୁ ଟଙ୍କା ଖାଲି କରିଦେବ। ଯଦି ମୋବାଇଲ୍ ସହ ଆକାଉଣ୍ଟ ସଂଯୋଗ ହୋଇନଥିଲେ ହ୍ୟାକର୍ ମୋବାଇଲ୍ରେ ଥିବା ଫଟୋ, କଣ୍ଟାକ୍ସ ଓ ଅନ୍ୟାନ୍ୟ ବ୍ୟକ୍ତିଗତ ତଥ୍ୟ ଚୋରି କରି ଭାଇରାଲ୍ କରିବ କହି ବ୍ଲାକମେଲ୍ କରୁଛି। ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ବୁଲୁଥିବା କିଛି ନକଲି ଟିକାକରଣ ଆପ୍ ଗୁଡ଼ିକ ହେଉଛି କୋଭିଡ୍୧୯.ଏପିକେ, ଭିଏସିଆଇ_ରେଜିସ୍. ଏପିକେ, ସିଓଭି-ରେଜିସ୍. ଏପିକେ, ଭିଏସିସିଆଇଏନ୍-ଆପ୍ଲାଏ. ଏପିକେ, ମାଇଁଭିଏସିସିଆଇଏନ୍_ଭି୨. ଏପିକେ ଇତ୍ୟାଦି।
ଅମ୍ଳଜାନ ସ୍ତର ମାପିବା ଓ ସିଲିଣ୍ଡର ଯୋଗାଇବା ନାଁରେ ଠକେଇ:
କରୋନା ଯୋଗୁଁ ଶରୀରରେ ଅମ୍ଳଜାନ ସ୍ତର କମିବା ଏକ ଲକ୍ଷଣ। ତେଣୁ ଅନେକ ଲୋକ ଅକ୍ସିମିଟର୍ ଜରିଆରେ ନିଜ ଶରୀରରେ ଅମ୍ଳଜାନ ସ୍ତର ଠିକ୍ ଅଛି କି ନାହିଁ ତଥା ଅସୁସ୍ଥ କରୋନା ରୋଗୀଙ୍କୁ ଅମ୍ଳଜାନ ସିଲିଣ୍ଡର୍ ଯୋଗାଇଦେବା ପାଇଁ ବିଭିନ୍ନ ଡାକ୍ତରଖାନା ଓ ଔଷଧ ଦୋକାନୀଙ୍କ ସହିତ ପରାମର୍ଶ କରୁଛନ୍ତି। ଏଥିରେ ନିରାଶ ହେବା ପରେ ସାମାଜିକ ଗଣମାଧ୍ୟମରେ ଦିଆଯାଇଥିବା କିଛି ନମ୍ବରକୁ ଫୋନ୍ କରି ସହାୟତା ମାଗୁଛନ୍ତି। ତେବେ ସେଥିମଧ୍ୟରୁ ଅନେକ ନମ୍ବର ସାଇବର ଠକ ଦ୍ବାରା ପ୍ରଦତ୍ତ। ଫୋନ୍ କରି ସହାୟତା ମାଗିଲେ ସାଇବର ଠକ ଜଣେ ରୋଗ ବିଶେଷଜ୍ଞଙ୍କ ଭଳି ପେସାଦାର୍ ଢଙ୍ଗରେ କଥା ହେବ। ଆଉ ଏହା ପରେ ନିୟମର ପାଠପଢ଼ାଇ ମୋବାଇଲ୍କୁ କ୍ୟୁଆର୍ କୋଡ୍ ପଠାଇ ଟଙ୍କା ମାଗିବ। କ୍ୟୁଆର୍ କୋଡ୍ ସ୍କାନ୍ କରିବା ମାତ୍ରେ ହ୍ୟାକର୍ ଆକାଉଣ୍ଟ୍ ଖାଲି କରିଦେବ।
ସେହିଭଳି ଶରୀରର ଅମ୍ଳଜାନ ସ୍ତର ମାପିବାକୁ ନେଇ ମଧ୍ୟ ଆପ୍ ଡାଉନଲୋଡ୍ ଜରିଆରେ ଲୁଟ୍ କରୁଛି ଠକ। ଜଣେ ଏହି ଆପ୍ ଡାଉନଲୋଡ କଲେ ଠକ ଶରୀର ଅମ୍ଳଜାନ ସ୍ତର ମାପିବା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବୁଢ଼ା ଆଙ୍ଗୁଠି ରଖିବାକୁ କୁହେ। ଏହା ପରେ ମୋବାଇଲ୍ରେ ଥିବା ତଥ୍ୟ ସମେତ କଣ୍ଟାକ୍ଟ ନମ୍ବର୍ ଓ ମେସେଜ୍ ବ୍ୟବସ୍ଥାକୁ ହ୍ୟାକ୍ କରିନିଏ। ମୋବାଇଲ୍କୁ ଓଟିପି ପଠାଇ ବ୍ୟାଙ୍କରୁ ଟଙ୍କା ଉଠାଇନିଏ। ଏହି ଫେକ୍ ଅକ୍ସିମିଟର୍ ଆପ୍ ଉପରେ ଗୁଜୁରାଟ, ହରିୟାଣା ଓ କର୍ଣ୍ଣାଟକ ସରକାର ବିଜ୍ଞପ୍ତି ଜାରି କରିସାରିଛନ୍ତି।
ଟେଲିମେଡିସିନ୍ ଓ ମେଡିସିନ୍ ଆଳରେ ଠକେଇ:
କରୋନା ଯୋଗୁଁ ଏବେ ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଓପିଡି ସୁବିଧା ବନ୍ଦ ହୋଇଛି। ଏଥିପାଇଁ ରୋଗୀଙ୍କୁ ବିକଳ୍ପ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଟେଲିିମେଡିସିନ୍ ଆପ୍ ଓ ନମ୍ବର ଡାକ୍ତରଖାନା ପକ୍ଷରୁ ଜାରି କରାଯାଇଛି। ଅନେକ ଘରୋଇ ସଂସ୍ଥା ଅନ୍ଲାଇନ୍ ଭିଡିଓ କଲିଂ ମାଧ୍ୟମରେ ଲୋକଙ୍କୁ ଚିକିତ୍ସା ପରାମର୍ଶ ଦେଉଛନ୍ତି। ଏହାର ଫାଇଦା ନେଇ ସାଇବର ଠକ ନକଲି ଭିଡିଓ କଲିଂ ନମ୍ବର ଦେଇ ଲୋକଙ୍କୁ ଠକୁଛନ୍ତି। ବିଶେଷଜ୍ଞଙ୍କ ପରାମର୍ଶ ପାଇଁ ପ୍ରଥମେ ୫୦ ପ୍ରତିଶତ ଟଙ୍କା ଓ ପରାମର୍ଶ ପରେ ୫୦ ପ୍ରତିଶତ ଟଙ୍କା ଦେବାକୁ ପରାମର୍ଶ ଦେଉଛନ୍ତି। ମାତ୍ର ଟଙ୍କା ନେବା ପରେ ଭିଡିଓ କଲ୍ରେ ବିଶେଷଜ୍ଞ ନୁହେଁ; ଆପଣଙ୍କ ମୁହଁର ରେକର୍ଡିଂ ହେଉଛି। ଯାହାକୁ ଏଡିଟ୍ କରି ସାଇବର ଠକ ପରବର୍ତ୍ତୀ ସମୟରେ ସୋସିଆଲ ମିଡିଆରେ ଉଲଗ୍ନ ଫଟୋ ଛାଡ଼ିଦେବାର ଧମକ ଦେଉଛି ଏବଂ ବ୍ଲାକମେଲ୍ କରି ଟଙ୍କା ମାଗୁଛି। ସେହିଭଳି ଅନ୍ଲାଇନ୍ରେ ଔଷଧ ସେବା ଘରେ ପହଞ୍ଚାଇବା ପାଇଁ ସାମାଜିକ ଗଣମାଧ୍ୟମରେ କିଛି ନକଲି ନମ୍ବର ଘୂରି ବୁଲୁଛି। ତେବେ ଉକ୍ତ ନମ୍ବର ବା ସାଇଟ୍ରୁ ଔଷଧ ଅର୍ଡର କରି ଲୋକେ ଠକାମିର ଶିକାର ହେଉଛନ୍ତି।
କୋଭିଡ୍ ସବ୍ସିଡି ଓ ଋଣ ନାଁରେ ଠକେଇ:
କରୋନା ପାଇଁ ସରକାରଙ୍କ ପକ୍ଷରୁ ଆର୍ଥିକ ଅନଗ୍ରସର ବର୍ଗଙ୍କୁ ସବ୍ସିଡି ବା ଋଣ ମିଳିବ ବୋଲି କହି ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରି ନେଉଛି ସାଇବର ଠକ। ପ୍ରଥମେ ଟଙ୍କା ପାଇବା ଲୋଭରେ ସାଇବର ଠକ ମାଗିଥିବା ସମସ୍ତ ତଥ୍ୟ ଦେବା ପରେ ଆପଣ ଲୋନ୍ ନେବାକୁ ଯୋଗ୍ୟ ନୁହନ୍ତି ବୋଲି ମେସେଜ୍ ସ୍କ୍ରିନ୍ରେ ଦେଖାଇବ। ଏହା ପରେ ଆପଣ ଦେଇଥିବା ତଥ୍ୟକୁ ନେଇ ସାଇବର୍ ଠକ ଆପଣଙ୍କ ପାଖକୁ ମେସେଜ୍ କରି ଟଙ୍କା ମାଗିବ।
କରୋନା ଟେଷ୍ଟିଂ ଆଳରେ ଠକେଇ:
କରୋନା ଟେଷ୍ଟ କରାଇବା ଆଳରେ ମଧ୍ୟ ଟଙ୍କା ଲୁଟି ନେଉଛି ସାଇବର ଠକ। ଅନ୍ଲାଇନ୍ରେ କରୋନା ଟେଷ୍ଟ କରାଇଦେବ କହି ଏକ ନିର୍ଦ୍ଦିଷ୍ଟ ଟଙ୍କା ମାଗୁଛି ଏବଂ ଏ ନେଇ ମୂଲଚାଲ୍ ଛିଣ୍ଡିଯିବା ପରେ ସେ ଅନ୍ଲାଇନ୍ରେ ଟଙ୍କା ପଠାଇବାକୁ କହୁଛି। ଆଉ ଏହାକୁ ବିଶ୍ବାସ କରି ଯଦି କେହି ଆକାଉଣ୍ଟରୁ ଟଙ୍କା ପଠାଉଛି, ତାହା ଠକ ହ୍ୟାକ୍ କରି ପୂରା ଆକାଉଣ୍ଟ ଖାଲି କରି ନେଇଯାଉଛି।
ଡୋନେସନ୍ ଓ ଚାରିଟି ସ୍କାମ୍:
ଏହି ନୂଆଧରଣର ଠକେଇ ପାଇଁ ସାଇବର ଠକ ସାମାଜିକ ଗଣମାଧ୍ୟମରେ ଏକ ମିଥ୍ୟା ଖବର ପ୍ରଚାର କରନ୍ତି। ସେମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ କୋଭିଡ୍ ରୋଗୀଙ୍କ ମାଗଣା ଚିକିତ୍ସା କରୁଛନ୍ତି। ଏଥିପାଇଁ କିଛି ମିଥ୍ୟା ଫଟୋ ପଠାଇ ଲୋକଙ୍କୁ ଟଙ୍କା ମାଗୁଛନ୍ତି। ନିଜକୁ ଏକ ପ୍ରତିଷ୍ଠିତ ଏନ୍ଜିଓ କର୍ତ୍ତୃପକ୍ଷ ବୋଲି ସୂଚିତ କରି ଅନ୍ଲାଇନ୍ରେ ଟଙ୍କା ନିଅନ୍ତି। ଏହା ପରେ ଉକ୍ତ ନମ୍ବର ଓ ଆଇଡି ପରିବର୍ତ୍ତନ କରି ଅନ୍ୟ ଲୋକଙ୍କୁ ଟଙ୍କା ମାଗନ୍ତି। ଆପଣ ଉକ୍ତ ନମ୍ବର ବା ଫେସବୁକ୍ ଆଇଡି ଅନୁସରଣ କଲେ ମଧ୍ୟ କିଛି ତଥ୍ୟ ପାଇବେ ନାହିଁ।
ଠକେଇରୁ କେମିତି ବର୍ତ୍ତିବେ?
ଅଜଣା ନମ୍ବରରୁ ମେସେଜ୍ ମାଧ୍ୟମରେ ଆସୁଥିବା ଲିଙ୍କରେ ଆଦୌ କ୍ଲିକ୍ କରନ୍ତୁ ନାହିଁ। ଯଥାଶୀଘ୍ର ଏହାକୁ ଡିଲିଟ୍ କରନ୍ତୁ। କରୋନା ପାଇଁ ଟିକାକରଣ ପାଇଁ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ତିନିଟି ଆପ୍ ଓ ୱେବସାଇଟ୍ ଉମଙ୍ଗ, ଆରୋଗ୍ୟସେତୁ ଓ କୋଵିନ୍କୁ ବ୍ୟବହାର କରନ୍ତୁ। ଏହା ବ୍ୟତୀତ କ୍ୟୁଆର୍ କୋଡ ପଠାଇ ଠକେଇ ଅଧିକ କରାଯାଏ। କାରଣ କ୍ୟୁଆର୍ କୋଡ୍ ପଠାଇବା ପୂର୍ବରୁ ସାଇବର ଠକ ପୂର୍ବରୁ ହିଁ ଟଙ୍କା ନିର୍ଦ୍ଦାରଣ କରି ପଠାଇଥାଏ। ତେଣୁ ସ୍କାନ୍ କରିବା ମାତ୍ରେ ସେ ଧାର୍ଯ୍ୟ କରିଥିବା ଟଙ୍କା ଆକାଉଣ୍ଟରୁ କଟେ। ତେଣୁ କ୍ୟୁଆର୍ କୋଡ୍ ଟଙ୍କା ନେଣଦେଣ କରନ୍ତୁ ନାହିଁ। ଅପରପକ୍ଷରେ ଲୋନ୍ ପାଇଁ ବ୍ୟାଙ୍କ୍ ଯାଇ କର୍ମଚାରୀଙ୍କ ସହ କଥା ହୋଇ ଲୋନ୍ ନିଅନ୍ତୁ। କାରଣ ଲୋନ୍ ଦେବାକୁ କହି ଅଧିକାଂଶ ସମୟ ଅନଲାଇନ୍ ଠକେଇ ହିଁ ହୋଇଥାଏ।
ସବୁଠୁ ଗୁରୁତ୍ବପୂର୍ଣ୍ଣ ମନେ ରଖନ୍ତୁ ଯେ ଆଧାର କାର୍ଡ, ପ୍ୟାନ୍ କାର୍ଡ ଓ ମୋବାଇଲ୍ ନମ୍ବର୍ର ବିସ୍ତୃତ ତଥ୍ୟକୁ ସବୁବେଳେ ଗୁପ୍ତ ରଖନ୍ତୁ। କାରଣ ଏହି ତିନିଟି ଜିନିଷ ହିଁ ସାଇବର ଠକର ସବୁଠାରୁ ବଡ଼ ଅସ୍ତ୍ର । ଏହାଛଡ଼ା ମୋବାଇଲ୍କୁ ଆସୁଥିବା ପ୍ରତିଟି ଓଟିପିକୁ ନିଜ ପାଖରେ ରଖନ୍ତୁ। କାହାକୁ ସେୟାର୍ କରନ୍ତୁ ନାହିଁ।
ଆକାଶ ମିଶ୍ର, ସାଇବର ବିଶେଷଜ୍ଞ