କରୋନା ବୁଷ୍ଟର୍ ଡୋଜ୍‌କୁ ନେଇ ସାଇବର ଠକ ସକ୍ରିୟ

ଫେକ୍ କଲ୍, ମେଲ୍ ଓ ମେସେଜ୍ ଜରିଆରେ ପଠାଉଛନ୍ତି ମାଲୱେର ଲିଙ୍କ୍, ଓଟିପି ପଠାଇ ମୋବାଇଲ୍ ହ୍ୟାକ୍ କରୁଛନ୍ତି

ଭୁବନେଶ୍ବର : କରୋନା ତୃତୀୟ ଲହରରେ ଓମିକ୍ରନକୁ ନେଇ ରାଜ୍ୟ ସମେତ ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି। ତେଣୁ ତୃତୀୟ ଲହରକୁ ପ୍ରତିହତ କରିବା ପାଇଁ ଆସନ୍ତାକାଲି ସାରା ଦେଶରେ ବୁଷ୍ଟର ଡୋଜ୍ ଦିଆଯିବ। ପ୍ରଥମେ ୬୦ବର୍ଷରୁ ଊର୍ଦ୍ଧ୍ବ ଲୋକ ଏବଂ କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ମେଡିକାଲ୍ କର୍ମଚାରୀଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ବୁଷ୍ଟର ଡୋଜ୍ ଦିଆଯିବ। ଏହାକୁ ନଜରରେ ରଖି ସାଇବର ଠକ ଏବେ ଲୋକଙ୍କ ମୋବାଇଲକୁ ବିଶେଷ କରି ଦ୍ବିତୀୟ ଡୋଜ୍ ନେବା ସତ୍ତ୍ବେ କରୋନା ଆକ୍ରାନ୍ତ ହୋଇଥିବା ଲୋକଙ୍କ ସବିଶେଷ ତଥ୍ୟ ସଂଗ୍ରହ କରି ସେମାନଙ୍କ ମୋବାଇଲ୍‌କୁ ମେସେଜ୍ ପଠାଉଛନ୍ତି।

କେବଳ ଏତିକି ନୁହେଁ, ୬୦ବର୍ଷରୁ ଅଧିକ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଫେକ୍ କଲ୍ ଜରିଆରେ ବୁଷ୍ଟର୍ ଡୋଜ୍ ନେବା ପାଇଁ ସେମାନେ ମୋବାଇଲକୁ ପଠାଉଥିବା ଲିଙ୍କ୍‌ରେ ଯାଇ ପଞ୍ଜୀକରଣ କରିବାକୁ କହୁଛନ୍ତି। ଓମିକ୍ରନକୁ ନେଇ ଭୟଭୀତ ଥିବାରୁ ବୟସ୍କମାନେ ଆଗପଛ ବିଚାର ନ କରି ସାଇବର ଠକର କହିବାନୁଯାୟୀ ଲିଙ୍କ୍‌କୁ କ୍ଲିକ୍ କରି ଠକେଇର ଶିକାର ହେଉଥିବା ଜଣାପଡ଼ିଛି।

Image Courtesy of Ottawa Citizen

ଏନେଇ ସାଇବର ବିଶେଷଜ୍ଞ ଆକାଶ ମିଶ୍ର କହିଛନ୍ତି, ଉତ୍ତର ଭାରତରେ ଏହି ଠକେଇ ବ୍ୟାପକ ପରିମାଣରେ ହେଉଥିବା ଅଭିଯୋଗ ଆସିଛି। ସାଇବର ଠକ କୋଭିଡ୍ ବୁଷ୍ଟର ଡୋଜ୍‌ର ପଞ୍ଜୀକରଣ କରାଇବା ଆଳରେ ମାଲୱେର୍ ଲିଙ୍କ ପଠାଉଛନ୍ତି। ଏହି ଲିଙ୍କ୍‌ରେ କ୍ଲିକ୍ କରିବା ପରେ ସାଇବର ଠକ ଦ୍ବାରା ତିଆରି ହୋଇଥିବା ନକଲି ୱେବସାଇଟ୍‌ରେ ଟିକାକରଣର ସ୍ଲଟ୍ ବୁକିଂ କରିବା ପାଇଁ ତାରିଖ ଏବଂ ପୂର୍ବରୁ ଦ୍ବିତୀୟ ଡୋଜ୍ ଟିକା ନେଇଥିବା ସାର୍ଟିଫିକେଟର ସବିଶେଷ ତଥ୍ୟ, ଆଧାର କାର୍ଡ ଦେବାକୁ ନିର୍ଦ୍ଦେଶ ଥାଏ। ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ତଥ୍ୟ ଦେବା ପରେ ସାଇବର ଠକ ମୋବାଇଲ୍‌କୁ ପଞ୍ଜୀକରଣର ନିଶ୍ଚିତ କରାଇବା ପାଇଁ ଓଟିପି ପଠାଏ। ଏହା ପରେ ଉକ୍ତ ଓଟିପି ଦେବାକୁ କହିଥାଏ। ଓଟିପି ଦେବା ପରେ ସାଇବର ଠକ ମୋବାଇଲକୁ ସଂପୂର୍ଣ୍ଣ ନିଜ ନିୟନ୍ତ୍ରଣକୁ ନେଇଥାଏ। ଏହା ପରେ ମୋବାଇଲ୍‌ରେ ଥିବା ୟୁପିଆଇ ବ୍ୟାଙ୍କିଂ ଡିଟେଲ୍ସ ଓ ଅନ୍ୟାନ୍ୟ ତଥ୍ୟ ନେଇ ଲୋକଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌ରୁ ଟଙ୍କା ଲୁଟିନେଇଥାଏ। ଏପରିକି ମୋବାଇଲ୍‌ର ହ୍ବାଟ୍‌ସଆପ୍ ବ୍ୟବହାର କରି ସଂପର୍କୀୟଙ୍କୁ ମେସେଜ୍ କରି ଟଙ୍କା ମଧ୍ୟ ନେଇଥାଏ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ତେଣୁ ଏଥିରୁ ବର୍ତ୍ତିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଦତ୍ତ କୋଵିନ୍ ପୋର୍ଟାଲକୁ ଯାଇ ବୁଷ୍ଟର୍ ଡୋଜ୍‌ର ପଞ୍ଜୀକରଣ କରାଇବାକୁ ସେ କହିଛନ୍ତି। ଏହା ସହ ଏଭଳି ଫେକ୍ ମେସେଜ୍ ବା କଲ ଆସିଲେ କିମ୍ବା ଠକେଇର ଶିକାର ହେଲେ ସାଇବର ଥାନାର ସହାୟତା ନେବାକୁ ସେ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ, କରୋନାର ପ୍ରଥମ ଓ ଦ୍ବିତୀୟ ଲହର ସମୟରେ ସାଇବର ଠକ ଲୋକଙ୍କୁ ଅକ୍ସିଜେନ୍ ସିଲିଣ୍ଡର, ଅକ୍ସିମିଟର, ଔଷଧ ଓ ରେମେଡିସିଭର ଇଂଜେକ୍ସନ ଆଦି ଦେବେ କହି ଠକେଇ କରିଥିବା ବେଳେ ଟିକାକରଣ ସମୟରେ ମଧ୍ୟ ବ୍ୟାପକ ମାତ୍ରାରେ ଠକେଇ ହୋଇଥିଲା।

ସମ୍ବନ୍ଧିତ ଖବର