ଭିଜିଲାନ୍ସ ଏସ୍‌ପିଙ୍କ ନାଁରେ ଟଙ୍କା ମାଗୁଛି ସାଇବର ଠକ

ସମ୍ବଲପୁର: ଧୀରେ ଧୀରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନାଁ ନେଇ ସାଇ୍‌ବର୍‌ ଠକମାନେ ଲୋକଙ୍କୁ ଲୁଟିବା ପାଇଁ ଜାଲ ବିଛାଇଲେଣି। ସମ୍ବଲପୁର ଭିଜିଲାନ୍ସ ଏସପି ଆଇପିଏସ୍‌ ସାରା ଶର୍ମାଙ୍କ ନାଁରେ ସାଇବର ଠକ ଲୋକଙ୍କୁ ଚୂନା ଲଗାଇବା ପାଇଁ ଜାଲ ବିଛାଇଥିବା ଘଟଣା ସାମ୍ନାକୁ ଆସିଛି। ଏ ନେଇ ନିଜେ ସମ୍ବଲପୁର ଭିଜିଲାନ୍ସ ଏସ୍‌ପି ସାରା ଶର୍ମା ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ଫେସ୍‌ବୁକ୍‌ରେ ରବିବାର ସେ ପୋଷ୍ଟ କରି ଲେଖିଛନ୍ତି, ‘କେହି ଜଣେ ଅଜଣା ହ୍ୱାଟ୍ସଆପ୍ ନମ୍ବରରୁ ମୋ ବନ୍ଧୁମାନଙ୍କୁ ମେସେଜ୍ କରୁଛି। ଯେଉଁଥିରେ ମୋ ପାଇଁ ଆମାଜନ ଗିଫ୍ଟ କାର୍ଡ କିଣିବାକୁ କହୁଛି ଏବଂ ଟଙ୍କା ମାଗୁଛି। ତେଣୁକରି ମୋ ପାଖକୁ ଟଙ୍କା ପଠାନ୍ତୁ ନାହିଁ, କାରଣ ମୋର ଆବଶ୍ୟକତା ନାହିଁ। ଏଭଳି ଠକଙ୍କ କଲ୍‌ ଓ ମେସେଜ ପ୍ରତି ସାବଧାନ ରୁହନ୍ତୁ। ସାଇବର୍‌ ଠକ ସାରା ଶର୍ମାଙ୍କ କିଛି ବନ୍ଧୁଙ୍କୁ ହ୍ବାଟ୍ସଆପ୍‌ରେ ମେସେଜ୍‌ କରି ଟଙ୍କା ମାଗୁଥିବା ଘଟଣା ସାମ୍ନାକୁ ଆସିବା ପରେ ରବିବାର ଦିନ ସେ ଏହି ପୋଷ୍ଟ କରିଛନ୍ତି।

ତେବେ ସମ୍ବଲପୁରର ଏହି ଗୋଟିଏ ଘଟଣା ନୁହେଁ, ରାଜ୍ୟର ଏକାଧିକ ଅଧିକାରୀଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ତଥା ଭିନ୍ନ ଭିନ୍ନ ହ୍ୱାଟ୍ସଆପ୍ ନମ୍ବରରେ ସେମାନଙ୍କ ଫଟୋ ବ୍ୟବହାର କରି ଲୋକଙ୍କୁ ଜାଲରେ ପକାଇବା ପାଇଁ ସାଇବର୍‌ ଠକମାନେ ଚେଷ୍ଟା କରୁଛନ୍ତି। କିଛି ଘଟଣାର ସଫଳ ମଧ୍ୟ ହେଉଛନ୍ତି। କିଛି ଦିନ ପୂର୍ବରୁ ଓକାକ୍‌ର ମୁଖ୍ୟଙ୍କ ନାଁରେ ମଧ୍ୟ ସାଇବର୍‌ ଠକ ଟଙ୍କା ମାଗୁଥିବା ଅଭିଯୋଗ ହୋଇଥିଲା। କେତେବେଳେ କାହାର ଦେହ ଖରାପ ତ ଆଉ କେବେ ଅପରେସନ୍ ପାଇଁ ଟଙ୍କା ଦରକାର ବୋଲି ଠକମାନେ ମେସେଜ୍‌ ଦେଉଛନ୍ତି। ଏଭଳି ମେସେଜ୍‌ ପ୍ରତି ସାବଧାନ ରହିବାକୁ ସାଇବର୍‌ ବିଶେଷଜ୍ଞ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର