କ୍ରାଇମବ୍ରାଞ୍ଚ ସାଇବର ସେଲ୍‌କୁ ବଡ଼ ସଫଳତା : ୪୮ ଘଣ୍ଟାରେ ଫେରିଲା ଟଙ୍କା

କଟକ : ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ପୁଲିସର ସାଇବର ସେଲ୍ ଏବ˚ ଲକ୍ଷ୍ନୌସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ତିଆର ଡିଜିଟାଲ୍‌ ବ୍ୟାଙ୍କି˚ ବିଭାଗକୁ ମିଳିଛି ବଡ଼ ସଫଳତା। ଉଭୟ ବିଭାଗ ଅଧିକାରୀଙ୍କ ତ୍ବରିତ ପଦକ୍ଷେପ ଫଳରେ ଠକାମିର ଶିକାର ହୋଇଥିବା କଟକର ଜଣେ ବ୍ୟାଙ୍କ ଗ୍ରାହକ ମାତ୍ର ୪୮ ଘଣ୍ଟା ଭିତରେ ତାଙ୍କର ୫୦ ହଜାର ଟଙ୍କା ଫେରସ୍ତ ପାଇଛନ୍ତି। ମୋବାଇଲ୍‌ ସହିତ ଆଧାର କାର୍ଡ ଲିଙ୍କ୍‌ ହୋଇ ନଥିବା ଆଳ ଦେଖାଇ ସାଇବର ଅପରାଧୀ ଗ୍ରାହକଙ୍କ ମୋବାଇଲ୍‌କୁ ଆସିଥିବା ଓଟିପି ନମ୍ବର କୌଶଳ କ୍ରମେ ନେଇ ଟଙ୍କା ଲୁଟିଥିଲା। କିନ୍ତୁ ଏତେ ଶୀଘ୍ର ଟଙ୍କା ଫେରସ୍ତ ହେବା ଘଟଣା କ୍ରାଇମ୍‌ବ୍ରାଞ୍ଚରେ ପ୍ରଥମ ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ, କଟକର ଜଣେ ବ୍ୟାଙ୍କ ଗ୍ରାହକଙ୍କ ମୋବାଇଲ୍‌ ଫୋନ୍‌କୁ ଗଲା ୩ ତାରିଖରେ ଏକ ଅଜଣା ନମ୍ବରରୁ ଫୋନ୍‌ କଲ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ସମ୍ପୃକ୍ତ ଗ୍ରାହକଙ୍କ ବିଏସ୍‌ଏନ୍‌ଏଲ୍‌ ମୋବାଇଲ ନମ୍ବର ସହିତ ଆଧାର ନମ୍ବର ସ˚ଯୋଗ ହୋଇନଥିବାରୁ ସେବା ବନ୍ଦ ପାଇଁ ଚେତାବନୀ ଦେଇଥିଲା। ତୁରନ୍ତ ନିକଟସ୍ଥ ବିଏସ୍‌ଏନ୍‌ଏଲ୍‌ କେନ୍ଦ୍ରରେ ଲିଙ୍କ୍‌ କରାଇବାକୁ କହିଥିଲା। କିନ୍ତୁ କେନ୍ଦ୍ରକୁ ଯିବା ପୂର୍ବରୁ ସେବା ବନ୍ଦ ହେବାର ଆଶଙ୍କା ଥିବା ଫୋନ୍‌ କରିଥିବା ବ୍ୟକ୍ତି ଜଣକ କହିଥିଲା। ଏଥିପାଇଁ ଗ୍ରାହକଙ୍କ ଫୋନ୍‌କୁ ଏକ ଓଟିପି ନମ୍ବର ପଠାଇଥିଲା। ଉକ୍ତ ନମ୍ବରଟି ଦେବାକୁ ଗ୍ରାହକଙ୍କୁ କହିଥିଲା। କିନ୍ତୁ ବ୍ୟାଙ୍କ ଗ୍ରାହକ ସାଇବର ଅପରାଧୀର ଚତୁରତା ବୁଝି ପାରିନଥିଲେ। ବ୍ୟାଙ୍କ ସମ୍ପର୍କିତ କୌଣସି ତଥ୍ୟ ପଚାରିନଥିବାରୁ ଗ୍ରାହକ ଜଣକ ସାଇବର ଅପରାଧୀର କୌଶଳ ହୋଇଥିବା ସନ୍ଦେହ କରିନଥିଲେ। ଏପଟେ ଅପରାଧୀ ଜଣକ ରେଡ୍‌ ବସ୍‌ ଅନ ଲାଇନ ସେବା ଜରିଆରେ ୫୦ ହଜାର ଟଙ୍କାର ଟିକେଟ୍‌ ବୁକ୍‌ କରିଥିବା ପରେ ଜଣାପଡ଼ିଥିଲା।

ଏ ସମ୍ପର୍କରେ ଖବର ପାଇବା ପରେ ଲକ୍ଷ୍ନୌସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ତିଆର ଡିଜିଟାଲ ବ୍ୟାଙ୍କି˚ ବିଭାଗ ତୁରନ୍ତ ପଦକ୍ଷେପ ନେଇ ରେଡ୍‌ ବସ ସ˚ସ୍ଥା କର୍ତ୍ତୃପକ୍ଷଙ୍କୁ ଠକର କାରବାର ସଂପର୍କରେ ଇ-ମେଲ୍‌ ଓ ଫୋନ ଯୋଗେ ସେଦିନ ଅବଗତ କରି ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ୪ ତାରିଖରେ କଟକ କ୍ରାଇମ୍‌ବ୍ରାଞ୍ଚର ସାଇବର‌୍‌ ସେଲ୍‌ରେ ମଧ୍ୟ ଲିଖିତ ଅଭିଯୋଗ ହୋଇଥିଲା। ସେଲ୍‌ ମୁଖ୍ୟ ଇନ୍‌ସ୍ପେକ୍ଟର ନରେନ୍ଦ୍ର କୁମାର ମାହୁନ୍ତଙ୍କ ନିର୍ଦ୍ଦେଶକ୍ରମେ ଇନ୍‌ସ୍ପେକ୍ଟର ବିଭୁ ର˚ଜନ ସୁନ୍ଦରାଏ, ଇନ୍‌ସ୍ପେକ୍ଟର ଗୀତାଞ୍ଜଳି ଜେନା, ଏସ୍‌ଆଇ ବିଶ୍ବ ପ୍ରକାଶ ରାଉତ ପ୍ରମୁଖ ରେଡ୍‌ ବସ୍‌ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ଇ-ମେଲ୍‌ ଓ ଫୋନ୍‌ ଯୋଗେ ଯୋଗାଯୋଗ କରି ତୁରନ୍ତ ପଦକ୍ଷେପ ନେବାକୁ ତାଗିଦ କରିଥିଲେ। ଶେଷରେ ଆଜି ଠକେଇ ହୋଇଥିବା ୫୦ ହଜାର ଟଙ୍କା ବ୍ୟାଙ୍କ ଗ୍ରାହକଙ୍କ ଜମା ଖାତାକୁ ଫେରସ୍ତ ଆସିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର